ଏ ନେଇ କମ୍ପାନୀ ପକ୍ଷରୁ କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟକୁ ଏକ ଆନୁଷ୍ଠାନିକ ପତ୍ର ମାଧ୍ୟମରେ ଜଣାଯାଇଛି। ଭାରତରେ ସୋସିଆଲ ମିଡିଆ ବ୍ୟବହାର କରୁଥିବା ଶିଶୁଙ୍କ ଅନଲାଇନ୍ ସୁରକ୍ଷା ସରକାରଙ୍କ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଓ ଆପୋଷହୀନ ବିଷୟ ବୋଲି ସରକାର ସ୍ପଷ୍ଟ କରିବା ସହ ମେଟାର ଏହି ନିଷ୍ପତ୍ତିକୁ ସୁରକ୍ଷା ଦିଗରେ ଏକ ”ପ୍ରଥମ ପଦକ୍ଷେପ” ବୋଲି କହିଛନ୍ତି
ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକରେ ଶିଶୁ ସୁରକ୍ଷାକୁ ଅଧିକ କଡ଼ାକଡ଼ି କରିବା ପାଇଁ କେନ୍ଦ୍ର ସରକାରଙ୍କ ଚାପ ପରେ ଶେଷରେ ନରମିଛି ପ୍ରସିଦ୍ଧ ବୈଷୟିକ କମ୍ପାନୀ ”ମେଟା”। ଶିଶୁ ଯୌନ ନିର୍ୟାତନା ଓ ସୁରକ୍ଷା ସମ୍ବନ୍ଧୀୟ ସମସ୍ତ ସଂବେଦନଶୀଳ ମାମଲାକୁ ସଂପୃକ୍ତ ଆଇନ ପ୍ରବର୍ତ୍ତନ ସଂସ୍ଥା ନିକଟରେ ରିପୋର୍ଟ କରିବାକୁ ମେଟା ସମ୍ମତି ପ୍ରକାଶ କରିଛି। ଏ ନେଇ କମ୍ପାନୀ ପକ୍ଷରୁ କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟକୁ ଏକ ଆନୁଷ୍ଠାନିକ ପତ୍ର ମାଧ୍ୟମରେ ଜଣାଯାଇଛି। ଭାରତରେ ସୋସିଆଲ ମିଡିଆ ବ୍ୟବହାର କରୁଥିବା ଶିଶୁଙ୍କ ଅନଲାଇନ୍ ସୁରକ୍ଷା ସରକାରଙ୍କ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଓ ଆପୋଷହୀନ ବିଷୟ ବୋଲି ସରକାର ସ୍ପଷ୍ଟ କରିବା ସହ ମେଟାର ଏହି ନିଷ୍ପତ୍ତିକୁ ସୁରକ୍ଷା ଦିଗରେ ଏକ ”ପ୍ରଥମ ପଦକ୍ଷେପ” ବୋଲି କହିଛନ୍ତି। ଶିଶୁ ସୁରକ୍ଷା ନିୟମ ନ ମାନୁଥିବା କମ୍ପାନୀଗୁଡ଼ିକ ବିରୋଧରେ କଠୋର ଆଇନଗତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସରକାର ଚେତାବନୀ ଦେଇଛନ୍ତି।
ଇନଷ୍ଟାଗ୍ରାମ ବିଜ୍ଞାପନରେ ଶିଶୁ ଯୌନ ନିର୍ୟାତନା ସମ୍ବନ୍ଧୀୟ ଆପତ୍ତିଜନକ କଣ୍ଟେଣ୍ଟ୍ ପ୍ରସାରିତ ହେଉଥିବା ନେଇ ଅଭିଯୋଗ ଆସିବା ପରେ ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ (ଏନସିପିସିଆର୍) ମେଟା ଇଣ୍ଡିଆର ଅଧିକାରୀମାନଙ୍କୁ ସମନ କରିଥିଲେ। ଏକ ତଦନ୍ତରୁ ଜଣାପଡ଼ିଥିଲା ଯେ, କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଦ୍ୱାରା ପ୍ରସ୍ତୁତ କେତେକ ଅସାଧୁ ବିଜ୍ଞାପନ ମେଟା ପ୍ଲାଟଫର୍ମରେ ଚାଲୁଥିଲା, ଯାହାକୁ ପରବର୍ତ୍ତୀ ସମୟରେ ହଟାଯାଇଥିଲା। ମେଟା ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି ଯେ, ୨୦୨୬ର ପ୍ରଥମ ୬ମାସରେ ଶିଶୁ ସୁରକ୍ଷା ନୀତି ଉଲ୍ଲଂଘନ ଅଭିଯୋଗରେ ବିଶ୍ୱସ୍ତରରେ ପ୍ରାୟ ୪୦ ଲକ୍ଷ ଆକାଉଣ୍ଟ ଏବଂ ଭାରତରେ ୧.୬ ଲକ୍ଷ ଆକାଉଣ୍ଟ ବନ୍ଦ କରାଯାଇଛି। ଅନ୍ୟପଟେ, କେରଳ ମୁଖ୍ୟମନ୍ତ୍ରୀ ପି. ଭିଜୟନ ଓ ନେତା ଭି. ଡି. ସତୀଶନଙ୍କ ଏକ ଚର୍ଚ୍ଚିତ ଏଆଇ ଭିଡିଓ ସରକାରୀ ନିର୍ଦ୍ଦେଶ ପରେ ଭାରତରେ ମେଟା ଦ୍ୱାରା କଟକଣାଭୁକ୍ତ କରାଯାଇଛି।

