ସିନ୍ଧୁ ଜଳ ଚୁକ୍ତିନାମା ନେଇ ଭାରତର କଠୋର ଆଭିମୁଖ୍ୟ ପାକିସ୍ତାନର ସାମରିକ ଏବଂ ରାଜନୈତିକ ମହଲରେ ଆଲୋଡ଼ନ ସୃଷ୍ଟି କରିଛି । ଗତ ବର୍ଷ ଏପ୍ରିଲ୍ ୨୨ ତାରିଖରେ ପହଲଗାମରେ ହୋଇଥିବା କାପୁରୁଷୋଚିତ ଆତଙ୍କବାଦୀ ଆକ୍ରମଣ ପରେ
ସିନ୍ଧୁ ଜଳ ଚୁକ୍ତିନାମା ନେଇ ଭାରତର କଠୋର ଆଭିମୁଖ୍ୟ ପାକିସ୍ତାନର ସାମରିକ ଏବଂ ରାଜନୈତିକ ମହଲରେ ଆଲୋଡ଼ନ ସୃଷ୍ଟି କରିଛି। ଗତ ବର୍ଷ ଏପ୍ରିଲ୍ ୨୨ ତାରିଖରେ ପହଲଗାମରେ ହୋଇଥିବା କାପୁରୁଷୋଚିତ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ଏହି ପୁରୁଣା ୧୯୬୦ ଚୁକ୍ତିନାମାକୁ ସ୍ଥଗିତ ରଖିବା ପାଇଁ କଠୋର ନିଷ୍ପତ୍ତି ନେଇଥିଲା। ସେବେଠାରୁ ଏନେଇ ପାକିସ୍ତାନ ବାରମ୍ବାର ବୃଥା ଧମକ ଦେଇ ଆସୁଛି। ଭାରତର ଏହି ନିଷ୍ପତ୍ତି ପାକିସ୍ତାନର କୃଷି ଏବଂ ଅର୍ଥନୀତି ପାଇଁ ଏକ ବଡ଼ ସଙ୍କଟ ସୃଷ୍ଟି କରିଛି। କାରଣ ପାକିସ୍ତାନ ନିଜର ଜଳ ଆବଶ୍ୟକତା ପାଇଁ ଏହି ନଦୀ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ।
ସମ୍ପ୍ରତି ପାକିସ୍ତାନର ଶୀର୍ଷ ସାମରିକ ନେତୃତ୍ୱ ଏକ ସ୍ୱତନ୍ତ୍ର ବୈଠକ କରି ଭାରତକୁ ଚେତାବନୀ ଦେଇଛନ୍ତି ଯେ, ଜଳ ପ୍ରବାହକୁ ରୋକିବା କିମ୍ବା ବଦଳାଇବା ଭଳି ଯେକୌଣସି ପ୍ରୟାସକୁ ‘ଯୁଦ୍ଧ କାର୍ଯ୍ୟ’ ଭାବରେ ବିବେଚନା କରାଯିବ। ରାୱଲପିଣ୍ଡିରେ ସେନା ମୁଖ୍ୟ ଜେନେରାଲ ଅସୀମ ମୁନିରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୨୭୬ତମ କୋର୍ପସ କମାଣ୍ଡର ସମ୍ମିଳନୀରେ ସିନ୍ଧୁ ଜଳ ଚୁକ୍ତିନାମା ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଏକ ସାମରିକ ବିବୃତି ଅନୁଯାୟୀ, ପାକିସ୍ତାନ ସରକାରଙ୍କ ନିର୍ଦ୍ଦେଶ ଏବଂ ଜନସାଧାରଣଙ୍କ ଭାବନା ଅନୁଯାୟୀ ଦେଶର ନ୍ୟାଯ୍ୟ ଜଳ ଅଂଶ ସୁନିଶ୍ଚିତ କରିବା ପାଇଁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ କାର୍ଯ୍ୟକାରୀ କରିବାକୁ ସମ୍ମିଳନୀରେ ନିଷ୍ପତ୍ତି ନିଆଯାଇଛି।
ସେହିପରି ଏକ ରାଲିରେ ଭାଷଣ ଦେଇ ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି)ର ଅଧ୍ୟକ୍ଷ ବିଲାୱାଲ ଭୁଟ୍ଟୋ ଜର୍ଦ୍ଦାରୀ ମଧ୍ୟ ଚେତାବନୀ ଦେଇଛନ୍ତି, ଯେ ଭାରତ ସିନ୍ଧୁ ନଦୀର ଜଳକୁ ଅସ୍ତ୍ର ଭାବେ ବ୍ୟବହାର କରୁଛି। ପାକିସ୍ତାନ ଏହାକୁ ସହ୍ୟ କରିବ ନାହିଁ ଏବଂ ଜଳକୁ ସୁରକ୍ଷିତ ରଖିବା ପାଇଁ ଯେ କୌଣସି ପଦକ୍ଷେପ ଗ୍ରହଣ କରିବ। ପାକିସ୍ତାନ ଯୁଦ୍ଧ ପାଇଁ ପ୍ରସ୍ତୁତ। ଆମେ ସିନ୍ଧୁ ନଦୀର ଅଧିକାର ସହିତ କେବେବି ସାଲିସ କରିବୁ ନାହିଁ । ନଦୀର ଜଳକୁ ଅସ୍ତ୍ର କରିବାର ଯେକୌଣସି ପ୍ରୟାସର ଆମେ ଜବାବ ଦେବୁ। ପାକିସ୍ତାନ ସବୁ ମୋର୍ଚ୍ଚାରେ ଯୁଦ୍ଧ ଲଢ଼ିବାକୁ ପ୍ରସ୍ତୁତ ବୋଲି ସେ ବୃଥା ଧମକ ଦେଇଛନ୍ତି।

