ଛୋଟ ସହରରୁ ଅନ୍ତରୀକ୍ଷ ଦୁନିଆ ପର୍ଯ୍ୟନ୍ତ ଯାତ୍ରା । ଚୌମୁର ନୀରଜ ଖଣ୍ଡେଲୱାଲଙ୍କ ସଫଳତା ଏବେ ଚର୍ଚ୍ଚାରେ । ଭାରତର ଘରୋଇ ମହାକାଶ କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ ଭାବେ ଆସିଛି ‘ଏଭରେଷ୍ଟ’ ରକେଟ୍ ଇଞ୍ଜିନ୍, ଯାହାକୁ ବେଙ୍ଗାଲୁରୁସ୍ଥିତ ଷ୍ଟାର୍ଟଅପ୍ Astrobase Space Technologies ବିକଶିତ କରିଛି ।
ଛୋଟ ସହରରୁ ଅନ୍ତରୀକ୍ଷ ଦୁନିଆ ପର୍ଯ୍ୟନ୍ତ ଯାତ୍ରା । ଚୌମୁର ନୀରଜ ଖଣ୍ଡେଲୱାଲଙ୍କ ସଫଳତା ଏବେ ଚର୍ଚ୍ଚାରେ । ଭାରତର ଘରୋଇ ମହାକାଶ କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ ଭାବେ ଆସିଛି ‘ଏଭରେଷ୍ଟ’ ରକେଟ୍ ଇଞ୍ଜିନ୍, ଯାହାକୁ ବେଙ୍ଗାଲୁରୁସ୍ଥିତ ଷ୍ଟାର୍ଟଅପ୍ Astrobase Space Technologies ବିକଶିତ କରିଛି । ଏହି କମ୍ପାନୀର ସହ-ପ୍ରତିଷ୍ଠାତା ହେଉଛନ୍ତି ନୀରଜ ଖଣ୍ଡେଲୱାଲ । EVEREST ହେଉଛି ପ୍ରାୟ ୮୦ ଟନ୍ ଥ୍ରଷ୍ଟ କ୍ଷମତା ବିଶିଷ୍ଟ ୮୦୦ କିଲୋନ୍ୟୁଟନ୍ ଶ୍ରେଣୀର ରକେଟ୍ ଇଞ୍ଜିନ୍। ଏହା Liquid Oxygen ଏବଂ Liquid Methane ଅର୍ଥାତ୍ LOX-Methane ଇନ୍ଧନ ବ୍ୟବହାର କରେ। ଏହି ଇଞ୍ଜିନ୍ରେ Full-Flow Staged Combustion ବା FFSC ପ୍ରଯୁକ୍ତି ବ୍ୟବହାର ହୋଇଛି, ଯାହାକୁ ରକେଟ୍ ପ୍ରପଲ୍ସନ୍ର ଅତ୍ୟାଧୁନିକ ଓ ଜଟିଳ ପ୍ରଯୁକ୍ତି ମଧ୍ୟରୁ ଗୋଟିଏ ଭାବେ ଗଣାଯାଏ । ଏହି ସଫଳତାର ବିଶେଷତା ହେଉଛି—ଏହା ଭାରତର ପ୍ରଥମ ଘରୋଇ ଭାବେ ବିକଶିତ FFSC ରକେଟ୍ ଇଞ୍ଜିନ୍ ବୋଲି Astrobase ପକ୍ଷରୁ କୁହାଯାଇଛି। ଏହି ପ୍ରଯୁକ୍ତି ଏବେ ବିଶ୍ୱର ହାତଗଣତି କିଛି କମ୍ପାନୀ ପାଖରେ ରହିଛି। SpaceX ମଧ୍ୟ ଏହି ପ୍ରକାରର ପ୍ରଯୁକ୍ତି ରକେଟ୍ରେ ବ୍ୟବହାର କରିଛି । ନୀରଜ ଖଣ୍ଡେଲୱାଲ ଏହି ସ୍ପେସ୍ ଷ୍ଟାର୍ଟଅପ୍ର ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ନାମ। ସେ IIT ବମ୍ବେରେ ଶିକ୍ଷାଲାଭ କରିଥିବା ବେଳେ ପରେ ଉଦ୍ୟୋଗୀ ଭାବେ ନିଜର ପରିଚୟ ତିଆରି କରିଥିଲେ। ୨୦୨୪ରେ ପୂର୍ବତନ ISRO ବୈଜ୍ଞାନିକ ଦେବକୁମାର ଥମ୍ମିସେଟ୍ଟିଙ୍କ ସହ ମିଶି Astrobase Space Technologies ଆରମ୍ଭ କରିଥିଲେ । କମ୍ପାନୀ ବେଙ୍ଗାଲୁରୁରେ ଇଞ୍ଜିନ୍ର ଡିଜାଇନ୍ ଓ ନିର୍ମାଣ କରୁଥିବା ବେଳେ, ଆନ୍ଧ୍ରପ୍ରଦେଶର ଅନନ୍ତପୁରରେ ୨୧.୫ ଏକର ଜମିରେ ଏହାର ପରୀକ୍ଷଣ କେନ୍ଦ୍ର ରହିଛି । ଏଠାରେ ଇଞ୍ଜିନ୍ର ହାଇ-ଥ୍ରଷ୍ଟ ହଟ୍-ଫାୟାର୍ ପରୀକ୍ଷଣ କରାଯିବ ।
ଆଉ ଏକ ବଡ଼ କଥା ହେଉଛି, ରକେଟ୍ର ଜଟିଳ ଅଂଶ ନିର୍ମାଣ ପାଇଁ Astrobase ମେଟାଲ୍ 3D ପ୍ରିଣ୍ଟିଂ ପ୍ରଯୁକ୍ତି ମଧ୍ୟ ବ୍ୟବହାର କରୁଛି । ଏହା ଦ୍ୱାରା ଜଟିଳ ଡିଜାଇନ୍ର ଅଂଶଗୁଡ଼ିକୁ ଦ୍ରୁତ ଭାବେ ତିଆରି କରିବା ସମ୍ଭବ ହେଉଛି । EVERESTକୁ ଆଧାର କରି ଭବିଷ୍ୟତରେ ପୁନଃବ୍ୟବହାରଯୋଗ୍ୟ ରକେଟ୍ ବିକଶିତ କରିବା Astrobaseର ଲକ୍ଷ୍ୟ। ସଫଳ ହେଲେ ଏହା ଭାରତର ବଢ଼ୁଥିବା ବେସରକାରୀ ମହାକାଶ ଶିଳ୍ପ ପାଇଁ ଏକ ବଡ଼ ମାଇଲଷ୍ଟୋନ୍ ହୋଇପାରେ। ତେବେ ଇଞ୍ଜିନ୍ର ହଟ୍-ଫାୟାର୍, ଯୋଗ୍ୟତା ପରୀକ୍ଷଣ ଏବଂ ରକେଟ୍ ସହ ଇଣ୍ଟିଗ୍ରେସନ୍ ଭଳି ଅନେକ ପର୍ଯ୍ୟାୟ ଏବେ ବାକି ରହିଛି । ଚୌମୁଁରୁ ଆରମ୍ଭ ହୋଇଥିବା ନୀରଜ ଖଣ୍ଡେଲୱାଲଙ୍କ ଏହି ଯାତ୍ରା ଏବେ ଭାରତର ମହାକାଶ ସ୍ୱପ୍ନ ସହ ଯୋଡ଼ି ହୋଇଛି । ଛୋଟ ସହରର ଜଣେ ଯୁବକଙ୍କ ମହାକାଶ ପ୍ରଯୁକ୍ତିରେ ଏଭଳି ଅବଦାନ ନୂଆ ପିଢ଼ିର ଇଞ୍ଜିନିୟର ଓ ଉଦ୍ୟୋଗୀଙ୍କ ପାଇଁ ନିଶ୍ଚିତ ଭାବେ ପ୍ରେରଣା ।

