ଏୟାର ଇଣ୍ଡିଆ ଏଆଇ-୧୭୧ ବିମାନ ଦୁର୍ଘଟଣାକୁ ପୂରିଲା ବର୍ଷେ : ତଦନ୍ତ ଚୂଡ଼ାନ୍ତ ରିପୋର୍ଟ ପାଇଁ ଲାଗିବ ଆଉ ୨ ମାସ

ଗତବର୍ଷ ଅହମଦାବାଦରେ ଘଟିଥିବା ଭୟାବହ ଏୟାର ଇଣ୍ଡିଆ ଏଆଇ-୧୭୧ ବିମାନ ଦୁର୍ଘଟଣାର ଆଜି (ଶୁକ୍ରବାର) ପ୍ରଥମ ବାର୍ଷିକୀ । ଏହି ଦୁଃଖଦାୟକ ଦିନରେ ପୀଡ଼ିତଙ୍କ ପରିବାର ନ୍ୟାୟ ଏବଂ ଦୁର୍ଘଟଣାର ପ୍ରକୃତ କାରଣ ଜାଣିବାକୁ ଅପେକ୍ଷା କରିଥିବା ବେଳେ ଏୟାରକ୍ରାଫ୍ଟ ଆକ୍ସିଡେଣ୍ଟ ଇନଭେଷ୍ଟିଗେସନ ବ୍ୟୁରୋ (ଏଏଆଇବି) ର ଚୂଡ଼ାନ୍ତ ତଦନ୍ତ ରିପୋର୍ଟ ଆସିବାରେ ଆଉ ଦୁଇ ମାସ ସମୟ ଲାଗିପାରେ।

ଗତବର୍ଷ ଅହମଦାବାଦରେ ଘଟିଥିବା ଭୟାବହ ଏୟାର ଇଣ୍ଡିଆ ଏଆଇ-୧୭୧ ବିମାନ ଦୁର୍ଘଟଣାର ଆଜି (ଶୁକ୍ରବାର) ପ୍ରଥମ ବାର୍ଷିକୀ । ଏହି ଦୁଃଖଦାୟକ ଦିନରେ ପୀଡ଼ିତଙ୍କ ପରିବାର ନ୍ୟାୟ ଏବଂ ଦୁର୍ଘଟଣାର ପ୍ରକୃତ କାରଣ ଜାଣିବାକୁ ଅପେକ୍ଷା କରିଥିବା ବେଳେ ଏୟାରକ୍ରାଫ୍ଟ ଆକ୍ସିଡେଣ୍ଟ ଇନଭେଷ୍ଟିଗେସନ ବ୍ୟୁରୋ (ଏଏଆଇବି) ର ଚୂଡ଼ାନ୍ତ ତଦନ୍ତ ରିପୋର୍ଟ ଆସିବାରେ ଆଉ ଦୁଇ ମାସ ସମୟ ଲାଗିପାରେ ।  ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ତଦନ୍ତ ସଠିକ୍ ଦିଗରେ ଚାଲିଛି ଏବଂ ସମସ୍ତ ତଥ୍ୟକୁ ସମ୍ପୂର୍ଣ୍ଣ ସ୍ପଷ୍ଟତାର ସହ ସାର୍ବଜନୀନ କରାଯିବ। କୌଣସି ବିଷୟ ଗୋପନ ରଖାଯିବ ନାହିଁ ବୋଲି ଆଶ୍ୱାସନା ଦିଆଯାଇଛି  ।

୧୨ ଜୁନ୍ ୨୦୨୫ରେ ଏୟାର ଇଣ୍ଡିଆର ବୋଇଂ ୭୮୭-୮ ଡ୍ରିମଲାଇନର୍ ବିମାନଟି ଅହମଦାବାଦରୁ ଲଣ୍ଡନ ଅଭିମୁଖେ ଉଡ଼ାଣ ଭରିବାର ମାତ୍ର ୩୨ ସେକେଣ୍ଡ ପରେ ସ୍ଥାନୀୟ ବି.ଜେ. ମେଡିକାଲ କଲେଜ ହଷ୍ଟେଲ ପରିସରରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ବଡ଼ ବିପର୍ଯ୍ୟୟରେ ବିମାନରେ ଥିବା ୨୪୧ ଜଣ (୧୨ କର୍ମଚାରୀ ଓ ୨୨୯ ଯାତ୍ରୀ) ଏବଂ ଦୁର୍ଘଟଣା ଘଟିଥିବା ସ୍ଥାନରେ ଥିବା ୧୯ ଜଣଙ୍କ ସମେତ ମୋଟ ୨୬୦ ଜଣଙ୍କର ମୃତ୍ୟୁ ଘଟିଥିଲା। ବିମାନରୁ କେବଳ ଜଣେ ମାତ୍ର ବ୍ରିଟିଶ ନାଗରିକ ବିଶ୍ୱାସ କୁମାର ରମେଶ ଆଶ୍ଚର୍ଯ୍ୟଜନକ ଭାବେ ବଞ୍ଚିଯାଇଥିଲେ। ଗତ ଏକ ଦଶନ୍ଧି ମଧ୍ୟରେ ଏହା ବିଶ୍ୱର ସବୁଠାରୁ ଭୟଙ୍କର ବିମାନ ଦୁର୍ଘଟଣା ଥିଲା ।

ଗତ ବର୍ଷ ପ୍ରକାଶିତ ପ୍ରାଥମିକ ରିପୋର୍ଟ ଅନୁଯାୟୀ, ଉଡ଼ାଣ ଭରିବାର କିଛି ସେକେଣ୍ଡ ମଧ୍ୟରେ କକପିଟରେ ଥିବା ଇଞ୍ଜିନର ଇନ୍ଧନ ନିୟନ୍ତ୍ରଣ ସୁଇଚ୍ ଗୁଡ଼ିକ ହଠାତ୍ ”ରନ୍” ରୁ ”କଟଅଫ୍” ସ୍ଥିତିକୁ ଚାଲିଯାଇଥିଲା, ଯାହାଫଳରେ ଉଭୟ ଇଞ୍ଜିନକୁ ତେଲ ଯୋଗାଣ ବନ୍ଦ ହୋଇଯାଇଥିଲା ଏବଂ ବିମାନଟି ଶକ୍ତିହୀନ ହୋଇ କ୍ରାଶ୍ ହୋଇଥିଲା। ଏହି ସୁଇଚ୍

ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବନ୍ଦ ହେଲା ନା ପାଇଲଟଙ୍କ ଭୁଲ୍ ଯୋଗୁଁ, ତାହାକୁ ନେଇ ଅନେକ ଆନ୍ତର୍ଜାତୀୟ ଗଣମାଧ୍ୟମରେ କଳ୍ପନାଜଳ୍ପନା ପ୍ରକାଶ ପାଇଛି ।  ତେବେ ତଦନ୍ତକାରୀ ସଂସ୍ଥା ଏସବୁ ଗୁଜବକୁ ପ୍ରତ୍ୟାଖ୍ୟାନ କରିବା ସହ ଇଞ୍ଜିନ ନିର୍ମାତା ”ଜିଇ ଏରୋସ୍ପେସ୍” ପକ୍ଷରୁ କୌଣସି ଆପତ୍ତି ଉଠାଯାଇନଥିବା କହିଛି ।  ଚୂଡ଼ାନ୍ତ ରିପୋର୍ଟ ପୂର୍ବରୁ ଏଏଆଇବି ଏକ ସାମୟିକ ସ୍ଥିତି ସୂଚନା ଜାରି କରିବାକୁ ବିଚାର କରୁଛି ।  ଚାଲିଥିବା ପଶ୍ଚିମ ଏସିଆ ସଙ୍କଟ ଯୋଗୁଁ ବିମାନ ଚଳାଚଳ କ୍ଷେତ୍ର ଓ ଏହା ସହ ଜଡ଼ିତ ସଂସ୍ଥାଗୁଡ଼ିକ ଉପରେ ପଡ଼ିଥିବା ପ୍ରଭାବ ମଧ୍ୟ ତଦନ୍ତ ପ୍ରକ୍ରିୟା ଧୀମା ହେବାର ଅନ୍ୟ ଏକ କାରଣ ବୋଲି ସୂତ୍ରରୁ ଜଣାପଡ଼ିଛି ।

Leave a Reply

Your email address will not be published. Required fields are marked *