ଛୋଟ ଗାଁରୁ ବିଶ୍ୱ ହକିର ବଡ଼ ପରିଚୟ; ‘ଗ୍ରେଟ୍ ୱାଲ୍’ ସବିତା ପୁନିଆ

ଭାରତୀୟ ମହିଳା ହକି ଦଳର ସେହି ଗୋଲକିପର .ଯାହାଙ୍କୁ ପ୍ରତିଦ୍ୱନ୍ଦ୍ୱୀ ଖେଳାଳିମାନେ ଗୋଲ୍ କରିବାକୁ ଯାଇ ଥକି ପଡ଼ନ୍ତି । ଗୋଲପୋଷ୍ଟ ଆଗରେ ଛିଡ଼ା ହେଲେ ମନେ ହୁଏ ଏକ ଦୃଢ଼ କାନ୍ଥ ଠିଆ ହୋଇଛି । ସେଥିପାଇଁ ତାଙ୍କୁ କୁହାଯାଏ ‘ଗ୍ରେଟ୍ ୱାଲ୍ ଅଫ୍ ଇଣ୍ଡିଆ’।

ଭାରତୀୟ ମହିଳା ହକି ଦଳର ସେହି ଗୋଲକିପର ଯାହାଙ୍କୁ ପ୍ରତିଦ୍ୱନ୍ଦ୍ୱୀ ଖେଳାଳିମାନେ ଗୋଲ୍ କରିବାକୁ ଯାଇ ଥକି ପଡ଼ନ୍ତି । ଗୋଲପୋଷ୍ଟ ଆଗରେ ଛିଡ଼ା ହେଲେ ମନେ ହୁଏ ଏକ ଦୃଢ଼ କାନ୍ଥ ଠିଆ ହୋଇଛି । ସେଥିପାଇଁ ତାଙ୍କୁ କୁହାଯାଏ ‘ଗ୍ରେଟ୍ ୱାଲ୍ ଅଫ୍ ଇଣ୍ଡିଆ’। ସେହି ମହିଳା ହେଉଛନ୍ତି ଭାରତର ଷ୍ଟାର୍ ଗୋଲକିପର ସବିତା ପୁନିଆ ।୧୯୯୦ ଜୁଲାଇ ୧୧ରେ ରାଜସ୍ଥାନର ହନୁମାନଗଡ଼ ଜିଲ୍ଲାର ଝାନସାଲ ଗାଁରେ ଜନ୍ମଗ୍ରହଣ କରିଥିଲେ ସବିତା। ତାଙ୍କ ଜେଜେବାପା ମହିନ୍ଦର ସିଂହ ତାଙ୍କୁ ହକି ଖେଳିବାକୁ ପ୍ରେରଣା ଦେଇଥିଲେ। ପରେ ହିସାରର ସ୍ପୋର୍ଟସ ଅଥରିଟି ଅଫ୍ ଇଣ୍ଡିଆ କେନ୍ଦ୍ରରେ ପ୍ରଶିକ୍ଷଣ ନେଇ ନିଜ କ୍ୟାରିୟରକୁ ଆଗକୁ ବଢ଼ାଇଥିଲେ।

ଆରମ୍ଭରେ ହକି ପ୍ରତି ସବିତାଙ୍କର ବିଶେଷ ଆଗ୍ରହ ନଥିଲା। କିନ୍ତୁ ତାଙ୍କ ବାପା ପ୍ରାୟ ୨୦ ହଜାର ଟଙ୍କା ଖର୍ଚ୍ଚ କରି ହକି କିଟ୍ କିଣିଦେବା ପରେ ସେ ଖେଳକୁ ଗୁରୁତ୍ୱର ସହ ନେଇଥିଲେ। ୨୦୦୭ରେ ମାତ୍ର ୧୭ ବର୍ଷ ବୟସରେ ଜାତୀୟ କ୍ୟାମ୍ପ ପାଇଁ ଚୟନ ହୋଇଥିଲେ।୨୦୦୮ରେ ନେଦରଲ୍ୟାଣ୍ଡ ଓ ଜର୍ମାନୀରେ ଆୟୋଜିତ ଚାରି ଦେଶୀୟ ଟୁର୍ଣ୍ଣାମେଣ୍ଟରେ ପ୍ରଥମ ଅନ୍ତର୍ଜାତୀୟ ସଫର କରିଥିଲେ। ୨୦୧୧ରେ ସିନିୟର ଟିମ୍ ପାଇଁ ଡେବ୍ୟୁ କରିଥିଲେ। ଏହାପରେ ୧୦୦ରୁ ଅଧିକ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳି ଭାରତୀୟ ମହିଳା ହକିର ଅନ୍ୟତମ ଭରସାଯୋଗ୍ୟ ଗୋଲକିପର ହୋଇପାରିଛନ୍ତି।

୨୦୧୩ ମହିଳା ଏସିଆ କପ୍‌ରେ ପେନାଲ୍ଟି ସୁଟ୍‌ଆଉଟ୍‌ରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ସେଭ୍ କରି ଭାରତକୁ ବ୍ରୋଞ୍ଜ ପଦକ ଜିତାଇବାରେ ବଡ଼ ଭୂମିକା ନେଇଥିଲେ। ୨୦୧୪ ଇଞ୍ଚିଅନ ଏସିଆନ ଗେମ୍ସର ବ୍ରୋଞ୍ଜ ବିଜୟୀ ଦଳର ମଧ୍ୟ ସେ ଜଣେ ସଦସ୍ୟ ଥିଲେ।୨୦୧୬ରେ ଜାପାନ ବିପକ୍ଷ ମ୍ୟାଚରେ ଶେଷ ମୁହୂର୍ତ୍ତରେ ଲଗାତାର ପେନାଲ୍ଟି କର୍ଣ୍ଣରକୁ ରୋକି ଭାରତକୁ ୩୬ ବର୍ଷ ପରେ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରାଇବାରେ ଅବିସ୍ମରଣୀୟ ଭୂମିକା ନେଇଥିଲେ।

୨୦୧୮ ଏସିଆ କପ୍ ଫାଇନାଲରେ ଚୀନ୍ ବିପକ୍ଷରେ ତାଙ୍କ ଚମତ୍କାର ସେଭ୍ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ସେହି ପ୍ରଦର୍ଶନ ପାଇଁ ସେ ଟୁର୍ଣ୍ଣାମେଣ୍ଟର ସର୍ବଶ୍ରେଷ୍ଠ ଗୋଲକିପର ପୁରସ୍କାର ଜିତିଥିଲେ। ୨୦୨୦ ଟୋକିଓ ଅଲିମ୍ପିକ୍ସରେ ସବିତାଙ୍କ ଦମଦାର ପ୍ରଦର୍ଶନ ସମଗ୍ର ବିଶ୍ୱର ଦୃଷ୍ଟି ଆକର୍ଷଣ କରିଥିଲା। ତାଙ୍କ ଅସାଧାରଣ ସେଭ୍ ଯୋଗୁଁ ଭାରତୀୟ ମହିଳା ହକି ଦଳ ପ୍ରଥମ ଥର ପାଇଁ ଅଲିମ୍ପିକ୍ସର ସେମିଫାଇନାଲରେ ପହଞ୍ଚି ଇତିହାସ ରଚିଥିଲା।

ତାଙ୍କ ଅବଦାନ ପାଇଁ ୨୦୧୫ରେ ହକି ଇଣ୍ଡିଆ ବେଷ୍ଟ ଗୋଲକିପର ଅଫ୍ ଦି ଇୟର ପୁରସ୍କାର, ୨୦୧୮ରେ ଭାରତର ଦ୍ୱିତୀୟ ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ଅର୍ଜୁନ ପୁରସ୍କାର, ୨୦୨୫ରେ ହକି ଇଣ୍ଡିଆ ପ୍ଲେୟାର ଅଫ୍ ଦି ଇୟର ଓ ଗୋଲକିପର ଅଫ୍ ଦି ଇୟର ସମ୍ମାନ ହାସଲ କରିଥିଲେ। ଏବଂ ୨୦୨୬ରେ ଦେଶର ଚତୁର୍ଥ ସର୍ବୋଚ୍ଚ ନାଗରିକ ସମ୍ମାନ ପଦ୍ମଶ୍ରୀରେ ସମ୍ମାନିତ ହୋଇଛନ୍ତି।ରାଜସ୍ଥାନର ଏକ ଛୋଟ ଗାଁରୁ ଆରମ୍ଭ ହୋଇଥିବା ସବିତା ପୁନିଆଙ୍କ ଏହି ସଂଘର୍ଷ ଯାତ୍ରା ଆଜି ଲକ୍ଷ ଲକ୍ଷ ଯୁବ କ୍ରୀଡ଼ାବିତଙ୍କ ପାଇଁ ପ୍ରେରଣା ପାଲଟିଛି । ତାଙ୍କ ଦୃଢ଼ ସଙ୍କଳ୍ପ, କଠିନପରିଶ୍ରମ ଓ ଅଦ୍ଭୁତ ପ୍ରଦର୍ଶନ ପାଇଁ ସେ ଆଜି ଭାରତୀୟ ହକିର ‘ଗ୍ରେଟ୍ ୱାଲ୍ ଅଫ୍ ଇଣ୍ଡିଆ’ ଭାବେ ପରିଚିତ ।

Leave a Reply

Your email address will not be published. Required fields are marked *