ବାଲେଶ୍ବର ଜିଲ୍ଲା ଭୋଗରାଇର ବିଚିତ୍ରପୁର ଜଙ୍ଗଲକୁ କେଉଁଠୁ ଆସିଲେ ୫ଟି ଓରାଂଉଟାନ୍ ଛୁଆ, ସେନେଇ ଏସ୍ଟିଏଫ୍ ତଦନ୍ତ ଜାରି ରଖିଛି । ଏହି ମାମଲାରେ ଆସାମ, ମିଜୋରାମ ଓ ମହାରାଷ୍ଟ୍ର ପୁଲିସର ସହାୟତା ନେବ ଏସ୍ଟିଏଫ୍ ।
ବାଲେଶ୍ବର ଜିଲ୍ଲା ଭୋଗରାଇର ବିଚିତ୍ରପୁର ଜଙ୍ଗଲକୁ କେଉଁଠୁ ଆସିଲେ ୫ଟି ଓରାଂଉଟାନ୍ ଛୁଆ, ସେନେଇ ଏସ୍ଟିଏଫ୍ ତଦନ୍ତ ଜାରି ରଖିଛି । ଏହି ମାମଲାରେ ଆସାମ, ମିଜୋରାମ ଓ ମହାରାଷ୍ଟ୍ର ପୁଲିସର ସହାୟତା ନେବ ଏସ୍ଟିଏଫ୍ । ପୂର୍ବରୁ ଏହି ରାଜ୍ୟଗୁଡ଼ିକରେ ସମାନ ପରିସ୍ଥିତିରେ ଓରାଂଉଟାନ ଉଦ୍ଧାର ହୋଇଥିବାରୁ ତଦନ୍ତରେ ସେମାନଙ୍କ ଅନୁଭବ ଓ ସୂଚନା ଗୁରୁତ୍ୱପୂର୍ଣ୍ଣ ହେବ । ୨୦୨୨ ମସିହାରେ ଆସାମର କାଚାର ଜିଲ୍ଲାରୁ ୨ଟି ଶିଶୁ ଓରାଂଉଟାନ ଉଦ୍ଧାର ହୋଇଥିଲେ ।
୨୦୨୩ ଅକ୍ଟୋବରରେ ମିଜୋରାମର ଆଇଜଲ ଜିଲ୍ଲାରୁ ଆଉ ଗୋଟିଏ ଓରାଙ୍ଗଉଟାନ ଉଦ୍ଧାର ହୋଇଥିଲା । ସେହିପରି ୨୦୨୪ରେ ମହାରାଷ୍ଟ୍ର ଥାଣେ ଜିଲ୍ଲାର ଡୋମ୍ବିଭଲିର ଏକ ଆପାର୍ଟମେଣ୍ଟରୁ ଗୋଟିଏ ଓରାଙ୍ଗଉଟାନ ଉଦ୍ଧାର ହୋଇଥିଲା । ଓରାଂଉଟାନ ଭାରତର ସ୍ଥାନୀୟ ପ୍ରାଣୀ ନୁହେଁ । ଏମାନେ ମୁଖ୍ୟତଃ ସୁମାତ୍ରା ଓ ବୋର୍ଣ୍ଣିଓ ଦ୍ୱୀପପୁଞ୍ଜରେ ଦେଖାଯାଆନ୍ତି । ବାଲେଶ୍ୱର ଜଙ୍ଗଲରୁ ୫ଟି ଶିଶୁ ଓରାଂଉଟାନ ମିଳିବା ପରେ ଏମାନଙ୍କୁ ଅନ୍ତର୍ଜାତୀୟ ସଂଯୋଗ ଥିବା କୌଣସି ବେଆଇନ ବନ୍ୟଜୀବ ଚାଲାଣ ନେଟୱର୍କ ମାଧ୍ୟମରେ ଭାରତକୁ ଅଣାଯାଇଥିବା ନେଇ ସନ୍ଦେହ ବଢ଼ିଛି । ଫଳରେ ଓଡ଼ିଶାକୁ ବ୍ୟାପିଥିବା ଅନ୍ତର୍ଜାତୀୟ ବନ୍ୟଜୀବ ଚାଲାଣ ନେଟୱର୍କର ପର୍ଦ୍ଦାଫାସ ହେବା ଆଶା କରାଯାଉଛି ।
ତଦନ୍ତରେ ପଶ୍ଚିମବଙ୍ଗ ପୁଲିସ ମଧ୍ୟ ଓଡ଼ିଶା ଏସ୍ଟିଏଫକୁ ସହଯୋଗ କରୁଛି । ତେବେ ଓଡ଼ିଶା ଓ ପଶ୍ଚିମବଙ୍ଗ ମଧ୍ୟରେ ଓରାଂଉଟାନ ଗୁଡ଼ିକର ଗତିବିଧି ଚିହ୍ନଟ କରିବାରେ ତଦନ୍ତକାରୀମାନେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । କାରଣ ବାଲେଶ୍ୱର ଓ ଦୀଘା ଅଞ୍ଚଳରେ ଗାଡ଼ିର ନମ୍ବର ପ୍ଲେଟ ଚିହ୍ନଟ କରିବା ପାଇଁ ସ୍ୱୟଂଚାଳିତ ନମ୍ବର ପ୍ଲେଟ ରେକଗ୍ନିସନ୍ ବା ANPR କ୍ୟାମେରା ନାହିଁ ।
STF ପୂର୍ବରୁ ପାଇଥିବା ସିସିଟିଭି ଫୁଟେଜରେ ବାଲେଶ୍ୱର ଜଙ୍ଗଲ ନିକଟରେ ଏକ କଳା ଥାର୍ ଗାଡ଼ି ଯାଉଥିବା ଦେଖିଥିଲା । ତଦନ୍ତକାରୀମାନେ ସନ୍ଦେହ କରୁଛନ୍ତି, ଏହି ଗାଡ଼ିରେ ଓରାଂଉଟାନ ଗୁଡ଼ିକୁ ଓଡ଼ିଶାକୁ ଅଣାଯାଇ ଥାଇପାରେ । ପୁଲିସ ଦୀଘାର ଏକ ହୋଟେଲ ପର୍ଯ୍ୟନ୍ତ ଏହି ଥାର ଗାଡ଼ିକୁ ଟ୍ରାକ୍ କରିଛି । ତେବେ ଗାଡ଼ିରେ ଥିବା ବ୍ୟକ୍ତିମାନେ ଓରାଂଉଟାନ ଗୁଡ଼ିକୁ ବାଲେଶ୍ୱର ଜଙ୍ଗଲରେ ନେଇ ଛାଡ଼ିବା ଘଟଣାରେ ସମ୍ପୃକ୍ତ କି ନାହିଁ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

