ଘରୋଇ ସ୍କୁଲ ସ୍ଥାପନ ନିୟମ ସରଳ କଲା ଶିକ୍ଷା ବିଭାଗ, ନୂଆ ଗାଇଡ୍‌ଲାଇନ୍ ଜାରି

ରାଜ୍ୟରେ ଘରୋଇ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ ପ୍ରକ୍ରିୟାକୁ ସରଳ ଏବଂ ସ୍ୱଚ୍ଛ କରିବା ପାଇଁ ସ୍କୁଲ ଓ ଗଣଶିକ୍ଷା ବିଭାଗ ନୂତନ ବିଜ୍ଞପ୍ତି ଜାରି କରିଛି ।

ରାଜ୍ୟରେ ଘରୋଇ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ ପ୍ରକ୍ରିୟାକୁ ସରଳ ଏବଂ ସ୍ୱଚ୍ଛ କରିବା ପାଇଁ ସ୍କୁଲ ଓ ଗଣଶିକ୍ଷା ବିଭାଗ ନୂତନ ବିଜ୍ଞପ୍ତି ଜାରି କରିଛି । ଓଡ଼ିଶା ଶିକ୍ଷା ଆଇନ, ୧୯୬୯, ଘରୋଇ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ, ସ୍ୱୀକୃତି ଓ ପରିଚାଳନା ନିୟମାବଳୀ-୧୯୯୧ ଏବଂ ଶିଶୁଙ୍କ ନିଶୁଳ୍କ ଓ ବାଧ୍ୟତାମୂଳକ ଶିକ୍ଷା ଅଧିକାର (RTE) ଆଇନ, ୨୦୦୯କୁ ଆଧାର କରି ଏହି ସଂଶୋଧିତ ନିର୍ଦ୍ଦେଶାବଳୀ ପ୍ରକାଶ ପାଇଛି ।  ନୂତନ ବ୍ୟବସ୍ଥା ଅନୁଯାୟୀ, ରାଜ୍ୟରେ କୌଣସି ଘରୋଇ ପ୍ରାଥମିକ କିମ୍ବା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଖୋଲିବା ପୂର୍ବରୁ ସରକାରଙ୍କଠାରୁ ଓପେନିଂ ପରମିସନ ଏବଂ ସାର୍ଟିଫିକେଟ ଅଫ୍ ରେକଗ୍ନିସନ (CoR) ହାସଲ କରିବା ବାଧ୍ୟତାମୂଳକ ରହିବ ।

ଏହି ନିୟମ ଓଡ଼ିଆ, ଇଂରାଜୀ କିମ୍ବା ଅନ୍ୟ ଯେକୌଣସି ମାଧ୍ୟମରେ ଶିକ୍ଷାଦାନ କରୁଥିବା ସମସ୍ତ ଘରୋଇ ପ୍ରାଥମିକ ବିଦ୍ୟାଳୟ ପାଇଁ ସମାନ ଭାବେ ପ୍ରଯୁଜ୍ୟ ହେବ । ସବୁଠାରୁ ବଡ଼ ପରିବର୍ତ୍ତନ ହେଲା, ବିଦ୍ୟାଳୟ ସ୍ଥାପନ ପାଇଁ ଆବଶ୍ୟକ ଥିବା ‘ଏସେନ୍ସିଆଲିଟି ସାର୍ଟିଫିକେଟ’  ଦାଖଲ କରିବା ବାଧ୍ୟତାମୂଳକ ରହିବ ନାହିଁ। ଏହାଦ୍ୱାରା ନୂତନ ବିଦ୍ୟାଳୟ ସ୍ଥାପନ ପ୍ରକ୍ରିୟାରେ ଥିବା ଏକ ପ୍ରମୁଖ ପ୍ରଶାସନିକ ବାଧା ହଟିବ ବୋଲି ଆଶା କରାଯାଉଛି । ତେବେ ନିୟମ କୋହଳ କରାଯାଇଥିଲେ ମଧ୍ୟ ମାନଦଣ୍ଡରେ ଅନେକ କଡ଼ା ନିର୍ଦେଶ ରହିଛି। ବିଦ୍ୟାଳୟ ସ୍ଥାପନ କରୁଥିବା ସଂସ୍ଥା ସୋସାଇଟିଜ୍ ରେଜିଷ୍ଟ୍ରେସନ୍ ଆକ୍ଟ କିମ୍ବା ଇଣ୍ଡିଆନ୍ ଟ୍ରଷ୍ଟ ଆକ୍ଟ ଅନୁସାରେ ପଞ୍ଜୀକୃତ ହୋଇଥିବା ଦରକାର ।

ଏହାସହ ନିରାପଦ ପରିବେଶରେ ପର୍ଯ୍ୟାପ୍ତ ଜମି, ଶ୍ରେଣୀଗୃହ, ଶୌଚାଳୟ, ବିଶୁଦ୍ଧ ପାନୀୟ ଜଳ, ଖେଳ ପଡ଼ିଆ, ରାମ୍ପ ସମେତ ସମସ୍ତ ମୌଳିକ ସୁବିଧା ଉପଲବ୍ଧ କରାଇବାକୁ ହେବ। ଯୋଗ୍ୟ ଓ ପ୍ରଶିକ୍ଷିତ ଶିକ୍ଷକ ଏବଂ କର୍ମଚାରୀ ନିଯୁକ୍ତି ସହ ଶିକ୍ଷାର ଅଧିକାର ଆଇନରେ ଉଲ୍ଲେଖିତ ସମସ୍ତ ମାନଦଣ୍ଡ ପାଳନ କରିବାକୁ ପଡ଼ିବ । ବିଦ୍ୟାଳୟ ଖୋଲିବା ପାଇଁ ଆବେଦନ ପ୍ରଥମେ ନିର୍ଦ୍ଦେଶକ, ପ୍ରାଥମିକ ଶିକ୍ଷାଙ୍କ ନିକଟକୁ ସୁପାରିସ ହେବ। ତାଙ୍କ ଅନୁମୋଦନ ପରେ ସମ୍ପୃକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ (DEO) ଶିକ୍ଷାବର୍ଷ ଆରମ୍ଭ ପୂର୍ବରୁ ଓପେନିଂ ପରମିସନ ଜାରି କରିବେ । ବିଦ୍ୟାଳୟଗୁଡ଼ିକର ନିୟମିତ ଯାଞ୍ଚ ଓ ତଦାରଖ କରିବା ଦାୟିତ୍ୱ ଡିଇଓ ଓ ବ୍ଲକ ଶିକ୍ଷା ଅଧିକାରୀ (BEO)ଙ୍କ ଉପରେ ନ୍ୟସ୍ତ କରାଯାଇଛି । ନିୟମ ଉଲ୍ଲଂଘନ ହେଲେ ପ୍ରଚଳିତ ଆଇନ ଅନୁଯାୟୀ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ । ବିଭାଗ ସ୍ପଷ୍ଟ କରିଛି ଯେ, ଏହି ବିଜ୍ଞପ୍ତି ସହ ଅସଙ୍ଗତି ଥିବା ପୂର୍ବରୁ ଜାରି ସମସ୍ତ ନିର୍ଦ୍ଦେଶ ଓ ପ୍ରସ୍ତାବକୁ ବାତିଲ କରାଯାଇଛି । ନୂତନ ବ୍ୟବସ୍ଥାର ସୁଚାରୁ କାର୍ଯ୍ୟକାରିତା ପାଇଁ ଆବଶ୍ୟକ ସମୟରେ ଅତିରିକ୍ତ ମାର୍ଗଦର୍ଶିକା ଓ ସ୍ପଷ୍ଟୀକରଣ ଜାରି କରାଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।

Leave a Reply

Your email address will not be published. Required fields are marked *