ବଲିଉଡ୍ର ‘ବାଦଶାହ’ ଶାହରୁଖ ଖାନ୍ ୨ ନଭେମ୍ବରରେ ନିଜର ୬୧ତମ ଜନ୍ମଦିନ ପାଳନ କରୁଛନ୍ତି। ପ୍ରତିବର୍ଷ ପରି ଏଥର ମଧ୍ୟ ତାଙ୍କ ଜନ୍ମଦିନକୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ଦେଖାଯାଇଛି ଭାରି ଉତ୍ସାହ। ରାତି ହେବା ସହିତ ମୁମ୍ବାଇରେ ଶାହରୁଖଙ୍କ ବାସଭବନ
ବଲିଉଡ୍ର ‘ବାଦଶାହ’ ଶାହରୁଖ ଖାନ୍ ୨ ନଭେମ୍ବରରେ ନିଜର ୬୧ତମ ଜନ୍ମଦିନ ପାଳନ କରୁଛନ୍ତି। ପ୍ରତିବର୍ଷ ପରି ଏଥର ମଧ୍ୟ ତାଙ୍କ ଜନ୍ମଦିନକୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ଦେଖାଯାଇଛି ଭାରି ଉତ୍ସାହ। ରାତି ହେବା ସହିତ ମୁମ୍ବାଇରେ ଶାହରୁଖଙ୍କ ବାସଭବନ ‘ମନ୍ନତ’ ବାହାରେ ହଜାର ହଜାର ପ୍ରଶଂସକଙ୍କ ଭିଡ଼ ଲାଗିଥିଲା। ସମସ୍ତଙ୍କର ଗୋଟିଏ ଅପେକ୍ଷା—କେବେ ଦେଖାଦେବେ କିଙ୍ଗ୍ ଖାନ୍।
କିନ୍ତୁ ଏଥର ଶାହରୁଖ ନିଜ ବଙ୍ଗଳା ‘ମନ୍ନତ’ରେ ଉପସ୍ଥିତ ନଥିଲେ। ସେ କିଛି ସମୟ ପାଇଁ ମନ୍ନତରୁ ଅନ୍ୟତ୍ର ରହୁଥିବା ବେଳେ ନିଜ ପରିବାର ଓ ଘନିଷ୍ଠ ବନ୍ଧୁମାନଙ୍କ ସହ ଦକ୍ଷିଣ ମୁମ୍ବାଇର ତାଜ୍ ହୋଟେଲରେ ଜନ୍ମଦିନ ପାଳନ କରିଥିଲେ। ଏହି ସେଲିବ୍ରେସନରେ ତାଙ୍କ ଝିଅ ସୁହାନା ଖାନ୍ ଓ ପୁଅ ଆର୍ୟନ ଖାନ୍ ମଧ୍ୟ ଉପସ୍ଥିତ ଥିଲେ।
ପାର୍ଟି ଶେଷ ହେବା ପରେ ଶାହରୁଖ ଯେତେବେଳେ ହୋଟେଲରୁ ବାହାରିଲେ, ସେତେବେଳେ ବାହାରେ ଅପେକ୍ଷା କରିଥିବା ଫ୍ୟାନ୍ସଙ୍କ ପାଇଁ ଏହା ହେଲା ସବୁଠାରୁ ବଡ଼ ସରପ୍ରାଇଜ୍। କେବଳ କିଛି ସେକେଣ୍ଡ ପାଇଁ ଶାହରୁଖଙ୍କୁ ଦେଖିବା ମାତ୍ରେ ଫ୍ୟାନ୍ସ ଖୁସିରେ ଚିତ୍କାର କରିଉଠିଥିଲେ। ସେ ହାତ ହଲାଇ ପ୍ରଶଂସକଙ୍କୁ ଅଭିବାଦନ ଜଣାଇବା ସହ ନିଜ ସ୍ୱତନ୍ତ୍ର ଅନ୍ଦାଜରେ ଫ୍ଲାଇଂ କିସ୍ ଦେଇଥିଲେ। କିଙ୍ଗ୍ ଖାନ୍ଙ୍କ ଏହି ଝଲକ ଫ୍ୟାନ୍ସଙ୍କ ରାତିକୁ ଆହୁରି ସ୍ମରଣୀୟ କରିଦେଇଥିଲା।
ଅନ୍ୟପଟେ ‘ମନ୍ନତ’ ବାହାରେ ମଧ୍ୟ ଫ୍ୟାନ୍ସଙ୍କ ପାଇଁ ବିଶେଷ ବ୍ୟବସ୍ଥା କରାଯାଇଥିଲା। ବଙ୍ଗଳା ବାହାରେ ଏକ ବଡ଼ ସ୍କ୍ରିନ୍ ଲଗାଯାଇଥିଲା, ଯେଉଁଥିରେ ଶାହରୁଖଙ୍କ ଆଗାମୀ ଫିଲ୍ମ ‘କିଙ୍ଗ୍’ର ଝଲକ ଓ ପୋଷ୍ଟର ଦେଖାଯାଇଥିଲା। ଏହାସହ ଫ୍ୟାନ୍ସଙ୍କ ପାଇଁ ଶାହରୁଖ ଏକ କୃତଜ୍ଞତା ବାର୍ତ୍ତା ମଧ୍ୟ ଦେଇଥିଲେ। ସେଥିରେ ପ୍ରଶଂସକଙ୍କ ଭଲପାଇବା ଓ ଶୁଭେଚ୍ଛା ପାଇଁ ଧନ୍ୟବାଦ ଜଣାଯାଇଥିଲା।
ଶାହରୁଖଙ୍କ ୬୧ତମ ଜନ୍ମଦିନକୁ ଆଉ ଏକ କାରଣରୁ ବିଶେଷ କରିଛି ତାଙ୍କ ଆଗାମୀ ଫିଲ୍ମ ‘କିଙ୍ଗ୍’। ଜନ୍ମଦିନ ଅବସରରେ ଫିଲ୍ମର ପ୍ରଥମ ଗୀତ ‘ତୁ ମିଲ୍ ଯାଏ’ ମଧ୍ୟ ରିଲିଜ୍ ହୋଇଛି। ଏଥିରେ ଶାହରୁଖଙ୍କ ସହ ଦୀପିକା ପାଦୁକୋଣ ନଜର ଆସିଛନ୍ତି।
ଫିଲ୍ମଟି ୨୪ ଡିସେମ୍ବର ୨୦୨୬ରେ ପ୍ରେକ୍ଷାଳୟକୁ ଆସିବ। ଏଥିରେ ସୁହାନା ଖାନ୍ ଓ ରାଣୀ ମୁଖାର୍ଜୀ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ।
୬୧ ବର୍ଷ ବୟସରେ ମଧ୍ୟ ଶାହରୁଖଙ୍କ ପ୍ରତି ଫ୍ୟାନ୍ସଙ୍କ ଭଲପାଇବା କମିନାହିଁ। ବରଂ ଜନ୍ମଦିନ ରାତିରେ ମନ୍ନତ ବାହାରେ ଜମା ହୋଇଥିବା ଭିଡ଼ ପୁଣିଥରେ ପ୍ରମାଣ କରିଦେଇଛି ଯେ, କାହିଁକି ଶାହରୁଖ ଖାନ୍ଙ୍କୁ ବଲିଉଡ୍ର ‘କିଙ୍ଗ୍’ ବୋଲି କୁହାଯାଏ।

