ଏହା ମଧ୍ୟରେ ୮୧ଟି ସାମରିକ ବିମାନ, ଡ୍ରୋନ୍ ଏବଂ ହେଲିକପ୍ଟର ସାମିଲ ଥିବା ଜଣାପଡ଼ିଛି । କଂଗ୍ରେସନାଲ ରିସର୍ଚ୍ଚ ସର୍ଭିସର ରିପୋର୍ଟରେ ଆମେରିକାର ଅନେକ ଅତ୍ୟାଧୁନିକ ଯୁଦ୍ଧ ବିମାନ କ୍ଷତିଗ୍ରସ୍ତ ହୋଇଥିବା ଉଲ୍ଲେଖ ରହିଛି ।
ଇରାନ ସହ ଯୁଦ୍ଧରେ ଆମେରିକାକୁ ବଡ଼ ଧରଣର ସାମରିକ କ୍ଷତି ସହିବାକୁ ପଡ଼ିଛି । ଆମେରିକୀୟ କଂଗ୍ରେସର ସଦ୍ୟତମ ରିପୋର୍ଟ ଅନୁଯାୟୀ, ଯୁଦ୍ଧ ଆରମ୍ଭ ହେବା ପରଠାରୁ ଆମେରିକାର ପ୍ରାୟ ୩.୩ ବିଲିୟନ୍ ଡଲାରର ସାମରିକ ସମ୍ପତ୍ତି କ୍ଷତିଗ୍ରସ୍ତ ହୋଇଛି । ଏହା ମଧ୍ୟରେ ୮୧ଟି ସାମରିକ ବିମାନ, ଡ୍ରୋନ୍ ଏବଂ ହେଲିକପ୍ଟର ସାମିଲ ଥିବା ଜଣାପଡ଼ିଛି । କଂଗ୍ରେସନାଲ ରିସର୍ଚ୍ଚ ସର୍ଭିସର ରିପୋର୍ଟରେ ଆମେରିକାର ଅନେକ ଅତ୍ୟାଧୁନିକ ଯୁଦ୍ଧ ବିମାନ କ୍ଷତିଗ୍ରସ୍ତ ହୋଇଥିବା ଉଲ୍ଲେଖ ରହିଛି । ଏଥିରେ ଗୋଟିଏ F-35A ଲାଇଟନିଂ-୨ ଷ୍ଟିଲ୍ଥ୍ ଫାଇଟର ଏବଂ ୧୨ଟି F-15E ଷ୍ଟ୍ରାଇକ୍ ଇଗଲ୍ ରହିଛି । ଯୁଦ୍ଧର ପ୍ରାରମ୍ଭିକ ପର୍ଯ୍ୟାୟରେ ମାର୍ଚ୍ଚ ୨ରେ କୁଏତ ଆକାଶସୀମାରେ ‘ଫ୍ରେଣ୍ଡଲି ଫାୟାର’ ଘଟଣାରେ ତିନୋଟି F-15 ଯୁଦ୍ଧ ବିମାନ ଖସିଥିଲା ।
ପରବର୍ତ୍ତୀ ସମୟରେ ଇରାନୀ ଆକ୍ରମଣରେ ମଧ୍ୟ ଆମେରିକୀୟ ଯୁଦ୍ଧ ବିମାନ କ୍ଷତିଗ୍ରସ୍ତ ହୋଇଥିଲା । ସେପ୍ଟେମ୍ବର ୯ ଓ ୧୦ରେ ଜୋର୍ଡାନର ମୁୱାଫାକ ସାଲ୍ଟି ଏୟାର ବେସ୍ ଉପରେ ହୋଇଥିବା ଇରାନୀ ଆକ୍ରମଣ ସମୟରେ ଆଉ ୮ଟି F-15E ବିମାନ କ୍ଷତିଗ୍ରସ୍ତ ହୋଇଥିବା ରିପୋର୍ଟରେ କୁହାଯାଇଛି ।
ଆମେରିକାର MQ-9 ରିପର୍ ଡ୍ରୋନ୍କୁ ମଧ୍ୟ ବଡ଼ କ୍ଷତି ସହିବାକୁ ପଡ଼ିଛି। ଯୁଦ୍ଧରେ ୪୫ଟି MQ-9 ଡ୍ରୋନ୍ ହରାଇଥିବା ରିପୋର୍ଟରେ ଦାବି କରାଯାଇଛି । ପ୍ରତ୍ୟେକ ଡ୍ରୋନ୍ର ଆନୁମାନିକ ମୂଲ୍ୟ ୩୦ରୁ ୫୦ ନିୟୁତ ଡଲାର ମଧ୍ୟରେ। ଜଣେ ଆମେରିକୀୟ ବାୟୁସେନା ଜେନେରାଲଙ୍କ ଅନୁସାରେ, ଏହି କ୍ଷତି ପରେ ଆମେରିକା ପାଖରେ MQ-9 ଡ୍ରୋନ୍ର ସଂଖ୍ୟା ୧୮୯ରୁ ହ୍ରାସ ପାଇ ୧୩୫ରେ ପହଞ୍ଚିଛି । ଇରାନୀ ଆକ୍ରମଣରେ ଆମେରିକାର ପଞ୍ଚମ ପିଢ଼ିର F-35A ଯୁଦ୍ଧ ବିମାନ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ପ୍ରାୟ ୯୨ ନିୟୁତ ଡଲାର ମୂଲ୍ୟର ଏହି ବିମାନ ମାର୍ଚ୍ଚ ୧୯ରେ ଆକ୍ରମଣର ଶିକାର ହୋଇଥିଲା । ଏହା ବ୍ୟତୀତ ପ୍ରାୟ ୨୭୦ ନିୟୁତ ଡଲାର ମୂଲ୍ୟର E-3 ସେଣ୍ଟ୍ରି ନିରୀକ୍ଷଣ ବିମାନ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି ।
ରିପୋର୍ଟ ଅନୁଯାୟୀ, ଆମେରିକାର ୨ଟି A-10A ୱାର୍ଥଗ୍, ୭ଟି KC-135 ଷ୍ଟ୍ରାଟୋଟ୍ୟାଙ୍କର୍ ଏରିଆଲ୍ ରିଫ୍ୟୁଏଲିଂ ବିମାନ, ଗୋଟିଏ MC-130J କମାଣ୍ଡୋ II ସ୍ପେଶାଲ୍ ଅପରେସନ୍ ବିମାନ, ଗୋଟିଏ HH-60W ଜଲି ଗ୍ରୀନ୍ II ଯୁଦ୍ଧ ସନ୍ଧାନ ଓ ଉଦ୍ଧାର ହେଲିକପ୍ଟର ଏବଂ ଗୋଟିଏ MQ-4C ଟ୍ରାଇଟନ୍ ଡ୍ରୋନ୍ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି ।
ସେହିପରି ୩ଟି MQ-1 ଡ୍ରୋନ୍, ଗୋଟିଏ AH-64 ଆପାଚେ ଆକ୍ରମଣ ହେଲିକପ୍ଟର, ୪ଟି AH-6 ଲିଟିଲ୍ ବାର୍ଡ ଲାଇଟ୍ ଆଟାକ୍ ହେଲିକପ୍ଟର ଏବଂ ଗୋଟିଏ MH-60C ହକ୍ ସାମୁଦ୍ରିକ ହେଲିକପ୍ଟର ମଧ୍ୟ ନଷ୍ଟ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି । ଏହି ଆକଳନ ଆମେରିକା ପାଇଁ ଯୁଦ୍ଧରେ ହୋଇଥିବା ବ୍ୟାପକ ସାମରିକ କ୍ଷତିକୁ ସ୍ପଷ୍ଟ କରୁଛି । ବିଶେଷକରି ଅତ୍ୟାଧୁନିକ ଯୁଦ୍ଧ ବିମାନ ଓ ମାନବବିହୀନ ଡ୍ରୋନ୍ର କ୍ଷତି ଆମେରିକୀୟ ସାମରିକ ଅଭିଯାନ ପାଇଁ ଏକ ବଡ଼ ଝଟକା ବୋଲି ଧରାଯାଉଛି ।

