ଟେକ୍ନୋଲୋଜି କେବଳ ସୁବିଧା ନୁହେଁ, ବେଳେବେଳେ ଜୀବନ ବଞ୍ଚାଇବାର ମାଧ୍ୟମ ମଧ୍ୟ ହୋଇପାରେ । ଆମେରିକାର ଓହାୟୋରେ ଘଟିଥିବା ଏକ ଘଟଣା ଏହାର ଉଦାହରଣ । ଜଣେ ବ୍ୟକ୍ତିଙ୍କ ଜୀବନ ବଞ୍ଚାଇବାରେ ତାଙ୍କ ହାତରେ ଥିବା ଆପଲ୍ ୱାଚ୍ର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ।
ଟେକ୍ନୋଲୋଜି କେବଳ ସୁବିଧା ନୁହେଁ, ବେଳେବେଳେ ଜୀବନ ବଞ୍ଚାଇବାର ମାଧ୍ୟମ ମଧ୍ୟ ହୋଇପାରେ । ଆମେରିକାର ଓହାୟୋରେ ଘଟିଥିବା ଏକ ଘଟଣା ଏହାର ଉଦାହରଣ । ଜଣେ ବ୍ୟକ୍ତିଙ୍କ ଜୀବନ ବଞ୍ଚାଇବାରେ ତାଙ୍କ ହାତରେ ଥିବା ଆପଲ୍ ୱାଚ୍ର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ମହମ୍ମଦ ଇସଲାମ ନାମକ ଏହି ବ୍ୟକ୍ତି ଅସୁସ୍ଥ ଅନୁଭବ କରିବା ପରେ କାମରୁ ଛୁଟି ନେଇ ଘରେ ଥିଲେ । ଦିନେ ଘର ବାହାରେ ଅଳିଆ ଫିଙ୍ଗିବାକୁ ଯାଇଥିବା ବେଳେ ହଠାତ୍ ସେ ତଳେ ପଡ଼ି ଅଚେତ ହୋଇଯାଇଥିଲେ । ସେହି ସମୟରେ ଘରେ ସେ ଏକା ଥିଲେ । ଇସଲାମଙ୍କ କହିବା ଅନୁସାରେ, ସେହି ଦିନ ତାଙ୍କୁ ଶ୍ୱାସକଷ୍ଟ, କାନ ନିକଟରେ ଯନ୍ତ୍ରଣା ଓ ଚାଲିବାରେ ସମସ୍ୟା ହେଉଥିଲା । ତଳେ ପଡ଼ିବା ପରେ କେତେ ସମୟ ପର୍ଯ୍ୟନ୍ତ ସେ ଅଚେତ ଥିଲେ ତାହା ମଧ୍ୟ ଜାଣିନଥିଲେ । ଚେତା ଫେରିବା ପରେ ଉଠିବାକୁ ଚେଷ୍ଟା କରିଥିଲେ, କିନ୍ତୁ ଶରୀର ସାଥ୍ ଦେଇନଥିଲା ।
ଏହି ସମୟରେ ତାଙ୍କ ଆପଲ୍ ୱାଚ୍ର ଫଲ୍ ଡିଟେକ୍ସନ୍ ଫିଚର୍ ସକ୍ରିୟ ହୋଇ ଜରୁରୀ ସେବାକୁ ଆପେ ଆପେ କଲ୍ କରିଥିଲା। କିଛି ସମୟ ପରେ ଆମ୍ବୁଲାନ୍ସ ପହଞ୍ଚିଥିଲା ଏବଂ ତାଙ୍କୁ ହସ୍ପିଟାଲ୍ ନିଆଯାଇଥିଲା । ପରୀକ୍ଷା ପରେ ଡାକ୍ତର ଜାଣିଥିଲେ ଯେ ତାଙ୍କ ଫୁସଫୁସରେ ରକ୍ତ ଜମାଟ ହୋଇଥିଲା । ଆପଲ୍ ୱାଚ୍ର ଫଲ୍ ଡିଟେକ୍ସନ୍ ଫିଚର୍ ହଠାତ୍ ଭୟଙ୍କର ଭାବେ ପଡ଼ିଯିବାକୁ ଚିହ୍ନଟ କରେ । ବ୍ୟକ୍ତି ଏକ ମିନିଟ୍ ପର୍ଯ୍ୟନ୍ତ ନ ହଲେ, ୱାଚ୍ ଆଲର୍ଟ ଦେଇ ୩୦ ସେକେଣ୍ଡ ପରେ ଆପେ ଆପେ ଜରୁରୀ ସେବାକୁ କଲ୍ କରେ । ଏହା ସହ ଲୋକେସନ୍ ଓ ଆପତ୍କାଳୀନ ସମ୍ପର୍କଙ୍କୁ ସୂଚନା ପଠାଇଥାଏ। ଏହି ଘଟଣା ପୁଣିଥରେ ଦେଖାଇଦେଇଛି ଯେ ସ୍ମାର୍ଟ ଡିଭାଇସ୍ କେବଳ ଗ୍ୟାଜେଟ୍ ନୁହେଁ, ଆବଶ୍ୟକ ସମୟରେ ଜୀବନ ରକ୍ଷାକାରୀ ସାଥୀ ମଧ୍ୟ ହୋଇପାରେ ।

