ପିଲାଙ୍କୁ ଚିକେନପକ୍ସ ହୋଇଛି କି? ଜାଣନ୍ତୁ କ’ଣ କରିବେ

ଆପଣଙ୍କ ଘରେ ଛୋଟ ପିଲା ଅଛନ୍ତି କି? ହଠାତ୍ ଜ୍ୱର ସହ ଦେହରେ ଲାଲ୍ ଲାଲ୍ ଦାଗ ଏବଂ ଫୋଟକା ଦେଖାଦେଉଛି କି? ତେବେ ଏହାକୁ ଅଣଦେଖା କରନ୍ତୁ ନାହିଁ । ଏହା ଚିକେନପକ୍ସ ବା ହାଡ଼ଫୁଟି ହୋଇପାରେ ।

 ଆପଣଙ୍କ ଘରେ ଛୋଟ ପିଲା ଅଛନ୍ତି କି? ହଠାତ୍ ଜ୍ୱର ସହ ଦେହରେ ଲାଲ୍ ଲାଲ୍ ଦାଗ ଏବଂ ଫୋଟକା ଦେଖାଦେଉଛି କି? ତେବେ ଏହାକୁ ଅଣଦେଖା କରନ୍ତୁ ନାହିଁ । ଏହା ଚିକେନପକ୍ସ ବା ହାଡ଼ଫୁଟି ହୋଇପାରେ । ଚିକେନପକ୍ସ ଏକ ଅତ୍ୟନ୍ତ ସଂକ୍ରାମକ ଭାଇରାଲ୍ ରୋଗ । Varicella-Zoster Virus ବା VZV ଦ୍ୱାରା ଏହି ସଂକ୍ରମଣ ହୋଇଥାଏ । ସାଧାରଣତଃ ପିଲାମାନଙ୍କଠାରେ ଏହା ଦେଖାଯାଏ । ଦେହରେ ଛୋଟ ଛୋଟ ଲାଲ୍ ଦାଗ ପରେ ଫୋଟକା ହୋଇଥାଏ ଏବଂ ଏଥିରେ ଭୀଷଣ କୁଣ୍ଡିଆ ହୋଇପାରେ ।

ତେବେ ପ୍ରଶ୍ନ ହେଉଛି—ଚିକେନପକ୍ସ ହେଲେ ପିଲାକୁ କିପରି ଯତ୍ନ ନେବେ? କେଉଁ ଔଷଧ ଦେବେ? ଏବଂ କେଉଁ ଲକ୍ଷଣ ଦେଖିଲେ ତୁରନ୍ତ ଡାକ୍ତରଙ୍କ ପାଖକୁ ଯିବେ?

ପ୍ରଥମେ ଜାଣିନିଅନ୍ତୁ ଏହାର ଲକ୍ଷଣ । ସଂକ୍ରମଣ ହେବାର ପ୍ରାୟ ୧୦ରୁ ୨୧ ଦିନ ପରେ ଲକ୍ଷଣ ଦେଖାଦେଇପାରେ । ଆରମ୍ଭରେ ଜ୍ୱର, ଥକାପଣ ଏବଂ ଭୋକ କମିଯିବା ଭଳି ସମସ୍ୟା ହୋଇପାରେ । ପରେ ଦେହରେ ଲାଲ୍ ଦାଗ ହୋଇ ସେଗୁଡ଼ିକ ଧୀରେ ଧୀରେ ଫୋଟକାରେ ପରିଣତ ହୁଏ । ସାଧାରଣତଃ ଚିକେନପକ୍ସ ୧ରୁ ୨ ସପ୍ତାହ ମଧ୍ୟରେ ଠିକ୍ ହୋଇଯାଏ । କିନ୍ତୁ ଏହାକୁ ହାଲୁକା ଭାବେ ନେବା ଠିକ୍ ନୁହେଁ। ପିଲାର ଜ୍ୱର କିମ୍ବା ଦେହରେ ଫୋଟକା ଦେଖାଦେଲେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।

ଏବେ ଜାଣନ୍ତୁ ପିଲାର ଯତ୍ନ କିପରି ନେବେ।

ପିଲାକୁ ପର୍ଯ୍ୟାପ୍ତ ବିଶ୍ରାମ ଓ ନିଦ ଦିଅନ୍ତୁ। ଅଧିକ ପାଣି ଏବଂ ତରଳ ପଦାର୍ଥ ପିଆନ୍ତୁ । ଫୋଟକାକୁ ଖୁଆଇବା ବା ଖଣ୍ଡିବାକୁ ଦିଅନ୍ତୁ ନାହିଁ । ଏଥିରେ ଚର୍ମରେ ଦାଗ ରହିଯିବା ସହ ସଂକ୍ରମଣର ଆଶଙ୍କା ମଧ୍ୟ ବଢ଼ିପାରେ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ଡାକ୍ତରଙ୍କ ପରାମର୍ଶ ବିନା କୌଣସି ଔଷଧ ଦିଅନ୍ତୁ ନାହିଁ । ବିଶେଷକରି ନିଜ ଇଚ୍ଛାରେ ଆଣ୍ଟିବାୟୋଟିକ୍ ଦେବା ଠିକ୍ ନୁହେଁ । ଚିକେନପକ୍ସ ଏକ ଭାଇରାଲ୍ ସଂକ୍ରମଣ ହୋଇଥିବାରୁ ଆଣ୍ଟିବାୟୋଟିକ୍ ସବୁବେଳେ ଆବଶ୍ୟକ ହୁଏନାହିଁ ।

ଖାଦ୍ୟ କଥା କହିଲେ, ପିଲାକୁ ହାଲୁକା ଏବଂ ସହଜରେ ହଜମ ହେଉଥିବା ଖାଦ୍ୟ ଦିଅନ୍ତୁ । ଖେଚୁଡ଼ି, ଡାଲି-ଭାତ, ଜାଉ, କ୍ଷୀର, ଦହି, କଦଳୀ, ପପୟା ଏବଂ ନଡ଼ିଆ ପାଣି ଦିଆଯାଇପାରେ । ଅତ୍ୟଧିକ ମସଲାଦାର, ଖଟା, ଭଜା ଏବଂ ବାହାର ଖାଦ୍ୟଠାରୁ ଦୂରେଇ ରଖନ୍ତୁ । ଆଉ ଏକ ବଡ଼ ସତର୍କତା ଚିକେନପକ୍ସ ବହୁତ ସହଜରେ ଅନ୍ୟମାନଙ୍କୁ ବ୍ୟାପିପାରେ । ଯେଉଁମାନଙ୍କୁ ପୂର୍ବରୁ ଚିକେନପକ୍ସ ହୋଇନାହିଁ କିମ୍ବା ଟିକା ନେଇନାହାନ୍ତି, ସେମାନଙ୍କଠାରେ ସଂକ୍ରମଣର ଆଶଙ୍କା ଅଧିକ । ତେଣୁ ଆକ୍ରାନ୍ତ ପିଲାକୁ ଅନ୍ୟମାନଙ୍କଠାରୁ ଅଲଗା ରଖିବା ଜରୁରୀ ।

ତେବେ ଚିକେନପକ୍ସରୁ ବଞ୍ଚିବା ପାଇଁ ଟିକା ଅଛି କି?

ହଁ, ଚିକେନପକ୍ସ ପାଇଁ ଭାରିସେଲା ଭ୍ୟାକ୍ସିନ୍ ଉପଲବ୍ଧ ଅଛି । ଭାରତରେ ଏହା ସରକାରଙ୍କ ନିୟମିତ ଜାତୀୟ ଟିକାକରଣ କାର୍ଯ୍ୟକ୍ରମର ଅଂଶ ନୁହେଁ । କିନ୍ତୁ ଡାକ୍ତରଙ୍କ ପରାମର୍ଶରେ ପିଲାଙ୍କୁ ଏହି ଟିକା ଦିଆଯାଇପାରେ । ଇଣ୍ଡିଆନ୍ ଆକାଡେମୀ ଅଫ୍ ପିଡିଆଟ୍ରିକ୍ସର ସୁପାରିଶ ଅନୁସାରେ ପିଲାଙ୍କୁ ସାଧାରଣତଃ ଦୁଇଟି ଡୋଜ୍ ଦିଆଯାଏ । ପ୍ରଥମ ଡୋଜ୍ ୧୨ରୁ ୧୫ ମାସ ମଧ୍ୟରେ ଏବଂ ଦ୍ୱିତୀୟ ଡୋଜ୍ ୪ରୁ ୬ ବର୍ଷ ମଧ୍ୟରେ ଦେବାକୁ ସୁପାରିଶ କରାଯାଏ । ତେବେ ପିଲାର ବୟସ ଓ ଟିକାକରଣ ଇତିହାସ ଅନୁସାରେ ଡାକ୍ତର ଠିକ୍ ସମୟ ନିର୍ଦ୍ଧାରଣ କରିବେ ।

ଟିକା ନେବା ପରେ ମଧ୍ୟ କେତେକ କ୍ଷେତ୍ରରେ ଚିକେନପକ୍ସ ହୋଇପାରେ । ଏହାକୁ breakthrough infection କୁହାଯାଏ । କିନ୍ତୁ ଏପରି ସଂକ୍ରମଣ ସାଧାରଣତଃ ହାଲୁକା ହୋଇଥାଏ ଏବଂ ଫୋଟକା ସଂଖ୍ୟା ମଧ୍ୟ କମ୍ ରହିପାରେ । ଶେଷରେ ସବୁଠାରୁ ଜରୁରୀ କଥା ଚିକେନପକ୍ସ ସାଧାରଣତଃ ଗମ୍ଭୀର ହୁଏନାହିଁ, କିନ୍ତୁ କିଛି କ୍ଷେତ୍ରରେ ଜଟିଳତା ହୋଇପାରେ।  ପିଲାର ଅବସ୍ଥା ହଠାତ୍ ଖରାପ ହେଲେ, ଅଧିକ ଜ୍ୱର ରହିଲେ, ଶ୍ୱାସକଷ୍ଟ, ଅତ୍ୟଧିକ ଦୁର୍ବଳତା, ଅସ୍ୱାଭାବିକ ଘୁମ୍ ଭଳି ଲକ୍ଷଣ ଦେଖାଦେଲେ କିମ୍ବା ଫୋଟକାରେ ସଂକ୍ରମଣର ଲକ୍ଷଣ ଦେଖାଗଲେ ତୁରନ୍ତ ଡାକ୍ତରଙ୍କ ସହ ଯୋଗାଯୋଗ କରନ୍ତୁ ।

Leave a Reply

Your email address will not be published. Required fields are marked *