ପାଣିପାଗ ବିଭାଗର ‘ଆଖି’ ଅଚଳ! ଓଡ଼ିଶାରେ ରାଡାର ବ୍ୟବସ୍ଥାକୁ ନେଇ ଚିନ୍ତା

ଆକାଶରେ କେବେ ମେଘ ଜମୁଛି, କେଉଁଠି ବର୍ଷା ହେବ, କେଉଁଠି ବଜ୍ରପାତର ଆଶଙ୍କା ରହିଛି… ଏସବୁର ଆଗୁଆ ସୂଚନା ଦେଇଥାଏ ପାଣିପାଗ ବିଭାଗର ରାଡାର । ଅର୍ଥାତ୍‌ ରାଡାର ହେଉଛି ପାଣିପାଗ ବିଭାଗର ଆଖି କିନ୍ତୁ ଓଡ଼ିଶାରେ ଏବେ ଏହି ଗୁରୁତ୍ୱପୂର୍ଣ୍ଣ ବ୍ୟବସ୍ଥାକୁ ନେଇ ଉଠିଛି ପ୍ରଶ୍ନ ।

ଆକାଶରେ କେବେ ମେଘ ଜମୁଛି, କେଉଁଠି ବର୍ଷା ହେବ, କେଉଁଠି ବଜ୍ରପାତର ଆଶଙ୍କା ରହିଛି… ଏସବୁର ଆଗୁଆ ସୂଚନା ଦେଇଥାଏ ପାଣିପାଗ ବିଭାଗର ରାଡାର । ଅର୍ଥାତ୍‌ ରାଡାର ହେଉଛି ପାଣିପାଗ ବିଭାଗର ଆଖି କିନ୍ତୁ ଓଡ଼ିଶାରେ ଏବେ ଏହି ଗୁରୁତ୍ୱପୂର୍ଣ୍ଣ ବ୍ୟବସ୍ଥାକୁ ନେଇ ଉଠିଛି ପ୍ରଶ୍ନ । ରାଜ୍ୟରେ ଥିବା ଡପ୍ଲର ୱେଦର ରାଡାରଗୁଡ଼ିକ ମଧ୍ୟରୁ କିଛି ଏବେ ସଠିକ୍ ଭାବେ କାର୍ଯ୍ୟ କରୁନଥିବା ଜଣାପଡ଼ିଛି । ପାରାଦୀପ ଡପ୍ଲର ୱେଦର ରାଡାର କିଛି ଦିନ ଧରି ଅଚଳ ରହିଛି ଏବଂ ଏହାର ମରାମତି କାମ ଚାଲିଛି । ସେହିପରି ଗୋପାଳପୁର ଡପ୍ଲର ୱେଦର ରାଡାର ପ୍ରାୟ ଗୋଟିଏ ବର୍ଷ ଧରି ବନ୍ଦ ରହିଥିବା ସୂଚନା ମିଳିଛି । ଅନ୍ୟପଟେ ସମ୍ବଲପୁର ଡପ୍ଲର ୱେଦର ରାଡାର ଦିନ ସମୟରେ କାମ କରୁଥିବା ବେଳେ ରାତିରେ କାର୍ଯ୍ୟକ୍ଷମ ହେଉନାହିଁ । ଏଥିପାଇଁ ମ୍ୟାନ୍‌ପାୱାର ଅଭାବକୁ ଏକ କାରଣ ବୋଲି କୁହାଯାଉଛି । ରାଡାର ବା RADAR (Radio Detection and Ranging) ହେଉଛି ଏକ ଅତ୍ୟାଧୁନିକ ପାଣିପାଗ ନିରୀକ୍ଷଣ ବ୍ୟବସ୍ଥା । ଏହା ରେଡିଓ ତରଙ୍ଗ ମାଧ୍ୟମରେ ଆକାଶରେ ଥିବା ମେଘ, ବର୍ଷା, ବଜ୍ରପାତ ଓ ଘୂର୍ଣ୍ଣିଝଡ଼ ସମ୍ପର୍କରେ ତଥ୍ୟ ସଂଗ୍ରହ କରିଥାଏ ।

ରାଡାର ମାଧ୍ୟମରେ—

* କେଉଁ ଅଞ୍ଚଳରେ ବର୍ଷା ହେଉଛି ଏବଂ ତାହାର ତୀବ୍ରତା କେତେ, ତାହା ଜଣାପଡ଼େ ।
* ବଜ୍ରପାତର ସ୍ଥିତି ଓ ଗତିବିଧି ଉପରେ ନଜର ରଖାଯାଏ ।
* ଘୂର୍ଣ୍ଣିଝଡ଼ ଓ ପ୍ରବଳ ପବନର ଗତିପଥ ନିରୀକ୍ଷଣ କରାଯାଏ ।
* ଆଗୁଆ ସତର୍କବାଣୀ ବା ନୋକାଷ୍ଟ ଜାରି କରିବାରେ ସହାୟତା ମିଳେ ।
ବିଶେଷ କରି ଆସନ୍ନ ବର୍ଷା, ବଜ୍ରପାତ ଓ ସ୍ୱଳ୍ପ ସମୟର ପାଣିପାଗ ପରିବର୍ତ୍ତନ ସମ୍ପର୍କରେ ୧ରୁ ୩ ଘଣ୍ଟା ପୂର୍ବରୁ ସତର୍କ ସୂଚନା ଦେବାରେ ରାଡାରର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କିନ୍ତୁ ରାଡାର ବ୍ୟବସ୍ଥା ଅଚଳ କିମ୍ବା ସୀମିତ ଭାବେ କାମ କଲେ ସ୍ଥାନୀୟ ବର୍ଷା, ବଜ୍ରପାତ ଓ ହଠାତ୍‌ ପାଣିପାଗ ପରିବର୍ତ୍ତନର ସଠିକ୍ ଓ ତୁରନ୍ତ ତଥ୍ୟ ମିଳିବା କଷ୍ଟକର ହୋଇପାରେ । ବର୍ଷା ଋତୁରେ ରାଡାର ବ୍ୟବସ୍ଥାର ଗୁରୁତ୍ୱ ଆହୁରି ବଢ଼ିଯାଏ । ତେଣୁ ଅଚଳ ରାଡାରଗୁଡ଼ିକର ଶୀଘ୍ର ମରାମତି ଏବଂ ଆବଶ୍ୟକ ମାନବ ସମ୍ବଳ ବ୍ୟବସ୍ଥା କରିବା ଏବେ ବଡ଼ ଆବଶ୍ୟକତା ପାଲଟିଛି ।

Leave a Reply

Your email address will not be published. Required fields are marked *