ହାୱାଇରେ ୧୫୫ ବର୍ଷର ସବୁଠାରୁ ବଡ଼ ବିପର୍ଯ୍ୟୟ ; ମାଡ଼ି ଆସୁଛି ଘୂର୍ଣ୍ଣିବାତ୍ୟା ‘ଲାଲା’, ୪୨ ହଜାରରୁ ଅଧିକ ଘର ଅନ୍ଧାର

୧୮୭୧ ମସିହା ପରେ ପ୍ରଥମ ଥର ପାଇଁ ଶକ୍ତିଶାଳୀ ଝଡ଼ ଏହି ଦ୍ୱୀପର ଏତେ ନିକଟ ଦେଇ ଗତି କରୁଛି । ଘଣ୍ଟା ପ୍ରତି ୧୨୦ କିମି ବେଗରେ ବହୁଥିବା ପବନ ସହ ପ୍ରବଳ ବର୍ଷା ଏବଂ ସମୁଦ୍ରର ଉଚ୍ଚ ଜୁଆର ସମଗ୍ର ଅଞ୍ଚଳରେ ହାହାକାର ସୃଷ୍ଟି କରିଛି ।

ଆମେରିକାର ହାୱାଇ ରାଜ୍ୟରେ ପ୍ରକୃତିର କରାଳ ରୂପ ଦେଖିବାକୁ ମିଳିଛି । ୧୫୫ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ‘ଘୂର୍ଣ୍ଣିବାତ୍ୟା ଲାଲା’ ହାୱାଇର ବିଗ୍ ଆଇଲ୍ୟାଣ୍ଡକୁ ବଡ଼ ସଙ୍କଟରେ ପକାଇଛି । ୧୮୭୧ ମସିହା ପରେ ପ୍ରଥମ ଥର ପାଇଁ କୌଣସି ଶକ୍ତିଶାଳୀ ଝଡ଼ ଏହି ଦ୍ୱୀପର ଏତେ ନିକଟ ଦେଇ ଗତି କରୁଛି । ଜାତୀୟ ହରିକେନ୍ କେନ୍ଦ୍ରର ସୂଚନା ଅନୁଯାୟୀ, ଘଣ୍ଟା ପ୍ରତି ୧୨୦ କିଲୋମିଟର ବେଗରେ ବହୁଥିବା ପବନ ସହ ପ୍ରବଳ ବର୍ଷା ଏବଂ ସମୁଦ୍ରର ଉଚ୍ଚ ଜୁଆର ସମଗ୍ର ଅଞ୍ଚଳରେ ହାହାକାର ସୃଷ୍ଟି କରିଛି। ବିଶେଷ କରି ୨ ଲକ୍ଷ ୧୦ ହଜାରରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ବିଗ୍ ଆଇଲ୍ୟାଣ୍ଡରେ ଝଡ଼ ନେଇ ସତର୍କ ସୂଚନା ଜାରି କରାଯାଇଥିବା ବେଳେ ମାଉଇ, ଓଆହୁ, କାଉଇ ଏବଂ ମୋଲୋକାଇ ସମେତ ଅନ୍ୟାନ୍ୟ ଦ୍ୱୀପପୁଞ୍ଜକୁ ମଧ୍ୟ ସଜାଗ ରହିବାକୁ କୁହାଯାଇଛି ।

ପାଣିପାଗ ବିଜ୍ଞାନୀଙ୍କ ଅନୁସାରେ, ଏହି ଝଡ଼ ଦ୍ୱୀପର ଦକ୍ଷିଣ ଅଂଶ ଦେଇ ଗତି କରିବା ସମୟରେ ପାର୍ବତ୍ୟାଞ୍ଚଳରେ ପ୍ରାୟ ୬୩.୫ ସେମି ବା ୨୫ ଇଞ୍ଚ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି, ଯାହା ବନ୍ୟା ଏବଂ ଭୂସ୍ଖଳନର ଆଶଙ୍କାକୁ ବଢ଼ାଇ ଦେଇଛି । ହାୱାଇ ରାଜ୍ୟପାଳ ଜୋଶ ଗ୍ରୀନ୍ କହିଛନ୍ତି ଯେ କେତେକ ସ୍ଥାନରେ ଘଣ୍ଟା ପ୍ରତି ୫ ସେମି ବର୍ଷା ହେଉଛି, ତେଣୁ ସେ ଲୋକଙ୍କୁ ସୁରକ୍ଷା ଦୃଷ୍ଟିରୁ ଘର ଭିତରେ ରହିବାକୁ ଅନୁରୋଧ କରିଛନ୍ତି । ଝଡ଼ର ପ୍ରଭାବରେ ଅନେକ ସ୍ଥାନରେ ଗଛ ଉପୁଡ଼ି ପଡ଼ିବା ସହ ବିଦ୍ୟୁତ୍ ଖୁଣ୍ଟ ଭାଙ୍ଗି ଯାଇଛି । ଏହା ଫଳରେ ହାୱାଇର ପ୍ରାୟ ୪୨ ହଜାରରୁ ଅଧିକ ପରିବାର ଏବେ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ ହେବା ଯୋଗୁଁ ଅନ୍ଧାରରେ ରହିଛନ୍ତି। ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ହିଲୋ ଏବଂ କୋନା ବିମାନବନ୍ଦର ସମେତ ମୁଖ୍ୟ ସମୁଦ୍ର ବନ୍ଦରଗୁଡ଼ିକୁ ମଧ୍ୟ ବନ୍ଦ କରିଦିଆଯାଇଛି ।

ପ୍ରଶାସନ ପକ୍ଷରୁ ସ୍ଥାନୀୟ ଲୋକଙ୍କୁ ଜେନେରେଟର, ଇନ୍ଧନ ଏବଂ ପାନୀୟ ଜଳ ମହଜୁଦ ରଖିବାକୁ ପରାମର୍ଶ ଦିଆଯିବା ସହ ବିଭିନ୍ନ ସ୍ଥାନରେ ରିଲିଫ୍ ଶିବିର ଖୋଲାଯାଇଛି । ତେବେ ବନ୍ୟା ଓ ଭୂସ୍ଖଳନ ଅପେକ୍ଷା ଶୁଷ୍କ ପବନ ଯୋଗୁଁ ଜଙ୍ଗଲରେ ନିଆଁ ଲାଗିବା ଆଶଙ୍କା ସ୍ଥାନୀୟ ପ୍ରଶାସନର ଚିନ୍ତାକୁ ଦ୍ୱିଗୁଣିତ କରିଛି । ୨୦୨୩ ମସିହାରେ ଲାହାଇନାରେ ଘଟିଥିବା ଭୟାବହ ଅଗ୍ନିକାଣ୍ଡ ଭଳି ପରିସ୍ଥିତି ଯେଭଳି ପୁଣି ନଉପୁଜେ, ସେଥିପାଇଁ ସରକାର ସତର୍କ ରହିଛନ୍ତି । ଗୋପାଳକମାନଙ୍କୁ ମଧ୍ୟ ସେମାନଙ୍କ ଗୋରୁମାନଙ୍କୁ ସୁରକ୍ଷିତ ଖୋଲା ପଡ଼ିଆରେ ଛାଡିବାକୁ ପରାମର୍ଶ ଦିଆଯାଇଛି । ଝଡ଼ର ତୀବ୍ରତା ଏତେ ଅଧିକ ଯେ ମାଉନାକିଆର ସର୍ବୋଚ୍ଚ ଶିଖରରେ ଘଣ୍ଟା ପ୍ରତି ୧୬୧ କିମି ବେଗରେ ପବନ ବହୁଥିବା ରେକର୍ଡ କରାଯାଇଛି ।

Leave a Reply

Your email address will not be published. Required fields are marked *