ଏସ୍ଆଇଆର୍କୁ ନେଇ ନିର୍ବାଚନ ଆୟୋଗ ଓ ବିରୋଧୀଙ୍କ ମଧ୍ୟରେ ବିବାଦ ତେଜିଛି । ଏହାରି ଭିତରେ ଅରବିନ୍ଦ କେଜ୍ରିୱାଲ ଏସ୍ଆଇଆର୍ ପ୍ରକ୍ରିୟାକୁ ବାତିଲ୍ କରିବା ସହ CEC ଜ୍ଞାନେଶ କୁମାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ତେବେ ନିର୍ବାଚନ ଆୟୋଗ କହିଛି, ଏସ୍ଆଇଆର୍ ସମେତ ସମସ୍ତ ନିଷ୍ପତ୍ତି ତିନି ଜଣ କମିଶନରଙ୍କ ସର୍ବସମ୍ମତିରେ ନିଆଯାଇଛି ।
ଏସ୍ଆଇଆର୍ କୁ ନେଇ ଦେଶର ରାଜନୀତିରେ ତେଜିଛି ବିବାଦ । ନିର୍ବାଚନୀ ଭୋଟର ତାଲିକାରେ ସ୍ପେଶାଲ୍ ଇଣ୍ଟେନସିଭ୍ ରିଭିଜନ୍ ବା ଏସ୍ଆଇଆର୍ ପ୍ରକ୍ରିୟାକୁ ନେଇ ଆମ୍ ଆଦମୀ ପାର୍ଟି ମୁଖ୍ୟ ତଥା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ନିର୍ବାଚନ ଆୟୋଗ ଉପରେ ଗୁରୁତର ଅଭିଯୋଗ ଆଣିଛନ୍ତି । କେଜ୍ରିୱାଲଙ୍କ ଦାବି, ସମ୍ପୂର୍ଣ୍ଣ ଏସ୍ଆଇଆର୍ ପ୍ରକ୍ରିୟାକୁ ବାତିଲ୍ କରାଯାଉ । ଏହା ସହ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ତୁରନ୍ତ ଗିରଫ କରି ତାଙ୍କ ବିରୋଧରେ ମାମଲା ରୁଜୁ କରାଯାଉ ବୋଲି ସେ ଦାବି କରିଛନ୍ତି । ସୂଚନା ଅନୁସାରେ, ନିର୍ବାଚନ କମିଶନର ସୁଖବୀର ସିଂହ ସାନ୍ଧୁ ଏବଂ ବିବେକ ଯୋଶୀ ଗତ ୧୦ ମାସ ମଧ୍ୟରେ ନିର୍ବାଚନୀ ତାଲିକା ସଂଶୋଧନ ଓ ଏସ୍ଆଇଆର୍ ସମ୍ପର୍କିତ କିଛି ନିଷ୍ପତ୍ତି ନେଇ ଅନେକ ଥର ଆପତ୍ତି ଉଠାଇଥିଲେ । ରିପୋର୍ଟରେ ଅତିକମରେ ୧୪ ଥର ଔପଚାରିକ ଆପତ୍ତିର କଥା ଉଲ୍ଲେଖ ରହିଛି ।
କେଜ୍ରିୱାଲ ଦାବି କରିଛନ୍ତି, ନିର୍ବାଚନ ଆୟୋଗର ସମସ୍ତ ସଦସ୍ୟଙ୍କ ଅନୁମୋଦନ ବିନା ଆଦେଶ ଜାରି ହୋଇଥିବାରୁ ଏସ୍ଆଇଆର୍ ପ୍ରକ୍ରିୟା ବୈଧ ନୁହେଁ । ତାଙ୍କ ଦାବି ଅନୁସାରେ, ଏସ୍ଆଇଆର୍ ଅଧୀନରେ ଦେଶବ୍ୟାପୀ ୧୩ କୋଟିରୁ ଅଧିକ ନାମ ଡ୍ରାଫ୍ଟ ଭୋଟର ତାଲିକାରୁ ବାଦ ପଡ଼ିଛି । କେବଳ ଏସ୍ଆଇଆର୍ ବାତିଲ୍ ନୁହେଁ, ଗତ କିଛି ବର୍ଷରେ ଦିଲ୍ଲୀ, ବିହାର, ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ହରିୟାଣା, ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ହୋଇଥିବା ନିର୍ବାଚନକୁ ବାତିଲ୍ କରି ପୁଣିଥରେ ନିର୍ବାଚନ କରାଇବାକୁ ମଧ୍ୟ କେଜ୍ରିୱାଲ ଦାବି କରିଛନ୍ତି ।
ତେବେ କେଜ୍ରିୱାଲଙ୍କ ଅଭିଯୋଗକୁ ନେଇ ନିର୍ବାଚନ ଆୟୋଗର ପକ୍ଷ ମଧ୍ୟ ସାମ୍ନାକୁ ଆସିଛି । ଆୟୋଗର ଅଧିକାରୀମାନେ କହିଛନ୍ତି, ଦୁଇ ନିର୍ବାଚନ କମିଶନର କିଛି ରାଜ୍ୟରେ ଭୋଟର ତାଲିକା ସଂଶୋଧନ ଓ ଡାଟାବେସ୍ ପରିଚାଳନା ସମ୍ପର୍କିତ ନିଷ୍ପତ୍ତି ଉପରେ ଆପତ୍ତି ଜଣାଇଥିଲେ । କିନ୍ତୁ ଏସ୍ଆଇଆର୍ ସମେତ ଭାରତୀୟ ନିର୍ବାଚନ ଆୟୋଗର ସମସ୍ତ ନିଷ୍ପତ୍ତି ତିନି ଜଣ ନିର୍ବାଚନ କମିଶନରଙ୍କ ଅନୁମୋଦନ ଓ ସର୍ବସମ୍ମତିରେ ନିଆଯାଇଥିବା ଆୟୋଗର କହିଛି ।
ଏହାରି ଭିତରେ ଏସ୍ଆଇଆର୍ କୁ ନେଇ ବିରୋଧୀ ଦଳଗୁଡ଼ିକର ଆକ୍ରମଣ ଜୋରଦାର ହୋଇଛି । କେତେକ ବିରୋଧୀ ନେତା ମୁଖ୍ୟ ନିର୍ବାଚନ କମିଶନରଙ୍କୁ ହଟାଇବା, ତଦନ୍ତ କରାଇବା ଏବଂ ଏସ୍ଆଇଆର୍ ପ୍ରକ୍ରିୟା ଉପରେ ପୁନର୍ବିଚାର ଦାବି କରିଛନ୍ତି । ତେବେ ଏହି ସମସ୍ତ ଦାବି ଓ ଅଭିଯୋଗ ମଧ୍ୟରେ ନିର୍ବାଚନ ଆୟୋଗର ଅଧିକାରିକ ପକ୍ଷ ହେଉଛି ଏସ୍ଆଇଆର୍ ସମ୍ପର୍କିତ ନିଷ୍ପତ୍ତି ସର୍ବସମ୍ମତିରେ ନିଆଯାଇଛି ।

