”ଲେଡି ହାର୍ଡିଂ ମେଡିକାଲ କଲେଜ”ର ଅପରେସନ ରିପୋର୍ଟ ଅନୁଯାୟୀ, ଗତ ଜୁଲାଇ ୨୧ ତାରିଖରେ ଜେନେରାଲ ଆନେସ୍ଥେସିଆ ଦେଇ ଅସ୍ତ୍ରୋପଚାର କରାଯିବା ପରେ ମନସୁରୀଙ୍କ ଶରୀରର ବିଭିନ୍ନ ଅଂଶରୁ ଏକାଧିକ ଧାତବ ବସ୍ତୁ ବାହାର କରାଯାଇଛି ।

ଜନ୍ତର ମନ୍ତରଠାରେ ଗତ ଜୁଲାଇ ୨୦ ତାରିଖରେ ହୋଇଥିବା ଛାତ୍ର ଆନ୍ଦୋଳନ ସମୟରେ ପୁଲିସ ପେଲେଟ୍ ଗନ୍ ବ୍ୟବହାର କରିଥିବା ନେଇ ସୁପ୍ରିମ୍ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ୨୫ ବର୍ଷୀୟ ଶେଖ୍ ଇରସାଦ୍ ମନସୁରୀଙ୍କ ଡାକ୍ତରୀ ମେଡିକୋ-ଲିଗାଲ୍ ରିପୋର୍ଟ ସାମ୍ନାକୁ ଆସିଛି । ”ଲେଡି ହାର୍ଡିଂ ମେଡିକାଲ କଲେଜ”ର ଅପରେସନ ରିପୋର୍ଟ ଅନୁଯାୟୀ, ଗତ ଜୁଲାଇ ୨୧ ତାରିଖରେ ଜେନେରାଲ ଆନେସ୍ଥେସିଆ ଦେଇ ଅସ୍ତ୍ରୋପଚାର କରାଯିବା ପରେ ମନସୁରୀଙ୍କ ଶରୀରର ବିଭିନ୍ନ ଅଂଶରୁ ଏକାଧିକ ଧାତବ ବସ୍ତୁ ବାହାର କରାଯାଇଛି ।
ଡାକ୍ତରୀ ରିପୋର୍ଟ ଅନୁଯାୟୀ, ମନସୁରୀଙ୍କ ମୁଣ୍ଡ, ବେକ, କାନ୍ଧ, ଓଠ ଓ ବାମ ଆଖିର ବିଭିନ୍ନ ଭାଗରୁ ପ୍ରାୟ ୨ ରୁ ୩ ମିଲିମିଟର ଆକାରର ଧାତବ ଖଣ୍ଡଗୁଡ଼ିକୁ ଶଲ୍ୟକ୍ରିୟା ମାଧ୍ୟମରେ କଢ଼ାଯାଇଛି। ନିଜ ଶରୀରରୁ ମୋଟ ୭ଟି ପେଲେଟ୍ ସଦୃଶ ଧାତବ ବସ୍ତୁ ବାହାର କରାଯାଇଥିବା ମନସୁରୀ କହିଛନ୍ତି। ମୁହଁରେ ଏବେ ବି କେତେକ ଧାତବ ବସ୍ତୁ ରହିଥିଲେ ହେଁ, ଅଧିକ କ୍ଷତିର ଆଶଙ୍କା ଥିବାରୁ ଡାକ୍ତର ସେଗୁଡ଼ିକୁ ବାହାର କରିନାହାନ୍ତି। ତେବେ ଉଦ୍ଧାର ହୋଇଥିବା ଏହି ସାମ୍ପୁଲଗୁଡ଼ିକୁ ହସ୍ପିଟାଲ କର୍ତ୍ତୃପକ୍ଷ ନିଜ ହେପାଜତରେ ରଖିଛନ୍ତି। ସୂଚନାଯୋଗ୍ୟ, ଜୁଲାଇ ୨୦ ଆନ୍ଦୋଳନରେ ପୋଲିସର ପେଲେଟ୍ ଗନ୍ ମାଡ଼ରେ ଆହାତ ହୋଇଥିବା ୫ ଜଣ ବ୍ୟକ୍ତି ସୁପ୍ରିମ୍ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି, ଯାହାର ଶୁଣାଣି ସର୍ବୋଚ୍ଚ କୋର୍ଟରେ ଚାଲିଛି ।
