କୋଇଡ଼ା ଖଣି ପାଇଁ ସ୍ୱତନ୍ତ୍ର ରୋଡ୍ କରିଡର! ଖଣିଜ ପରିବହନ ହେବ ସୁରକ୍ଷିତ

ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଖଣି ଅଞ୍ଚଳରୁ ସୁରକ୍ଷିତ ପରିବହନ ହେବ ଖଣିଜ ପଦାର୍ଥ । ଖଣିଜ ପରିବହନକୁ ସୁରକ୍ଷିତ କରିବା ପାଇଁ ସ୍ୱତନ୍ତ୍ର ‘କୋଇଡ଼ା ରୋଡ୍‌ କରିଡର’ ବିକାଶ କରାଯିବ ।

ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଖଣି ଅଞ୍ଚଳରୁ ସୁରକ୍ଷିତ ପରିବହନ ହେବ ଖଣିଜ ପଦାର୍ଥ । ଖଣିଜ ପରିବହନକୁ ସୁରକ୍ଷିତ କରିବା ପାଇଁ ସ୍ୱତନ୍ତ୍ର ‘କୋଇଡ଼ା ରୋଡ୍‌ କରିଡର’ ବିକାଶ କରାଯିବ । ଏଥିପାଇଁ ଫିଜିବିଲିଟି ଅନୁଧ୍ୟାନ କରି ବିସ୍ତୃତ ରିପୋର୍ଟ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଓଡ଼ିଶା କାର୍ଯ୍ୟ ବିଭାଗ ପକ୍ଷରୁ ରାସ୍ତା ବିଭାଗର ମୁଖ୍ୟ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । କୋଇଡ଼ା ମାଇନିଂ କ୍ଲଷ୍ଟରରେ ଖଣିଜ ପରିବହନ ପାଇଁ ସ୍ୱତନ୍ତ୍ର ରାସ୍ତା ସଂଯୋଗ ବିକାଶର ପ୍ରସ୍ତାବ ନେଇ ଖଣି ଓ ଭୂତତ୍ତ୍ୱ ନିର୍ଦ୍ଦେଶାଳୟ ସମେତ ସମ୍ପୃକ୍ତ ବିଭାଗ ଓ ସଂସ୍ଥା ମିଳିତ ଭାବେ ପରୀକ୍ଷା କରିବେ । ଜୁନ୍‌ ୨୩ ତାରିଖରେ ଇସ୍ପାତ ଓ ଖଣି ବିଭାଗର ଅତିରିକ୍ତ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଏବଂ ଜୁଲାଇ ୨୨ରେ ଖଣି ଓ ଭୂତତ୍ତ୍ୱ ନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକର ନିଷ୍ପତ୍ତି ଆଧାରରେ ପଦକ୍ଷେପ ନିଆଯାଇଛି ।

ସରକାରଙ୍କ ଚିଠି ଅନୁଯାୟୀ, ପ୍ରସ୍ତାବିତ ରୋଡ୍‌ କରିଡରର ବିକଳ୍ପ ଆଲାଇନ୍‌ମେଣ୍ଟ, ଆନୁମାନିକ ଖର୍ଚ୍ଚ ଓ ଅର୍ଥାୟନ ବ୍ୟବସ୍ଥା ସମ୍ପର୍କରେ ଅଧ୍ୟୟନ କରାଯିବ । ପ୍ରକଳ୍ପ ପାଇଁ ପିପିପି, ଇପିସି ଆଦି ମଡେଲ୍‌ରେ ଅର୍ଥାୟନର ସମ୍ଭାବନା ମଧ୍ୟ ରିପୋର୍ଟରେ ସାମିଲ କରିବାକୁ କୁହାଯାଇଛି। ଏହି ଫିଜିବିଲିଟି ଷ୍ଟଡି ସୁନ୍ଦରଗଡ଼ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍‌, କୋଇଡାର ଡେପୁଟି ଡାଇରେକ୍ଟର ଅଫ୍‌ ମାଇନ୍ସ/ଡିଷ୍ଟ୍ରିକ୍ଟ ମାଇନ୍ସ ଅଫିସର ଏବଂ ଅନ୍ୟ ସମ୍ପୃକ୍ତ ଅଂଶୀଦାରଙ୍କ ସହ ପରାମର୍ଶ କରି କରିବାକୁ ନିର୍ଦ୍ଦେଶ ରହିଛି । ଅଧ୍ୟୟନ ଶେଷ ହେବା ପରେ ଫିଜିବିଲିଟି ରିପୋର୍ଟ ଯଥାଶୀଘ୍ର କାର୍ଯ୍ୟ ବିଭାଗକୁ ଦାଖଲ କରିବାକୁ କୁହାଯାଇଛି । ଫିଜିବିଲିଟି ରିପୋର୍ଟ ଦାଖଲ ପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ।

Leave a Reply

Your email address will not be published. Required fields are marked *