ବର୍ଷା ପୂର୍ବରୁ ସେତୁ-କଲଭର୍ଟ ମରାମତି , ସରକାରଙ୍କ ବଡ଼ ନିର୍ଦ୍ଦେଶ

ଆସନ୍ତା ବର୍ଷା ଋତୁକୁ ଦୃଷ୍ଟିରେ ରଖି ଗ୍ରାମାଞ୍ଚଳର ଯାତାୟାତକୁ ସୁରକ୍ଷିତ ଓ ନିରବଚ୍ଛିନ୍ନ ରଖିବା ପାଇଁ ରାଜ୍ୟ ସରକାର ସେତୁ ଓ କଲଭର୍ଟର ମରାମତି କାର୍ଯ୍ୟକୁ ସର୍ବୋଚ୍ଚ ପ୍ରାଥମିକତା ଦେଇଛନ୍ତି । ଏନେଇ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ଜିଲ୍ଲାପାଳ ଏବଂ ସିଡିଓ-କମ୍-ଇଓଙ୍କୁ ଚିଠି ଲେଖାଯାଇଛି ।

ଆସନ୍ତା ବର୍ଷା ଋତୁକୁ ଦୃଷ୍ଟିରେ ରଖି ଗ୍ରାମାଞ୍ଚଳର ଯାତାୟାତକୁ ସୁରକ୍ଷିତ ଓ ନିରବଚ୍ଛିନ୍ନ ରଖିବା ପାଇଁ ରାଜ୍ୟ ସରକାର ସେତୁ ଓ କଲଭର୍ଟର ମରାମତି କାର୍ଯ୍ୟକୁ ସର୍ବୋଚ୍ଚ ପ୍ରାଥମିକତା ଦେଇଛନ୍ତି । ଏନେଇ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ଜିଲ୍ଲାପାଳ ଏବଂ ସିଡିଓ-କମ୍-ଇଓଙ୍କୁ ଚିଠି ଲେଖାଯାଇଛି । ଜିଲ୍ଲାରେ ଥିବା କ୍ଷତିଗ୍ରସ୍ତ ସେତୁ ଓ କଲଭର୍ଟଗୁଡ଼ିକର ସ୍ଥିତି ଆକଳନ କରି ଜିଲ୍ଲାଭିତ୍ତିକ ପ୍ରସ୍ତାବ ପଠାଇବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଚିଠିରେ ସ୍ପଷ୍ଟ କରାଯାଇଛି ଯେ, ଯେଉଁ ସେତୁ ଓ କଲଭର୍ଟଗୁଡ଼ିକ ମରାମତିର ଆବଶ୍ୟକତା ରହିଛି, ସେଗୁଡ଼ିକର ବିସ୍ତୃତ ତାଲିକା ଓ ବ୍ୟୟ ଅଟକଳ ସହିତ ପ୍ରସ୍ତାବ ପ୍ରସ୍ତୁତ କରି ୧୫ ଦିନ ମଧ୍ୟରେ ବିଭାଗକୁ ପଠାଇବାକୁ ହେବ ।

ପ୍ରତିବର୍ଷ ବର୍ଷା ସମୟରେ ଅନେକ ଗ୍ରାମାଞ୍ଚଳରେ ସେତୁ ଓ କଲଭର୍ଟ କ୍ଷତିଗ୍ରସ୍ତ ହେବାରୁ ଯାତାୟାତ ବାଧାପ୍ରାପ୍ତ ହେଉଥିବାବେଳେ ସାଧାରଣ ଲୋକ, ଛାତ୍ରଛାତ୍ରୀ, ଚାଷୀ ଓ ଜରୁରୀକାଳୀନ ସେବା ମଧ୍ୟ ପ୍ରଭାବିତ ହେଉଛି । ଏହି ସମସ୍ୟାକୁ ଆଗୁଆ ଦୃଷ୍ଟିରେ ରଖି ବର୍ଷା ଆସିବା ପୂର୍ବରୁ ଆବଶ୍ୟକ ମରାମତି କାମ ସମ୍ପୂର୍ଣ୍ଣ କରିବାକୁ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି । ସରକାରଙ୍କ ଏହି ପଦକ୍ଷେପ ଫଳରେ ବର୍ଷା ଋତୁରେ ଗ୍ରାମାଞ୍ଚଳର ସଡ଼କ ସଂଯୋଗ ସୁଦୃଢ଼ ହେବା ସହ ସାଧାରଣ ଲୋକଙ୍କ ଯାତାୟାତ ଅଧିକ ସୁରକ୍ଷିତ ଓ ସୁଗମ ହେବ ବୋଲି ଆଶା କରାଯାଉଛି ।

Leave a Reply

Your email address will not be published. Required fields are marked *