ନୂଆଦିଲ୍ଲୀରେ ଆରମ୍ଭ ହୋଇଛି ୧୮ତମ BRICS ଶିଖର ସମ୍ମିଳନୀ। ୧୧ ସଦସ୍ୟ ଦେଶର ଏହି ମଞ୍ଚରେ ଭାରତ ବିଶ୍ୱ ଶାସନ ବ୍ୟବସ୍ଥାରେ ସଂସ୍କାର, UNSCରେ ଅଧିକ ପ୍ରତିନିଧିତ୍ୱ, ଗ୍ଲୋବାଲ୍ ସାଉଥ୍ର ସ୍ୱର ଏବଂ ମାନବକୈନ୍ଦ୍ରିକ ବିକାଶ ଉପରେ ଜୋର ଦେଇଛି।
ନୂଆଦିଲ୍ଲୀରେ ଆଜିଠାରୁ ଆରମ୍ଭ ହୋଇଛି ବହୁପ୍ରତୀକ୍ଷିତ ବ୍ରିକ୍ସ ଶିଖର ସମ୍ମିଳନୀ ୨୦୨୬ । ବୈଠକରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନଙ୍କଠୁ ନେଇ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ୍ ସମେତ ୧୧ଟି ସଦସ୍ୟ ଦେଶର ରାଷ୍ଟ୍ରନେତା ଯୋଗ ଦେଇଛନ୍ତି । ବିଶ୍ୱ ରାଜନୀତିରେ ଜଟିଳ ପରିସ୍ଥିତି ଏବଂ ଆର୍ଥିକ ପ୍ରତିବନ୍ଧକ ଭିତରେ ଏହି ମହା-ବୈଠକ ବେଶ ଗୁରୁତ୍ବ ବହନ କରୁଛି ।
ଚଳିତ ସମ୍ମିଳନୀର ମୁଖ୍ୟ ଏଜେଣ୍ଡା ରହିଛି— ବାଣିଜ୍ୟ, ବିନିଯୋଗ, ଶକ୍ତି ସୁରକ୍ଷା ଏବଂ ବିଶ୍ୱ ସଂସ୍ଥାଗୁଡ଼ିକରେ ସଂସ୍କାର। ବିଶେଷକରି ଆମେରିକୀୟ ଡଲାର ଉପରେ ନିର୍ଭରଶୀଳତା କମାଇବା ଏବଂ ପାରସ୍ପରିକ ବାଣିଜ୍ୟରେ ନିଜସ୍ୱ ମୁଦ୍ରାର ବ୍ୟବହାରକୁ ପ୍ରୋତ୍ସାହିତ କରିବା ଏହି ସମ୍ମିଳନୀର ମୁଖ୍ୟ ପ୍ରସଙ୍ଗ ପାଲଟିଛି। ପଶ୍ଚିମ ଦେଶଗୁଡ଼ିକର କଟକଣା ଏବଂ ଆର୍ଥିକ ଚାପରୁ ମୁକ୍ତି ପାଇବା ପାଇଁ ଇରାନ ଏବଂ ରୁଷ ଭଳି ଦେଶଗୁଡ଼ିକ ଏହି ମଞ୍ଚରେ ଗୁରୁତ୍ୱପୂର୍ଣ୍ଣ ମତ ରଖିଛନ୍ତି।
ଅନ୍ୟପକ୍ଷରେ, ୟୁକ୍ରେନ୍ ଏବଂ ପଶ୍ଚିମ ଏସିଆର ଯୁଦ୍ଧ ପରିସ୍ଥିତି ସମାଧାନ ଉପରେ ବିଚାର କରାଯାଇଛି । ସମ୍ମିଳନୀର ପ୍ରଥମ ଦିନକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋକପାତ କରିବା ସହ ୧୦ଟି ପ୍ରସ୍ତାବ ରଖିଛନ୍ତି ।
ବ୍ରିକ୍ସକୁ ସମ୍ବୋଧିତ କରି ବିଶ୍ବ ମଞ୍ଚରୁ ବାର୍ତ୍ତା ଦେଇଛି ଭାରତ । ଆଜିର ଏହି ମେଗା ସମ୍ମିଳନୀରେ ଭାରତ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛି…
‘ବ୍ରିକ୍ସ’ରୁ ଭାରତର ବାର୍ତ୍ତା
-UNSCରେ ସୁଧାର ଆଣିବା ଜରୁରୀ
-ବ୍ରିକ୍ସ ଦେଶ ଏକଜୁଟ୍ ରହିବା ଆବଶ୍ୟକ
-ଜନକଲ୍ୟାଣ ସହ ଯୋଡ଼ି ହେବାକୁ ବ୍ରିକ୍ସର ଲକ୍ଷ୍ୟ
-ଗ୍ଲୋବାଲ ଗଭର୍ଣ୍ଣସ ରିଫର୍ମ ଜରୁରୀ
-ସମସ୍ତ ରାଷ୍ଟ୍ରଙ୍କ ସମାନ ଭାଗିଦାରୀ ଆବଶ୍ୟକ
-ବ୍ରିକ୍ସ କାହା ବିରୋଧରେ ନୁହେଁ, ସମସ୍ତଙ୍କ ସହ ରହିଛି
-ସମସ୍ତଙ୍କ ଏକାଠି ନେଇ ଚାଲିବାକୁ ବ୍ରିକ୍ସ ସଦସ୍ୟଙ୍କ ବିଚାର
-ବ୍ରିକ୍ସ ପାଇଁ ମାନବିକତା ସର୍ବୋପରି
-ଆଗାମୀ ୨୦ବର୍ଷ ଏଜେଣ୍ଡା ଲକ୍ଷ୍ୟରେ କାମ କରିବ ବ୍ରିକ୍ସ
-ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଏମରଜେନ୍ସି ସିଷ୍ଟମ୍
ବିକାଶଶୀଳ ଦେଶମାନଙ୍କର ସ୍ୱରକୁ ଆନ୍ତର୍ଜାତୀୟ ସ୍ତରରେ ଅଧିକ ଶାଣିତ କରିବା ଏବଂ ମାନବ କୈନ୍ଦ୍ରିକ ବିକାଶକୁ ଆଗକୁ ବଢ଼ାଇବା ପାଇଁ ଭାରତ ସର୍ବଦା ପ୍ରତିଶ୍ରୁତିବଦ୍ଧ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ନିଜ ସମ୍ବୋଧନରେ ସ୍ପଷ୍ଟ କରିଛି ।

