ଜ୍ୱର ହେଲେ ଆଣ୍ଟିବାୟୋଟିକ୍ ଖାଉଛନ୍ତି କି? ଏହି ଭୁଲ ନେଇପାରେ ଜୀବନ!

ବର୍ଷା ଦିନ ଆସିଲେ ଜ୍ୱର, ଥଣ୍ଡା, ଦେହ ଦରଜ ଭଳି ସମସ୍ୟା ବଢ଼ିଯାଏ । ଆଉ ଜ୍ୱର ହେଲେ ଅନେକେ ଡାକ୍ତରଙ୍କ ପରାମର୍ଶ ନନେଇ ନିଜେ ନିଜେ ଆଣ୍ଟିବାୟୋଟିକ୍ ଖାଇବା ଆରମ୍ଭ କରିଦିଅନ୍ତି ।

ବର୍ଷା ଦିନ ଆସିଲେ ଜ୍ୱର, ଥଣ୍ଡା, ଦେହ ଦରଜ ଭଳି ସମସ୍ୟା ବଢ଼ିଯାଏ । ଆଉ ଜ୍ୱର ହେଲେ ଅନେକେ ଡାକ୍ତରଙ୍କ ପରାମର୍ଶ ନନେଇ ନିଜେ ନିଜେ ଆଣ୍ଟିବାୟୋଟିକ୍ ଖାଇବା ଆରମ୍ଭ କରିଦିଅନ୍ତି । କିନ୍ତୁ ଡାକ୍ତରମାନେ କହୁଛନ୍ତି, ପ୍ରତ୍ୟେକ ଜ୍ୱର ପାଇଁ ଆଣ୍ଟିବାୟୋଟିକ୍ ଉତ୍ତର ନୁହେଁ । ବରଂ ଆବଶ୍ୟକତା ନଥିବା ବେଳେ ଆଣ୍ଟିବାୟୋଟିକ୍ ଖାଇଲେ ଆଗକୁ ବଡ଼ ସମସ୍ୟା ସୃଷ୍ଟି ହୋଇପାରେ ।

ବର୍ଷା ଋତୁରେ ଡେଙ୍ଗୁ, ଚିକୁନଗୁନିଆ, ମ୍ୟାଲେରିଆ, ଟାଇଫଏଡ୍, ଇନ୍‌ଫ୍ଲୁଏଞ୍ଜା ଏବଂ ଲେପ୍ଟୋସ୍ପାଇରୋସିସ୍ ଭଳି ବିଭିନ୍ନ ସଂକ୍ରମଣ ଦେଖାଯାଏ । ଏସବୁ ରୋଗର କାରଣ ଏକାଭଳି ନୁହେଁ । ଡେଙ୍ଗୁ ଓ ଚିକୁନଗୁନିଆ ଭାଇରସ୍‌ ଦ୍ୱାରା ହୋଇଥାଏ । ତେଣୁ ଏଥିରେ ଆଣ୍ଟିବାୟୋଟିକ୍ ଖାଇଲେ ଭାଇରସ୍‌ ଉପରେ କୌଣସି ପ୍ରଭାବ ପଡ଼େନାହିଁ ।
ଡାକ୍ତରଙ୍କ କହିବା ଅନୁସାରେ, ଜ୍ୱର ସହ ଦେହରେ ଲାଲ ଦାଗ, ଗଣ୍ଠିରେ ଯନ୍ତ୍ରଣା କିମ୍ବା ଅତ୍ୟଧିକ ଦୁର୍ବଳତା ଭଳି ଲକ୍ଷଣ ଥିଲେ ଡେଙ୍ଗୁ କିମ୍ବା ଚିକୁନଗୁନିଆ ଭଳି ରୋଗ ପାଇଁ ଆବଶ୍ୟକ ପରୀକ୍ଷା କରାଯିବା ଉଚିତ । ପ୍ରଥମେ ଜ୍ୱରର କାରଣ ଜାଣିବା ଜରୁରୀ, ତା’ପରେ ଚିକିତ୍ସା ।

ତେବେ ସବୁ ଜ୍ୱର ଭାଇରାଲ୍ ନୁହେଁ । ଟାଇଫଏଡ୍ ଭଳି କିଛି ବ୍ୟାକ୍ଟେରିଆଜନିତ ସଂକ୍ରମଣରେ ଆଣ୍ଟିବାୟୋଟିକ୍ ଆବଶ୍ୟକ ହୋଇପାରେ । କିନ୍ତୁ ଏଥିପାଇଁ ମଧ୍ୟ ନିଜ ଇଚ୍ଛାରେ ଯେକୌଣସି ଆଣ୍ଟିବାୟୋଟିକ୍ ଖାଇବା ଠିକ୍ ନୁହେଁ । ଭୁଲ ଔଷଧ ରୋଗର ଲକ୍ଷଣକୁ ଲୁଚାଇପାରେ ଏବଂ ଠିକ୍ ରୋଗ ଚିହ୍ନଟ କରିବାରେ ସମସ୍ୟା କରିପାରେ । ଆଉ ଆବଶ୍ୟକତା ନଥିବା ବେଳେ ଆଣ୍ଟିବାୟୋଟିକ୍ ଖାଇବାର ଆଉ ଏକ ବଡ଼ ବିପଦ ହେଉଛି ଆଣ୍ଟିମାଇକ୍ରୋବିଆଲ୍ ରେଜିଷ୍ଟାନ୍ସ ବା AMR । ଅର୍ଥାତ୍ ଧୀରେ ଧୀରେ ବ୍ୟାକ୍ଟେରିଆ ଔଷଧ ପ୍ରତି ପ୍ରତିରୋଧୀ ହୋଇଯାଏ । ଫଳରେ ଆଗକୁ ସାଧାରଣ ସଂକ୍ରମଣର ଚିକିତ୍ସା ମଧ୍ୟ କଷ୍ଟକର ହୋଇପାରେ ।

ତେଣୁ ଜ୍ୱର ହେଲେ ପ୍ରଥମେ ପର୍ଯ୍ୟାପ୍ତ ପାଣି ପିଅନ୍ତୁ, ବିଶ୍ରାମ ନିଅନ୍ତୁ ଏବଂ ଲକ୍ଷଣ ଉପରେ ନଜର ରଖନ୍ତୁ । ୪୮ରୁ ୭୨ ଘଣ୍ଟା ପର୍ଯ୍ୟନ୍ତ ଜ୍ୱର ରହିଲେ କିମ୍ବା ଲକ୍ଷଣ ବଢ଼ିଲେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ମନେ ରଖନ୍ତୁ, ଜ୍ୱର ଏକ ଲକ୍ଷଣ, ନିଜେ କୌଣସି ରୋଗର ନାଁ ନୁହେଁ । ତେଣୁ ପ୍ରଥମେ ରୋଗ ଚିହ୍ନଟ, ପରେ ଔଷଧ । ଡାକ୍ତରଙ୍କ ପରାମର୍ଶ ବିନା ଆଣ୍ଟିବାୟୋଟିକ୍ ନିଅନ୍ତୁ ନାହିଁ ।

Leave a Reply

Your email address will not be published. Required fields are marked *