ଦେଶରେ ବର୍ଷା ବିତ୍ପାତ ; ୧୬ ରାଜ୍ୟକୁ IMDର ହାଇ ଆଲର୍ଟ

ବଙ୍ଗୋପସାଗରରେ ସୃଷ୍ଟି ଅବପାତ ଯୋଗୁଁ ମୌସୁମୀ ବାୟୁ ପୁଣି ଥରେ ସକ୍ରିୟ , ଦେଶର ପାଣିପାଗ ସମ୍ପୂର୍ଣ୍ଣ ବଦଳି ଯାଇଛି । ଆଇଏମ୍‌ଡି ଆଗାମୀ ୨୪ ଘଣ୍ଟା ପାଇଁ ଏହିସବୁ ଜିଲ୍ଲାକୁ ସତର୍କ ଜାରି କରି କରିଛି ।

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ପ୍ରଭାବରେ ଏବେ ଦେଶର ବିଭିନ୍ନ ପ୍ରାନ୍ତରେ ମୌସୁମୀ ବର୍ଷା ଜାରି ରହିଛି । ଭାରତୀୟ ପାଣିପାଗ ବିଭାଗ (IMD) ଆଗାମୀ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା, ଉତ୍ତର ପ୍ରଦେଶ, ବିହାର, ଦିଲ୍ଲୀ-ଏନସିଆର ଏବଂ ରାଜସ୍ଥାନ ସମେତ ୧୬ଟି ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରିଛି । ରାଜସ୍ଥାନରେ ରବିବାର ଠାରୁ ପ୍ରବଳ ବର୍ଷା ହେଉଥିବା ବେଳେ ସୋମବାର ମଧ୍ୟ ଏହି ସ୍ଥିତି ଜାରି ରହିବାର ସମ୍ଭାବନା ରହିଛି । ସେହିପରି ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ ଓ ଜମ୍ମୁ-କାଶ୍ମୀର ଭଳି ପାର୍ବତ୍ୟ ରାଜ୍ୟଗୁଡ଼ିକରେ ମୂଷଳଧାରାରେ ବର୍ଷା ହେଉଥିବାରୁ ଭୂସ୍ଖଳନର ଆଶଙ୍କା ଦେଖାଦେଇଛି। ଏହାକୁ ଦୃଷ୍ଟିରେ ରଖି ପର୍ଯ୍ୟଟକ ଓ ସ୍ଥାନୀୟ ବାସିନ୍ଦାଙ୍କୁ ସତର୍କ ରହିବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି। ପାଣିପାଗ ବିଭାଗର ତାଜା ଅପଡେଟ୍ ଅନୁଯାୟୀ, ଗତ ଏକ ସପ୍ତାହ ମଧ୍ୟରେ ହୋଇଥିବା ଭଲ ବର୍ଷା ଯୋଗୁଁ ମୌସୁମୀର କୋଟା ଶୀଘ୍ର ପୂରଣ ହେଉଛି। ଦିଲ୍ଲୀରେ ମାତ୍ର ୮ ଦିନ ମଧ୍ୟରେ ଗୋଟିଏ ମାସର ବର୍ଷା ରେକର୍ଡ କରାଯାଇଥିବା ବେଳେ ଅନ୍ୟ ଉତ୍ତର-ପଶ୍ଚିମ ରାଜ୍ୟଗୁଡ଼ିକରେ ମଧ୍ୟ ଅଗଷ୍ଟ ପ୍ରଥମ ସପ୍ତାହରେ ପ୍ରବଳ ବର୍ଷା ହୋଇଛି ।

ବଙ୍ଗୋପସାଗରରେ ସୃଷ୍ଟି ଅବପାତ ଯୋଗୁଁ ମୌସୁମୀ ବାୟୁ ପୁଣି ଥରେ ସକ୍ରିୟ ହୋଇଛି, ଯାହା ଫଳରେ ଦେଶର ପାଣିପାଗ ସମ୍ପୂର୍ଣ୍ଣ ବଦଳି ଯାଇଛି। ଉତ୍ତର ଭାରତରୁ ଆରମ୍ଭ କରି ମଧ୍ୟ ଓ ପୂର୍ବ ଭାରତ ପର୍ଯ୍ୟନ୍ତ ୧୬ଟି ରାଜ୍ୟ ପାଇଁ ହାଇ ଆଲର୍ଟ ଜାରି କରାଯାଇଛି। ପାର୍ବତ୍ୟ ଅଞ୍ଚଳରେ ଲଗାତାର ବର୍ଷା ଯୋଗୁଁ ନଦୀ ଓ ନାଳର ଜଳସ୍ତର ଦ୍ରୁତ ଗତିରେ ବୃଦ୍ଧି ପାଉଛି। ବିଶେଷ କରି ଓଡ଼ିଶା, ଉତ୍ତର ପ୍ରଦେଶ, ବିହାର, ଦିଲ୍ଲୀ, ହରିୟାଣା, ରାଜସ୍ଥାନ, ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ, ଜମ୍ମୁ-କାଶ୍ମୀର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶ, ଛତିଶଗଡ଼, ଗୁଜରାଟ, ମହାରାଷ୍ଟ୍ର ଏବଂ କେରଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ପାଣିପାଗ ବିଭାଗ ଲୋକମାନଙ୍କୁ ବାହାରକୁ ବାହାରିବା ସମୟରେ ଏବଂ ଯାତ୍ରା କଲାବେଳେ ବିଶେଷ ସାବଧାନତା ଅବଲମ୍ବନ କରିବାକୁ ଅପିଲ୍‌ କରିଛି ।

ଉତ୍ତର ପ୍ରଦେଶରେ ମୌସୁମୀ ଏବେ ବେଶ ସକ୍ରିୟ ମୋଡରେ ରହିଛି। ଗତ ଏକ ସପ୍ତାହର ବର୍ଷା ଯୋଗୁଁ ନଦୀଗୁଡ଼ିକ ଫୁଲିବାରେ ଲାଗିଛି, ଫଳରେ ଅନେକ ଜିଲ୍ଲାରେ ହାଇ ଆଲର୍ଟ ଜାରି ହୋଇଛି। ପ୍ରୟାଗରାଜ, କାନପୁର, ଗାଜିପୁର, ମେରଠ, ନୋଏଡ଼ା, ମଥୁରା, ଆଗ୍ରା ଏବଂ ଝାନ୍ସୀ ଭଳି ପ୍ରମୁଖ ସହରରେ ଭଲ ବର୍ଷା ହେବାର ଅନୁମାନ କରାଯାଇଛି। ସେହିପରି ମଧ୍ୟପ୍ରଦେଶରେ ପ୍ରବଳ ବର୍ଷା ଯୋଗୁଁ ନର୍ମଦା ଓ ବେତୱା ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ରହିଛି। ରାଜସ୍ଥାନର ଜୟପୁର, ଆଲୱାର ଓ ଭରତପୁର ସମେତ ୧୯ଟି ଜିଲ୍ଲାରେ ଭାରି ବର୍ଷା ପାଇଁ ସତର୍କତା ଜାରି କରାଯାଇଛି। ବିହାରର ଗୟା, ପୂର୍ବ ଓ ପଶ୍ଚିମ ଚମ୍ପାରଣ, ରୋହତାସ, ମୁଜାଫରପୁର ଏବଂ ପୂର୍ଣ୍ଣିଆ ଭଳି ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ସହିତ ବଜ୍ରପାତର ଆଶଙ୍କା ଥିବାରୁ ସେଠାକାର ବାସିନ୍ଦାଙ୍କୁ ସୁରକ୍ଷିତ ରହିବାକୁ କୁହାଯାଇଛି ।

ଅଗଷ୍ଟ ଦ୍ୱିତୀୟ ସପ୍ତାହ ଅର୍ଥାତ ୧୩ ତାରିଖ ପର୍ଯ୍ୟନ୍ତ ସାରା ଦେଶରେ ମୌସୁମୀ ପ୍ରଭାବଶାଳୀ ରହିବ। ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ ଓ ଜମ୍ମୁ-କାଶ୍ମୀରରେ ଅଗଷ୍ଟ ୧୧ ପର୍ଯ୍ୟନ୍ତ ଏବଂ ଉତ୍ତର ପ୍ରଦେଶ, ବିହାର, ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ଅଗଷ୍ଟ ୧୨ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ। ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ଆସାମ, ଗୁଜରାଟ ଏବଂ ମହାରାଷ୍ଟ୍ରରେ ମଧ୍ୟ ଆସନ୍ତା ଦୁଇ-ତିନି ଦିନ ପର୍ଯ୍ୟନ୍ତ ଆଲର୍ଟ ଜାରି କରାଯାଇଛି। ଦକ୍ଷିଣ ଭାରତର କର୍ଣ୍ଣାଟକ, ତେଲେଙ୍ଗାନା, କେରଳ ଓ ତାମିଲନାଡୁରେ ମଧ୍ୟ ମୌସୁମୀ ସକ୍ରିୟ ରହିବା ଫଳରେ ପ୍ରବଳ ବର୍ଷା ହୋଇପାରେ। ପାର୍ବତ୍ୟ ଅଞ୍ଚଳରେ ବାଗେଶ୍ୱର, ନୈନିତାଲ, ଶିମଲା ଏବଂ କୁଲୁ-ମନାଲି ଭଳି ପର୍ଯ୍ୟଟନ ସ୍ଥଳୀରେ ଭୂସ୍ଖଳନ ହେବାର ଯଥେଷ୍ଟ ସମ୍ଭାବନା ଥିବାରୁ ଯାତ୍ରୀମାନେ ନିଜର ଯାତ୍ରା ଯୋଜନାକୁ ପାଣିପାଗ ଅନୁଯାୟୀ କରିବାକୁ ପରାମର୍ଶ ଦିଆଯାଇଛି ।

Leave a Reply

Your email address will not be published. Required fields are marked *