ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ, ସମସ୍ତ ଶାବକ ସ୍ୱାଭାବିକ ଭାବେ ଖାଦ୍ୟ ଗ୍ରହଣ କରୁଛନ୍ତି ଏବଂ ସେମାନଙ୍କ ସକ୍ରିୟତାରେ ସୁଧାର ଆସିଛି । ନିକଟରେ ବାଲେଶ୍ୱରର ବିଚିତ୍ରପୁର ଜଙ୍ଗଲରୁ ଉଦ୍ଧାର କରାଯାଇଥିବା ଏହି ଶାବକମାନଙ୍କୁ ସେପ୍ଟେମ୍ବର ୮ ତାରିଖରୁ ନନ୍ଦନକାନନର ସ୍ୱତନ୍ତ୍ର କ୍ୱାରେଣ୍ଟାଇନ ଏନକ୍ଲୋଜରରେ ରଖାଯାଇଛି ।
ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ କ୍ୱାରେଣ୍ଟାଇନରେ ରହୁଥିବା ୫ଟି ଓରାଙ୍ଗଉଟାନ୍ ଶାବକଙ୍କ ସ୍ୱାସ୍ଥ୍ୟାବସ୍ଥା ସନ୍ତୋଷଜନକ ଓ ସ୍ଥିର ରହିଛି । ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ, ସମସ୍ତ ଶାବକ ସ୍ୱାଭାବିକ ଭାବେ ଖାଦ୍ୟ ଗ୍ରହଣ କରୁଛନ୍ତି ଏବଂ ସେମାନଙ୍କ ସକ୍ରିୟତାରେ ସୁଧାର ଆସିଛି । ନିକଟରେ ବାଲେଶ୍ୱରର ବିଚିତ୍ରପୁର ଜଙ୍ଗଲରୁ ଉଦ୍ଧାର କରାଯାଇଥିବା ଏହି ଶାବକମାନଙ୍କୁ ସେପ୍ଟେମ୍ବର ୮ ତାରିଖରୁ ନନ୍ଦନକାନନର ସ୍ୱତନ୍ତ୍ର କ୍ୱାରେଣ୍ଟାଇନ ଏନକ୍ଲୋଜରରେ ରଖାଯାଇଛି । ଶାବକମାନଙ୍କ ସ୍ୱାସ୍ଥ୍ୟର ତଦାରଖ ପାଇଁ ରାଜ୍ୟ ସରକାର ଏକ ୫ ଜଣିଆ ବୈଷୟିକ କମିଟି ଗଠନ କରିଛନ୍ତି ।
ଏହା ସହିତ ପଶୁ ଚିକିତ୍ସକ ଏବଂ ତାଲିମପ୍ରାପ୍ତ କର୍ମଚାରୀଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ୍ ୨୪ ଘଣ୍ଟା ସେମାନଙ୍କ ଦୈନନ୍ଦିନ ଗତିବିଧି, ଖାଦ୍ୟପେୟ ଓ ସ୍ୱାସ୍ଥ୍ୟ ସ୍ଥିତି ଉପରେ କଡ଼ା ନଜର ରଖିଛନ୍ତି । ଖାଦ୍ୟ ତାଲିକା ଅନୁଯାୟୀ ସେମାନଙ୍କୁ ପ୍ରତି ଦୁଇ ଘଣ୍ଟାରେ କ୍ଷୀର, ସେଓ ଓ କଦଳୀର ଜୁସ୍, ଏବଂ ସିଝା ଆଳୁ ଦିଆଯାଉଛି । ଶାବକମାନଙ୍କୁ ମାନସିକ ଚାପମୁକ୍ତ ରଖିବା ପାଇଁ ସେମାନଙ୍କ କୋଠରୀରେ ସଫ୍ଟ ଟଏ , ଦୋଳି ଏବଂ ସଙ୍ଗୀତର ବ୍ୟବସ୍ଥା କରାଯାଇଛି । ସୂଚନାଯୋଗ୍ୟ, ଜଣେ ଶାବକଠାରେ ଆଂଶିକ ଜ୍ୱର ଦେଖାଦେଇଥିଲେ ମଧ୍ୟ ଚିକିତ୍ସା ପରେ ସେ ସ୍ଥିର ରହିଛି। ବାତାବରଣ ପରିବର୍ତ୍ତନ ଓ ଯାତ୍ରାଜନିତ କ୍ଲାନ୍ତି ଯୋଗୁଁ ଏପରି ହୋଇଥାଇପାରେ ବୋଲି ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି । ଆଗାମୀ ଦିନରେ ମଧ୍ୟ ସେମାନଙ୍କୁ ସମ୍ପୂର୍ଣ୍ଣ ଚିକିତ୍ସା ନିରୀକ୍ଷଣରେ ରଖାଯିବ ।

