ଭୁବନେଶ୍ୱର ଝାରପଡ଼ା ସ୍ୱତନ୍ତ୍ର କାରାଗାରରେ ପୁଣି ଜଣେ କଏଦୀ ଏଚଆଇଭି ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହା ସହ ଜେଲରେ ଏଚଆଇଭି ସଂକ୍ରମିତ କଏଦୀଙ୍କ ସଂଖ୍ୟା ୯ରେ ପହଞ୍ଚିଛି ।
ଭୁବନେଶ୍ୱର ଝାରପଡ଼ା ସ୍ୱତନ୍ତ୍ର କାରାଗାରରେ ପୁଣି ଜଣେ କଏଦୀ ଏଚଆଇଭି ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହା ସହ ଜେଲରେ ଏଚଆଇଭି ସଂକ୍ରମିତ କଏଦୀଙ୍କ ସଂଖ୍ୟା ୯ରେ ପହଞ୍ଚିଛି । ସୂଚନା ଅନୁସାରେ, ଗତକାଲି ଖଣ୍ଡଗିରି ଥାନା ପୁଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ପରେ ତାଙ୍କୁ ଝାରପଡ଼ା ଜେଲକୁ ପଠାଯାଇଥିଲା । ଜେଲରେ ପ୍ରବେଶ ପୂର୍ବରୁ ନିୟମ ଅନୁଯାୟୀ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ଓ ଆବଶ୍ୟକ ମେଡିକାଲ ସ୍କ୍ରିନିଂ କରାଯାଇଥିଲା ।
ଏହି ସ୍କ୍ରିନିଂ ସମୟରେ ସମ୍ପୃକ୍ତ କଏଦୀଙ୍କ ଏଚଆଇଭି ଟେଷ୍ଟ ପଜିଟିଭ୍ ଆସିଥିବା ସୂଚନା ମିଳିଛି । ଏହା ପୂର୍ବରୁ ଝାରପଡ଼ା ଜେଲରେ ୮ ଜଣ କଏଦୀ ଏଚଆଇଭି ପଜିଟିଭ୍ ଥିବା ଜଣାପଡ଼ିଥିଲା । ନୂଆ ମାମଲା ଚିହ୍ନଟ ହେବା ପରେ ଏବେ ଏହି ସଂଖ୍ୟା ୯କୁ ବୃଦ୍ଧି ପାଇଛି । ଜେଲ କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ, ଏଚଆଇଭି ପଜିଟିଭ୍ ଚିହ୍ନଟ ହୋଇଥିବା କଏଦୀଙ୍କ ପାଇଁ ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶାବଳୀ ଅନୁସାରେ ଆବଶ୍ୟକ ଚିକିତ୍ସା, ପରାମର୍ଶ ଓ ନିୟମିତ ସ୍ୱାସ୍ଥ୍ୟ ନିରୀକ୍ଷଣର ବ୍ୟବସ୍ଥା କରାଯାଉଛି । ସେହିପରି ଜେଲ ଭିତରେ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ଓ ସଚେତନତା କାର୍ଯ୍ୟକ୍ରମ ମଧ୍ୟ ଜାରି ରହିଛି ।

