ସ୍କୁଲରେ ଅଚାନକ ଟଳିପଡ଼ିଲେ ନବମ ଶ୍ରେଣୀ ଛାତ୍ରୀ , ମେଡିକାଲରେ ମୃତ ଘୋଷିତ

ପ୍ରଥମ ଦୃଷ୍ଟିରେ ଏହା ଏକ ସାଧାରଣ ସ୍କୁଲ ଦିନ ଭଳି ଲାଗୁଥିଲା । ହେଲେ କିଛି ମୁହୂର୍ତ୍ତ ମଧ୍ୟରେ ଘଟିଗଲା ଏମିତି ଏକ ଅଘଟଣ, ଯାହା ସମଗ୍ର ଅଞ୍ଚଳକୁ ସ୍ତବ୍ଧ କରିଦେଇଛି ।

ପ୍ରଥମ ଦୃଷ୍ଟିରେ ଏହା ଏକ ସାଧାରଣ ସ୍କୁଲ ଦିନ ଭଳି ଲାଗୁଥିଲା । ହେଲେ କିଛି ମୁହୂର୍ତ୍ତ ମଧ୍ୟରେ ଘଟିଗଲା ଏମିତି ଏକ ଅଘଟଣ, ଯାହା ସମଗ୍ର ଅଞ୍ଚଳକୁ ସ୍ତବ୍ଧ କରିଦେଇଛି । ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ପିଏମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ନବମ ଶ୍ରେଣୀର ଜଣେ ଛାତ୍ରୀଙ୍କ ଆକସ୍ମିକ ମୃତ୍ୟୁକୁ ନେଇ ଉଠିଛି ଅନେକ ପ୍ରଶ୍ନ । ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ, ଛାତ୍ରୀ ଜଣକ ପ୍ରତିଦିନ ଭଳି ସକାଳେ ସ୍କୁଲକୁ ଆସିଥିଲେ । ନିଜର ନିତ୍ୟକର୍ମ ସାରି ଉପସ୍ଥାନ କାର୍ଯ୍ୟକ୍ରମରେ ମଧ୍ୟ ସାମିଲ ହୋଇଥିଲେ । ସବୁକିଛି ସ୍ୱାଭାବିକ ଥିବା ବେଳେ ହଠାତ୍ ସେ ବସିଥିବା ବେଞ୍ଚରୁ ତଳକୁ ଖସି ପଡ଼ି ଅଚେତ ହୋଇଯାଇଥିଲେ । ଘଟଣା ଦେଖି ଶିକ୍ଷକ ଓ କର୍ମଚାରୀମାନେ ତୁରନ୍ତ ତାଙ୍କୁ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟକୁ ନେଇଥିଲେ କିନ୍ତୁ ସେଠାରେ ଡାକ୍ତର ଛାତ୍ରୀଙ୍କୁ ମୃତ ଘୋଷଣା କରିଥିଲେ ।

 ଅନ୍ୟପଟେ, ଛାତ୍ରୀଙ୍କ ପରିବାର ଲୋକେ ମୃତ୍ୟୁର କାରଣକୁ ନେଇ ସନ୍ଦେହ ପ୍ରକାଶ କରିଛନ୍ତି । ସେମାନଙ୍କ ଦାବି ଅନୁସାରେ, ଛାତ୍ରୀଙ୍କ ଡାହାଣ ଗୋଡ଼ରେ ସାପ କାମୁଡ଼ିବା ଭଳି ଚିହ୍ନ ରହିଛି । ତେଣୁ ସାପ କାମୁଡ଼ା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥାଇପାରେ ବୋଲି ସେମାନେ ଅଭିଯୋଗ କରିଛନ୍ତି । ତେବେ ଛାତ୍ରୀଙ୍କ ମୃତ୍ୟୁର ପ୍ରକୃତ କାରଣ କ’ଣ, ସେ ହଠାତ୍ କାହିଁକି ଅଚେତ ହୋଇ ପଡ଼ିଲେ, ଏବଂ ସାପ କାମୁଡ଼ା ଦାବିରେ କେତେ ସତ୍ୟତା ରହିଛି, ତାହା ପୋଷ୍ଟମର୍ଟମ ରିପୋର୍ଟ ଏବଂ ତଦନ୍ତ ପରେ ହିଁ ସ୍ପଷ୍ଟ ହେବ । ବର୍ତ୍ତମାନ ଘଟଣାକୁ ନେଇ ସମଗ୍ର କରଞ୍ଜିଆ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Leave a Reply

Your email address will not be published. Required fields are marked *