ଲଗାଣ ବର୍ଷାରେ ବେହାଲ ଦିଲ୍ଲୀ-ଏନସିଆର । ପ୍ରବଳ ବର୍ଷା ଯୋଗୁଁ ନୋଏଡା ସେକ୍ଟର-୧୬ ମେଟ୍ରୋ ଷ୍ଟେସନ ନିକଟରେ ଘଟିଛି ବଡ଼ ଅଘଟଣ । ହଠାତ୍ ପ୍ରାୟ ୫୦ ମିଟର ଲମ୍ବର ରୋଡ୍ ଡିଭାଇଡର ଭୁଶୁଡ଼ି ପଡ଼ିଥିବା ବେଳେ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି ।
ଲଗାଣ ବର୍ଷାରେ ବେହାଲ ଦିଲ୍ଲୀ-ଏନସିଆର । ପ୍ରବଳ ବର୍ଷା ଯୋଗୁଁ ନୋଏଡା ସେକ୍ଟର-୧୬ ମେଟ୍ରୋ ଷ୍ଟେସନ ନିକଟରେ ଘଟିଛି ବଡ଼ ଅଘଟଣ । ହଠାତ୍ ପ୍ରାୟ ୫୦ ମିଟର ଲମ୍ବର ରୋଡ୍ ଡିଭାଇଡର ଭୁଶୁଡ଼ି ପଡ଼ିଥିବା ବେଳେ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି । ଘଟଣା ପରେ ସେଠାରେ କିଛି ସମୟ ପାଇଁ ଆତଙ୍କ ଖେଳିଯାଇଥିଲା । ଉତ୍ତର ପ୍ରଦେଶର ନୋଏଡା ସେକ୍ଟର-୧୬ ମେଟ୍ରୋ ଷ୍ଟେସନ ତଳେ ଥିବା ରାସ୍ତାର ଡିଭାଇଡର ହଠାତ୍ ଭୁଶୁଡ଼ି ପଡ଼ିଛି। ଲଗାତାର ପ୍ରବଳ ବର୍ଷା ପରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ଡିଭାଇଡରର ପ୍ରାୟ ୫୦ ମିଟର ଅଂଶ ଏକାସାଙ୍ଗରେ ଭାଙ୍ଗି ପଡ଼ିବାରୁ ରାସ୍ତାରେ ଯାତାୟାତ ବ୍ୟବସ୍ଥା ପ୍ରଭାବିତ ହୋଇଥିଲା । ଘଟଣା ବେଳେ ସେହି ରାସ୍ତାରେ ଲୋକଙ୍କ ଯାତାୟାତ ଚାଲିଥିବାରୁ ଏକ ବଡ଼ ଦୁର୍ଘଟଣାର ଆଶଙ୍କା ସୃଷ୍ଟି ହୋଇଥିଲା ।
ଡିଭାଇଡର ଭୁଶୁଡ଼ି ପଡ଼ିବା ଘଟଣାରେ ଜଣେ ବ୍ୟକ୍ତି ଆହତ ହୋଇଥିବା ସୂଚନା ମିଳିଛି । ଖବର ପାଇବା ପରେ ପୁଲିସ, ନୋଏଡା ଅଥରିଟି ଓ ପ୍ରଶାସନିକ ଅଧିକାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିର ସମୀକ୍ଷା କରିଥିଲେ । ସୁରକ୍ଷା ଦୃଷ୍ଟିରୁ ସେହି ଅଞ୍ଚଳକୁ ବ୍ୟାରିକେଡ୍ କରାଯିବା ସହ ଭାଙ୍ଗି ପଡ଼ିଥିବା ଡିଭାଇଡର ହଟାଇବା କାମ ଆରମ୍ଭ କରାଯାଇଛି । ଏପଟେ ପ୍ରବଳ ବର୍ଷା ଯୋଗୁଁ ଦିଲ୍ଲୀ-ଏନସିଆରର ଅନେକ ସ୍ଥାନରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି । ଅନେକ ପ୍ରମୁଖ ରାସ୍ତାରେ ପାଣି ଜମିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି । ଭାରତୀୟ ପାଣିପାଗ ବିଭାଗ ଆଗାମୀ କିଛି ଘଣ୍ଟା ମଧ୍ୟରେ ଆହୁରି ପ୍ରବଳ ବର୍ଷାର ସତର୍କତା ଜାରି କରିଛି । ପ୍ରବଳ ବର୍ଷା ଯୋଗୁଁ ସହରର ଭିତ୍ତିଭୂମି ଓ ଡ୍ରେନେଜ୍ ବ୍ୟବସ୍ଥାକୁ ନେଇ ପୁଣିଥରେ ପ୍ରଶ୍ନ ଉଠିଛି । ଏହି ଘଟଣାର ପ୍ରକୃତ କାରଣ କଣ, ତାହାର ତଦନ୍ତ ଆରମ୍ଭ କରିଛନ୍ତି ସମ୍ପୃକ୍ତ କର୍ତ୍ତୃପକ୍ଷ । ଯେଉଁଠାରେ ଡିଭାଇଡର ଭୁଶୁଡ଼ି ପଡ଼ିଛି, ସେଠାରେ ମରାମତି କାମ ଜାରି ରହିଛି ।

