ସ୍ଲିପ୍ ପାରାଲିସିସ୍ କ’ଣ ? କାହିଁକି ନିଦ ଭାଙ୍ଗିଲା ପରେ ମଧ୍ୟ ହଲିପାରେନି ଶରୀର ?

ରାତି ଅଧରେ ଆମର ଯେତେବେଳେ ହଠାତ ନିଦ ଭାଙ୍ଗିଯାଏ ସେତେବେଳେ ଆମ ଶରୀରର ମାଂସପେଶୀ ଶିଥିଳ ଅବସ୍ଥାରେ ରହିଥାଏ । ତେଣୁ ଶରୀରକୁ ଜାଗ୍ରତ ହେବାକୁ କିଛି ସମୟ ଲାଗିଥାଏ ହେଲେ ମସ୍ତିଷ୍କ ବହୁତ ଶୀଘ୍ର ସଜାଗ ହୋଇଯାଏ ।

ଅନେକ ଲୋକ ଜୀବନରେ ଥରେ ନା ଥରେ ଏପରି ଅନୁଭବ ନିଶ୍ଚୟ କରିଥିବେ। ହଠାତ ମଧ୍ୟ ରାତ୍ରରେ ଆଖି ଖୋଲିଯାଏ, ଚାରିପାଖ ସବୁ ଦେଖାଯାଏ ହେଲେ ଯେତେ ଚେଷ୍ଟା କଲେ ମଧ୍ୟ ଶରୀରକୁ ହଲାଇବା ସମ୍ଭବ ହୋଇପାରେନି । ଚିତ୍କାର କରି କାହାକୁ ଡାକିବାକୁ ଚାହିଲେ ମଧ୍ୟ ପାଟିରୁ କଥା ବାହାରେନି,ଏହାକୁ କୁହାଯାଏ ସ୍ଲିପ୍ ପାରାଲିସିସ .. 

ସ୍ଲିପ ପାରାଲିସିସ କ’ଣ ?

ସ୍ଲିପ ପାରାଲିସିସ କୌଣସି ଭୁତପ୍ରେତ ଜନିତ କିମ୍ବା ଅଲୌକିକ ଘଟଣା ନୁହେଁ । ଏହା ନିଦ୍ରା ସହିତ ଜଡ଼ିତ ଏକ ଗଭୀର ସମସ୍ୟା । ରାତି ଅଧରେ ଆମର ଯେତେବେଳେ ହଠାତ ନିଦ ଭାଙ୍ଗିଯାଏ ସେତେବେଳେ ଆମ ଶରୀରର ମାଂସପେଶୀ ଶିଥିଳ ଅବସ୍ଥାରେ ରହିଥାଏ । ତେଣୁ ଶରୀରକୁ ଜାଗ୍ରତ ହେବାକୁ କିଛି ସମୟ ଲାଗିଥାଏ ହେଲେ ମସ୍ତିଷ୍କ ବହୁତ ଶୀଘ୍ର ସଜାଗ ହୋଇଯାଏ । ସେହି କାରଣରୁ ନିଦ ଭାଙ୍ଗିବା ପରେ ମଧ୍ୟ ନିଜ ଶରୀରକୁ ଜାଗ୍ରତ ହେବାକୁ କିଛି ସେକେଣ୍ଡ ବା ମିନିଟ ଲାଗିଥାଏ । 

ଏହା କାହିଁକି ହୁଏ ?

ଡାକ୍ତରମାନେ ଏହି ସମସ୍ୟାକୁ ସାଧାରଣ ବୋଲି କହିଥିବା ବେଳେ ନିଦ୍ରାରେ ଅନିୟମିତତା, ଚିନ୍ତା, ଅତ୍ୟଧିକ କ୍ଳାନ୍ତି ଏବଂ ଥକ୍କାପଣ ଏହାର କାରଣ ବୋଲି କହିଛନ୍ତି । କିଛି ଲୋକ ଏହି ସମୟରେ ଛାତି ଉପରେ ଭାରି ଭାରି ଅନୁଭବ କରିଥାନ୍ତି ବା ଘରେ କେହି ଥିଲା ଭଳି ଅନୁଭବ କରିଥାନ୍ତି ଯାହା ସେମାନଙ୍କୁ ଭୟଭୀତ କରିଥାଏ । 

ଏହାର ଲକ୍ଷଣ କ’ଣ ?

ଏହାର ସାଧାରଣ ଲକ୍ଷଣ ମୁଖ୍ୟତଃ ନିଦ ଭାଙ୍ଗିଲା ପରେ ଆଖି ଖୋଲାଥିଲେ ମଧ୍ୟ ଶରୀରକୁ ହଲାଇବାରେ ଅସୁବିଧା ହେବା, କଥା କହିବାକୁ ଚେଷ୍ଟା କଲେ ମଧ୍ୟ ପାଟି ନ ଖୋଲିବା, ଛାତି ଉପରେ ଭାରି ଭାରି ଅନୁଭବ କରିବା ଏବଂ ରୁମ ଭିତରେ କେହି ଥିଲା ଭଳି ଲାଗିବା ଆଦି ହୋଇଥାଏ ।

ଏହାକୁ କିପରି ଦୂର କରିବେ ?

ତେବେ ଚିନ୍ତାର କୌଣସି କାରଣ ନାହିଁ କେତେକ କ୍ଷେତ୍ରରେ ଏହା କିଛି ସେକେଣ୍ଡରେ ଠିକ ହୋଇଯାଏ । ତେବେ ଏହି ସମସ୍ୟାକୁ କମାଇବା ପାଇଁ ୭ ରୁ ୮ ଘଣ୍ଟା ପର୍ଯ୍ୟାପ୍ତ ପରିମାଣର ନିଦ୍ରା ସହ ନିୟମିତ ସଠିକ ସମୟରେ ଶୋଇବା, ମାନସିକ ଚାପ କମାଇବା ମଧ୍ୟ ଆବଶ୍ୟକ । ତେବେ ଅତ୍ୟଧିକ ସମୟ ଧରି ଫୋନର ବ୍ୟବହାର ମଧ୍ୟ କମାଇବା ଆବଶ୍ୟକ । ଯଦି ଏହି ସମସ୍ୟା ଅତ୍ୟଧିକ ଭାବରେ ଦେଖା ଦେଉଛି ତାହାଲେ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ ।

Leave a Reply

Your email address will not be published. Required fields are marked *