ଗାଜାରୁ ହଟିଲା ହମାସ ଶାସନ : ପ୍ରଶାସନିକ କମିଟିକୁ କ୍ଷମତା ହସ୍ତାନ୍ତର

ବିଗତ ପ୍ରାୟ ଦୁଇ ଦଶନ୍ଧି ଧରି ଗାଜା ଷ୍ଟ୍ରିପରେ ଶାସନ ଗାଦି ସମ୍ଭାଳିଥିବା ପାଲେଷ୍ଟାଇନର ସଶସ୍ତ୍ର ସଂଗଠନ ”ହମାସ” ସେଠାରେ ନିଜର ଶାସନ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ରୂପେ ଭଙ୍ଗ କରିବା ସହ ନିଜର ବେସାମରିକ ପ୍ରଶାସନିକ ଦାୟିତ୍ୱ ଏକ ବୈଷୟିକ (ଟେକ୍ନୋକ୍ରାଟିକ୍) କମିଟିକୁ ହସ୍ତାନ୍ତର କରିବା ପାଇଁ ବଡ଼ ନିଷ୍ପତ୍ତି ନେଇଛି ।

ବିଗତ ପ୍ରାୟ ଦୁଇ ଦଶନ୍ଧି ଧରି ଗାଜା ଷ୍ଟ୍ରିପରେ ଶାସନ ଗାଦି ସମ୍ଭାଳିଥିବା ପାଲେଷ୍ଟାଇନର ସଶସ୍ତ୍ର ସଂଗଠନ ”ହାମାସ” ସେଠାରେ ନିଜର ଶାସନ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ରୂପେ ଭଙ୍ଗ କରିବା ସହ ନିଜର ବେସାମରିକ ପ୍ରଶାସନିକ ଦାୟିତ୍ୱ ଏକ ବୈଷୟିକ (ଟେକ୍ନୋକ୍ରାଟିକ୍) କମିଟିକୁ ହସ୍ତାନ୍ତର କରିବା ପାଇଁ ବଡ଼ ନିଷ୍ପତ୍ତି ନେଇଛି । ଆମେରିକାର ମଧ୍ୟସ୍ଥତାରେ ଗତ ଅକ୍ଟୋବର ମାସରେ ଇସ୍ରାଏଲ ସହ ହୋଇଥିବା ଅସ୍ତ୍ରବିରତି ଚୁକ୍ତି ପରଠାରୁ ହିଁ ହାମାସ ପ୍ରଶାସନିକ ଦାୟିତ୍ୱରୁ ଦୂରେଇ ରହିବାକୁ ବାରମ୍ବାର ସଙ୍କେତ ଦେଇ ଆସୁଥିଲା । 

ଏହି ଐତିହାସିକ ନିଷ୍ପତ୍ତି ପରେ ଗାଜାରେ ଏକ ନୂତନ ପ୍ରଶାସନିକ ଗଠନ ପାଇଁ ରାସ୍ତା ସଫା ହୋଇଥିଲେ ମଧ୍ୟ, ହାମାସର ସମ୍ପୂର୍ଣ୍ଣ ନିରସ୍ତ୍ରୀକରଣ ପ୍ରସଙ୍ଗ ଏବେ ସୁଦ୍ଧା ଅମୀମାଂସିତ ହୋଇ ରହିଛି । ଗାଜାର ସରକାରୀ ଗଣମାଧ୍ୟମ କାର୍ଯ୍ୟାଳୟ ପକ୍ଷରୁ ଜାରି ଏକ ବିବୃତ୍ତିରେ ସରକାରୀ ଜରୁରୀକାଳୀନ କମିଟିର ମୁଖ୍ୟ ମହମ୍ମଦ ଅଲ-ଫାରା ନିଜ ପଦରୁ ଇସ୍ତଫା ଦେବା ସହ ଏହି ସଂଗଠନକୁ ଭଙ୍ଗ କରାଯାଇଥିବା ସ୍ପଷ୍ଟ କରିଛନ୍ତି, ଯାହାଦ୍ୱାରା ନୂତନ ଶାସନ ପ୍ରକ୍ରିୟା ସହଜ ହୋଇପାରିବ ।

ହାମାସର ଏହି ପଦକ୍ଷେପ ପରେ ଏବେ ଗାଜା ଶାସନ ଦାୟିତ୍ୱ ”ନ୍ୟାସନାଲ କମିଟି ଫର ଦି ଆଡମିନିଷ୍ଟ୍ରେସନ ଅଫ ଗାଜା” (ଏନସିଏଜି) ହାତକୁ ଯିବ, ଯାହା ଆମେରିକା ସମର୍ଥିତ ଯୋଜନା ଅନୁଯାୟୀ ସେଠାକାର ବେସାମରିକ ଶାସନ ବ୍ୟବସ୍ଥାର ତଦାରଖ କରିବ। ହାମାସ ପ୍ରବକ୍ତା ହାଜେମ କାସେମ ଗଣମାଧ୍ୟମକୁ କହିଛନ୍ତି ଯେ, ସେମାନେ ଗାଜା ଉପରେ ଚାଲିଥିବା ଇସ୍ରାଏଲର ଆକ୍ରମଣର ସମସ୍ତ ବାହାନାକୁ ଶେଷ କରିବା ପାଇଁ ଏହି ବଡ଼ ନିଷ୍ପତ୍ତି ନେଇଛନ୍ତି ଏବଂ ଖୁବଶୀଘ୍ର ନୂତନ ପ୍ରଶାସନିକ କମିଟି ଗାଜାରେ କାର୍ଯ୍ୟଭାର ଗ୍ରହଣ କରିବ। ଅନ୍ୟପଟେ, ଏନସିଏଜିର ମୁଖ୍ୟ ଅଲ୍ଲୀ ଶାଥ ଏହି ନିଷ୍ପତ୍ତିକୁ ସ୍ୱାଗତ କରିବା ସହ ଆବଶ୍ୟକୀୟ ସମ୍ବଳ ମିଳିବା ମାତ୍ରେ ଦାୟିତ୍ୱ ନେବାକୁ କମିଟି ପ୍ରସ୍ତୁତ ଥିବା କହିଛନ୍ତି।

ଏହି ଶାସନ ପରିବର୍ତ୍ତନ ଉପରେ ନଜର ରଖିଥିବା ଆମେରିକା ପ୍ରତିଷ୍ଠିତ ”ବୋର୍ଡ ଅଫ ପିସ ଫର ଗାଜା”ର ଉଚ୍ଚ ପ୍ରତିନିଧି ନିକୋଲାୟ ମ୍ଲାଡେନୋଭ ମଧ୍ୟ ଏହାକୁ ଶାନ୍ତି ପ୍ରକ୍ରିୟା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି କହିଛନ୍ତି। ତେବେ ଇସ୍ରାଏଲର କେତେକ ଆପତ୍ତି ଯୋଗୁଁ ନୂତନ କମିଟି ଗାଜା ଭିତରକୁ ପ୍ରବେଶ କରିବାରେ ସାମାନ୍ୟ ବିଳମ୍ବ ହେଉଥିବା ବେଳେ, ଇସ୍ରାଏଲ ସ୍ପଷ୍ଟ କରିଛି ଯେ ସେ ହାମାସକୁ କୌଣସି ପରିସ୍ଥିତିରେ ଗାଜା ଚଲାଉବାକୁ ଦେବନାହିଁ ଏବଂ ବର୍ତ୍ତମାନ ପାଇଁ ୱେଷ୍ଟ ବ୍ୟାଙ୍କ ଶାସନ କରୁଥିବା ପାଲେଷ୍ଟାଇନ ଅଥରିଟିକୁ ମଧ୍ୟ ଏହି କ୍ଷମତା ହସ୍ତାନ୍ତର କରାଯିବ ନାହିଁ।

Leave a Reply

Your email address will not be published. Required fields are marked *