ଗ୍ରୁପ୍‌ ବିଜେତା ହୋଇ ନକ୍‌ଆଉଟ୍‌ ଗଲା ବେଲଜିୟମ୍‌

ନ୍ୟୁଜିଲାଣ୍ଡ ଅପ୍ରତ୍ୟାଶିତ ଭାବେ ଆତ୍ମସମର୍ପଣ କରିଥିବା ଏହି ମ୍ୟାଚ୍‌ ଆରମ୍ଭରୁ ବେଲଜିୟମ୍‌ ଆକ୍ରମଣାତ୍ମକ ଖେଳ ଦେଖାଇଥିଲା। ୨୮ତମ ମିନିଟ୍‌ରେ ଲିଆଣ୍ଡ୍ରୋ ଟ୍ରୋସାର୍ଡ କର୍ଣ୍ଣର ନିକଟରୁ ଆସିଥିବା ବଲ୍‌କୁ ଜାଲ ଭିତରେ ପୂରାଇ ଦଳକୁ ଆଗୁଆ କରିଥିଲେ।

ଫିଫା ବିଶ୍ୱକପ୍ ୨୦୨୬ର ଗ୍ରୁପ୍-ଜି’ରେ ବେଲଜିୟମ୍ ଦମଦାର ପ୍ରଦର୍ଶନ କରି ନ୍ୟୁଜିଲାଣ୍ଡକୁ ଏକତରଫା ଭାବେ ୫-୧ ଗୋଲ୍‌ରେ ପରାସ୍ତ କରିଛି। ଏହି ବିଶାଳ ବିଜୟ ସହ ବେଲଜିୟମ୍‌ ଗ୍ରୁପ୍-ଜି’ର ଶୀର୍ଷ ସ୍ଥାନ ଦଖଲ କରି ରାଉଣ୍ଡ ଅଫ୍ ୩୨କୁ ପ୍ରବେଶ କରିଥିବାବେଳେ ନ୍ୟୁଜିଲାଣ୍ଡର ବିଶ୍ୱକପ୍ ଅଭିଯାନ ଶେଷ ହୋଇଯାଇଛି । ନ୍ୟୁଜିଲାଣ୍ଡ ଅପ୍ରତ୍ୟାଶିତ ଭାବେ ଆତ୍ମସମର୍ପଣ କରିଥିବା ଏହି ମ୍ୟାଚ୍‌ ଆରମ୍ଭରୁ ବେଲଜିୟମ୍‌ ଆକ୍ରମଣାତ୍ମକ ଖେଳ ଦେଖାଇଥିଲା। ୨୮ତମ ମିନିଟ୍‌ରେ ଲିଆଣ୍ଡ୍ରୋ ଟ୍ରୋସାର୍ଡ କର୍ଣ୍ଣର ନିକଟରୁ ଆସିଥିବା ବଲ୍‌କୁ ଜାଲ ଭିତରେ ପୂରାଇ ଦଳକୁ ଆଗୁଆ କରିଥିଲେ। ବିରତି ପରେ ୫୦ତମ ମିନିଟ୍‌ରେ ନିଜ ରିବାଉଣ୍ଡ ସଟ୍‌କୁ ଦ୍ବିତୀୟ ପ୍ରୟାସରେ ଗୋଲରେ ପରିଣତ କରି ସେ ମ୍ୟାଚ୍‌ ସହ ବ୍ୟକ୍ତିଗତ ଭାବେ ଦ୍ୱିତୀୟ ଗୋଲ୍‌ ସ୍କୋର୍‌ କରିଥିଲେ। 

୬୬ତମ ମିନିଟ୍‌ରେ ଅଧିନାୟକ କେଭିନ୍ ଡି ବ୍ରୁଇନେ ବକ୍ସ ବାହାରରୁ ଚମତ୍କାର ଲୋ ସଟ୍‌ରେ ତୃତୀୟ ଗୋଲ୍‌ କରି ବେଲଜିୟମର ବିଜୟ ପ୍ରାୟ ସୁନିଶ୍ଚିତ କରିଦେଇଥିଲେ। ଏହି ଗୋଲ୍‌ ସହ ୩୪ ବର୍ଷ ୩୬୩ ଦିନ ବୟସରେ ବିଶ୍ୱକପ୍‌ରେ ଗୋଲ୍‌ଦେବାରେ ବେଲଜିୟମ୍‌ର ବୟୋଜ୍ୟେଷ୍ଠ ଖେଳାଳି ହୋଇଥିଲେ ସେ। ୮୪ତମ ମିନିଟ୍‌ରେ ଏଲିଜା ଜଷ୍ଟ ଦର୍ଶନୀୟ ଗୋଲ୍‌ କରି ନ୍ୟୁଜିଲାଣ୍ଡର ପରାଜୟ ବ୍ୟବଧାନକୁ କମାଇଥିଲେ। କିନ୍ତୁ ଦୁଇ ମିନିଟ୍‌ ପରେ ବଦଳ ଖେଳାଳି ରୋମେଲୁ ଲୁକାକୁ ଗୋଲ୍‌ କରି ବେଲଜିୟମକୁ ୪-୧ରେ ଆଗୁଆ କରିଥିଲେ। ସେହିଭଳି ଆହତ ସମୟର ଚତୁର୍ଥ ମିନିଟ୍‌ରେ ଆଲେକ୍ସିସ ସାଲେମାକର୍ସ ଆଉ ଏକ ଗୋଲ କରି ସ୍କୋର୍‌କୁ ବେଲଜିୟମ ସପକ୍ଷରେ ୫-୧ରେ ପହଞ୍ଚାଇଥିଲେ। ଇଜିପ୍ଟ ସହ ସମାନ ୫ ପଏଣ୍ଟ ପାଇଥିଲେ ବି ବେଲଜିୟମ୍‌ ଗୋଲ୍‌ ବ୍ୟବଧାନରେ ଆଗୁଆ ରହି ଗ୍ରୁପ୍‌ ବିଜେତା ହୋଇଥିଲା।

Leave a Reply

Your email address will not be published. Required fields are marked *