ଝାରସୁଗୁଡ଼ା ଜିଲ୍ଲାର ଲଖନପୁର ବ୍ଲକ୍ ର ବନ୍ଧ ବାହାଳରେ ଭାରତ କୋଲ୍ ଗ୍ୟାସିଫିକେସନ ଆଣ୍ଡ୍ କେମିକାଲ୍ସ ଲିମିଟେଡ୍ (ବିସିଜିସିଏଲ୍) ଏକ କୋଲ୍ ଗ୍ୟାସିଫିକେସନ ପ୍ରକଳ୍ପ ସ୍ଥାପନ କରୁଛି
ଝାରସୁଗୁଡ଼ା ଜିଲ୍ଲାର ଲଖନପୁର ବ୍ଲକ୍ ର ବନ୍ଧ ବାହାଳରେ ଭାରତ କୋଲ୍ ଗ୍ୟାସିଫିକେସନ ଆଣ୍ଡ୍ କେମିକାଲ୍ସ ଲିମିଟେଡ୍ (ବିସିଜିସିଏଲ୍) ଏକ କୋଲ୍ ଗ୍ୟାସିଫିକେସନ ପ୍ରକଳ୍ପ ସ୍ଥାପନ କରୁଛି । ଏହି ପ୍ରକଳ୍ପ ପାଇଁ କମ୍ପାନି ହୀରାକୁଦ ଜଳଭଣ୍ଡାରରୁ ୨୪.୨୦ କ୍ୟୁସେକ୍ ପାଣି ଟାଣିବ। ରାଜ୍ୟ ସରକାରଙ୍କ ଗୋ-ସ୍ବିଫ୍ଟ ପୋର୍ଟାଲରେ କମ୍ପାନି ସେଥିପାଇଁ ଆବେଦନ କରିଥିଲା । ଉକ୍ତ ଆବେଦନ ସମ୍ପର୍କରେ ଚଳିତ ମାସ ୧୨ ତାରିଖରେ ଅନୁଷ୍ଠିତ ୧୫୯ତମ ଜଳ ଆବଣ୍ଟନ କମିଟି (ଡବ୍ଲ୍ୟୁଏସି) ବୈଠକରେ ଆଲୋଚନା ହୋଇଥିଲା। କମ୍ପାନିର ଆବେଦନକୁ ବୈଠକରେ ମଞ୍ଜୁର କରାଯାଇଥିଲା ।
ମିଳିଥିବା ସୂଚନା ଅନୁସାରେ, କୋଲ୍ ଇଣ୍ଡିଆ ଓ ଭେଲ୍ର ଯୌଥ ଉଦ୍ୟୋଗ ବିସିଜିସିଏଲ୍ ତିନିଟି ପର୍ଯ୍ୟାୟରେ ହୀରାକୁଦରୁ ପାଣି ନେବ। ୨୦୨୮ ଜାନୁଆରିରୁ ଡିସେମ୍ବର ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟରେ କମ୍ପାନି ୧୦ କ୍ୟୁସେକକ୍ଜଳ ସଂଗ୍ରହ କରିବ। ୨୦୨୯ ଜାନୁଆରିରୁ ଡିସେମ୍ବର ପର୍ଯ୍ୟନ୍ତ ଦ୍ବିତୀୟ ପର୍ଯ୍ୟାୟରେ ୧୯.୬୨ କ୍ୟୁସେକ୍ ଜଳ ନେବ। ୨୦୩୦ ଜାନୁଆରିରୁ ୨୦୫୫ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ କମ୍ପାନି ତୃତୀୟ ପର୍ଯ୍ୟାୟରେ ୨୪.୨୦ କ୍ୟୁସେକ୍ ଜଳ ସଂଗ୍ରହ କରିବ। ଶିଳ୍ପ ବ୍ୟବହାର ନିମେନ୍ତ କମ୍ପାନିକୁ ଏହି ପରିମାଣର ପାଣି ଆବଣ୍ଟନ କରିବାକୁ ଇପିକଲ୍ ତରଫରୁ ଚଳିତ ବର୍ଷ ଜୁନ୍ ୨୯ରେ ସୁପାରିସ କରାଯାଇଥିଲା।
ବିସିଜିସିଏଲ୍ ମାଗିଥିବା ପରିମାଣର ଜଳ ଦେବା ସମ୍ପର୍କରେ ମହାନଦୀ ଅବବାହିକା, ବୁର୍ଲାର ମୁଖ୍ୟଯନ୍ତ୍ରୀଙ୍କ ମତ ଲୋଡ଼ାଯାଇଥିଲା। ମୁଖ୍ୟଯନ୍ତ୍ରୀ ଜଣାଇଥିଲେ ଯେ କମ୍ପାନିକୁ ଆବଶ୍ୟକ ପରିମାଣ ପାଣି ଆବଣ୍ଟନ କରାଯାଇପାରିବ। କିନ୍ତୁ କୌଣସି ପରିସ୍ଥିତିରେ କମ୍ପାନି ଆର୍ଏଲ୍-୫୦୦ ଫୁଟ ତଳକୁ ଏବଂ ଜଳଭଣ୍ଡାରରେ ଅଳ୍ପ ପାଣି ଥିବା ସମୟରେ ପାଣି ନେଇପାରିବ ନାହିଁ। ନିଜ ତିନି ମାସର ପାଣି ଆବଶ୍ୟକତା ପୂରଣ କରିବାକୁ ପ୍ରକଳ୍ପ ପରିସରରେ ବ୍ୟବସ୍ଥା କରିବାକୁ ମଧ୍ୟ ବିସିଜିସିଏଲ୍କୁ ପରାମର୍ଶ ଦିଆଯାଇଥିଲା। ଜଳଭଣ୍ଡାରରେ କମ୍ ପାଣି ଥିବା ସମୟ ପାଇଁ ଜଳ ପରିଚାଳନା ଯୋଜନାକୁ କମ୍ପାନି ଦାଖଲ କରିନାହିଁ। ଏଥି ସହିତ ପ୍ରକଳ୍ପ ଭିତରେ ତିନି ମାସର ପାଣି ପାଇଁ ମଧ୍ୟ ବ୍ୟବସ୍ଥା ନାହିଁ।
ହିରାକୁଦ ଜଳ ଭଣ୍ଡାରରୁ ଶିଳ୍ପ ସଂସ୍ଥାଗୁଡ଼ିକୁ ୬୩୦୦ କ୍ୟୁସେକ୍ ପର୍ଯ୍ୟନ୍ତ ଜଳ ସଂଗ୍ରହ କରିବାକୁ ଅନୁମତି ଦିଆଯାଇଛି। କିନ୍ତୁ ବାସ୍ତବରେ ସେମାନେ ନେଉଥିବା ପାଣି ୨୦୦-୨୬୦ କ୍ୟୁସେକ୍ ପାଖାପାଖି ରହୁଛି। ବିସିଜିସିଏଲ୍ ମାଗିଥିବା ପାଣି ବର୍ତ୍ତମାନ ସମୟରେ ସବୁ ଶିଳ୍ପ ସଂସ୍ଥା ନେଉଥିବା ପାଣିର ୧୦ ପ୍ରତିଶତ ପାଖାପାଖି ରହୁଛି। ପଶ୍ଚିମ ଓଡ଼ିଶାରେ ଥିବା ଆଲୁମିନିୟମ, ଇସ୍ପାତ, ପାୱାର ପ୍ଲାଣ୍ଟ ଓ ସିମେଣ୍ଟ ଶିଳ୍ପଗୁଡ଼ିକ ହୀରାକୁଦ ଜଳଭଣ୍ଡାରର ପାଣି ବ୍ୟବହାର କରୁଛନ୍ତି।
ଉଲ୍ଲେଖଯୋଗ୍ୟ, ଲଖନପୁରରେ ୨୫,୦୧୬ କୋଟି ଟଙ୍କା ନିବେଶରେ କୋଇଲା ଗ୍ୟାସିଫିକେସନ ପ୍ରକଳ୍ପ ସ୍ଥାପନ କରାଯାଉଛି। ଚଳିତ ବର୍ଷ ଜୁନ ୨୦ରେ ପ୍ରକଳ୍ପ ର ଶିଳାନ୍ୟାସ ହୋଇଥିଲା। ୨୦୩୦ ସୁଦ୍ଧା ପ୍ରକଳ୍ପ କାର୍ଯ୍ୟକ୍ଷମ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏଥିରେ ଦୈନିକ ୨୦୦୦ ଟନ୍ ଆମୋନିଅମ ନାଇଟ୍ରେଟ୍ ଉତ୍ପାଦନ କରାଯିବ।

