‘ଡ୍ରେସ୍ କୋଡ୍ ସମସ୍ତଙ୍କ ପାଇଁ ସମାନ’! ହିଜାବ ମାମଲାରେ କୋର୍ଟଙ୍କ ରାୟ

ସ୍କୁଲ୍ ୟୁନିଫର୍ମ ସହ ହିଜାବ ପିନ୍ଧିବାକୁ ନେଇ ଆସିଥିବା ମାମଲାରେ ବଡ଼ ରାୟ ଶୁଣାଇଛନ୍ତି ଆଲ୍ଲାହାବାଦ ହାଇକୋର୍ଟ । ଉତ୍ତରପ୍ରଦେଶର ଜଣେ ମୁସଲିମ୍ ଛାତ୍ରୀଙ୍କ ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି ।

ସ୍କୁଲ୍ ୟୁନିଫର୍ମ ସହ ହିଜାବ ପିନ୍ଧିବାକୁ ନେଇ ଆସିଥିବା ମାମଲାରେ ବଡ଼ ରାୟ ଶୁଣାଇଛନ୍ତି ଆଲ୍ଲାହାବାଦ ହାଇକୋର୍ଟ । ଉତ୍ତରପ୍ରଦେଶର ଜଣେ ମୁସଲିମ୍ ଛାତ୍ରୀଙ୍କ ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି । ଛାତ୍ରୀଜଣକ ପ୍ରୟାଗରାଜର ଏକ ସ୍କୁଲର ଏକାଦଶ ଶ୍ରେଣୀରେ ପଢ଼ୁଛନ୍ତି । ସ୍କୁଲ୍ ୟୁନିଫର୍ମ ସହ ହିଜାବ ବା ମୁଣ୍ଡରେ ସ୍କାର୍ଫ ପିନ୍ଧିବାକୁ ଅନୁମତି ଦେବା ପାଇଁ ସେ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ ।

ଛାତ୍ରୀଙ୍କ ଯୁକ୍ତି ଥିଲା, ଇସଲାମ ଧର୍ମର ଅଂଶ ଭାବେ ସେ ହିଜାବ ପିନ୍ଧୁଛନ୍ତି। ସେ ଷଷ୍ଠ ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ମଧ୍ୟ ହିଜାବ ପିନ୍ଧି ସ୍କୁଲ ଯାଉଥିଲେ ଏବଂ ସେତେବେଳେ ସ୍କୁଲ ପକ୍ଷରୁ କୌଣସି ଆପତ୍ତି କରାଯାଇନଥିଲା ବୋଲି ସେ କହିଥିଲେ । କିନ୍ତୁ ମାମଲାର ଶୁଣାଣି ସମୟରେ ଆଲ୍ଲାହାବାଦ ହାଇକୋର୍ଟ କହିଛନ୍ତି, କେବଳ ଧାର୍ମିକ ପ୍ରଥା ବୋଲି ଦାବି କରିଦେଲେ ତାହାକୁ ଆଇନଗତ ସୁରକ୍ଷା ମିଳିପାରିବ ନାହିଁ । କୋର୍ଟଙ୍କ ମତରେ, ଇସଲାମ ଧର୍ମରେ ହିଜାବ ବା ମୁଣ୍ଡ ଢାଙ୍କିବା ଏକ ଅନିବାର୍ଯ୍ୟ ଧାର୍ମିକ ପ୍ରଥା ବୋଲି ପ୍ରମାଣ କରିବା ପାଇଁ ଯଥେଷ୍ଟ ଧାର୍ମିକ କିମ୍ବା ଆଇନଗତ ଆଧାର କୋର୍ଟଙ୍କ ସମ୍ମୁଖରେ ରଖାଯାଇନଥିଲା ।

ୟୁନିଫର୍ମକୁ ନେଇ କୋର୍ଟ କ’ଣ କହିଲେ?

ହାଇକୋର୍ଟ ସ୍କୁଲର ନିର୍ଦ୍ଧାରିତ ୟୁନିଫର୍ମ ନୀତିକୁ ମଧ୍ୟ ଗୁରୁତ୍ୱ ଦେଇଛନ୍ତି । କୋର୍ଟ କହିଛନ୍ତି, ଯଦି ଏକ ଶିକ୍ଷାନୁଷ୍ଠାନର ଡ୍ରେସ୍ କୋଡ୍ ସମସ୍ତଙ୍କ ପାଇଁ ସମାନ, ଭେଦଭାବମୁକ୍ତ ଏବଂ ଶୃଙ୍ଖଳା ଓ ଅନୁଷ୍ଠାନର ପରିଚୟ ବଜାୟ ରଖିବା ପାଇଁ ଉଦ୍ଦିଷ୍ଟ, ତେବେ ବ୍ୟକ୍ତିଗତ ପସନ୍ଦ ଆଧାରରେ ଏଥିରେ ପରିବର୍ତ୍ତନ ଦାବି କରାଯାଇପାରିବ ନାହିଁ ।

ଛାତ୍ରୀ ପୂର୍ବରୁ ହିଜାବ ପିନ୍ଧି ସ୍କୁଲ ଯାଉଥିବା ଯୁକ୍ତି ମଧ୍ୟ ରଖିଥିଲେ । କିନ୍ତୁ କୋର୍ଟ କହିଛନ୍ତି, ପୂର୍ବରୁ ସ୍କୁଲ ଏହାକୁ ଅନୁମତି ଦେଇଥିଲା ବୋଲି ଭବିଷ୍ୟତରେ ମଧ୍ୟ ହିଜାବ ପିନ୍ଧିବାର କୌଣସି ଆଇନଗତ ଅଧିକାର ସୃଷ୍ଟି ହୁଏ ନାହିଁ । ଏହି ମାମଲାରେ ଜଷ୍ଟିସ୍ ଜେ.ଜେ. ମୁନୀର ଏବଂ ଜଷ୍ଟିସ୍ ଇନ୍ଦ୍ରଜିତ ଶୁକ୍ଳାଙ୍କ ଡିଭିଜନ୍ ବେଞ୍ଚ ଶୁଣାଣି କରିଥିଲେ ।
କୋର୍ଟ ପୂର୍ବରୁ ଏହି ପ୍ରସଙ୍ଗରେ ଆସିଥିବା ବିଭିନ୍ନ ହାଇକୋର୍ଟଙ୍କ ରାୟକୁ ମଧ୍ୟ ବିଚାରକୁ ନେଇଛନ୍ତି । କର୍ଣ୍ଣାଟକ ହାଇକୋର୍ଟର ପୂର୍ବ ରାୟର ଉଦାହରଣ ଦେଇ ଆଲ୍ଲାହାବାଦ ହାଇକୋର୍ଟ କହିଛନ୍ତି ଯେ, ଏହି ମାମଲାରେ ଭିନ୍ନ ମତ ନେବାର କୌଣସି କାରଣ ନାହିଁ । ଶେଷରେ ଛାତ୍ରୀଙ୍କ ଆବେଦନକୁ ଖାରଜ କରି ହାଇକୋର୍ଟ ସ୍କୁଲକୁ ତା’ର ନିର୍ଦ୍ଧାରିତ ୟୁନିଫର୍ମ ନୀତି ଲାଗୁ କରିବାକୁ ଅନୁମତି ଦେଇଛନ୍ତି । ଅର୍ଥାତ୍, ସ୍କୁଲର ଡ୍ରେସ୍ କୋଡ୍ ଏବଂ ଧାର୍ମିକ ସ୍ୱାଧୀନତା ଏହି ଦୁଇଟି ପ୍ରସଙ୍ଗ ମଧ୍ୟରେ ସମନ୍ୱୟକୁ ନେଇ ଆସିଥିବା ଏହି ରାୟ ଏବେ ଚର୍ଚ୍ଚାରେ ।

Leave a Reply

Your email address will not be published. Required fields are marked *