ଡାଇବେଟିସ୍ କେବଳ ହୃଦୟ ଓ କିଡ୍ନୀକୁ ପ୍ରଭାବିତ କରେ ନାହିଁ, ଏହା ଆଖିର ଦୃଷ୍ଟିଶକ୍ତି ଉପରେ ମଧ୍ୟ ଗଭୀର ପ୍ରଭାବ ପକାଇପାରେ । ଦୀର୍ଘ ସମୟ ଧରି ବ୍ଲଡ୍ ସୁଗାର ଅଧିକ ରହିଲେ ଆଖିର ରେଟିନାରେ ଥିବା କ୍ଷୁଦ୍ର ରକ୍ତନଳୀଗୁଡ଼ିକ କ୍ଷତିଗ୍ରସ୍ତ ହୋଇପାରେ ।
ଭାରତରେ ଡାଇବେଟିସ୍ ରୋଗୀଙ୍କ ସଂଖ୍ୟା ଲଗାତାର ବଢ଼ିଚାଲିଛି । ଡାଇବେଟିସ୍ କେବଳ ହୃଦୟ ଓ କିଡ୍ନୀକୁ ପ୍ରଭାବିତ କରେ ନାହିଁ, ଏହା ଆଖିର ଦୃଷ୍ଟିଶକ୍ତି ଉପରେ ମଧ୍ୟ ଗଭୀର ପ୍ରଭାବ ପକାଇପାରେ । ଦୀର୍ଘ ସମୟ ଧରି ବ୍ଲଡ୍ ସୁଗାର ଅଧିକ ରହିଲେ ଆଖିର ରେଟିନାରେ ଥିବା କ୍ଷୁଦ୍ର ରକ୍ତନଳୀଗୁଡ଼ିକ କ୍ଷତିଗ୍ରସ୍ତ ହୋଇପାରେ । ଏହି ସମସ୍ୟାକୁ ଡାଇବେଟିକ୍ ରେଟିନୋପାଥି କୁହାଯାଏ ।
ଡାଇବେଟିସ୍ କିପରି ନଷ୍ଟ କରେ ଆଖିର ଦୃଷ୍ଟି?
ଆଖିର ପଛପଟେ ଥିବା ରେଟିନା ଏକ ସମ୍ବେଦନଶୀଳ ଟିସ୍ୟୁ । ଏହା ଆଲୋକକୁ ସିଗ୍ନାଲ୍ରେ ପରିଣତ କରି ମସ୍ତିଷ୍କକୁ ପଠାଇଥାଏ । ରେଟିନାକୁ ରକ୍ତ ଯୋଗାଉଥିବା ଅତି କ୍ଷୁଦ୍ର ରକ୍ତନଳୀରେ ଦୀର୍ଘ ସମୟ ଧରି ଅଧିକ ବ୍ଲଡ୍ ସୁଗାର ରହିଲେ କ୍ଷତି ହୋଇପାରେ । ଏହି ରକ୍ତନଳୀ ଦୁର୍ବଳ ହୋଇ ତରଳ ପଦାର୍ଥ କିମ୍ବା ରକ୍ତ ଲିକ୍ କରିପାରେ । କେତେକ କ୍ଷେତ୍ରରେ ରକ୍ତନଳୀରେ ବ୍ଲକେଜ୍ ମଧ୍ୟ ହୋଇପାରେ। ଫଳରେ ରେଟିନାକୁ ଆବଶ୍ୟକ ଅକ୍ସିଜେନ୍ ଓ ପୋଷକତତ୍ତ୍ୱ ମିଳିବାରେ ସମସ୍ୟା ହୁଏ । ରୋଗ ବଢ଼ିଲେ ଆଖିରେ ନୂଆ କିନ୍ତୁ ଦୁର୍ବଳ ରକ୍ତନଳୀ ସୃଷ୍ଟି ହୋଇପାରେ । ଏଥିରୁ ରକ୍ତସ୍ରାବ ଏବଂ ସ୍କାର୍ ଟିସ୍ୟୁ ହେବାର ଆଶଙ୍କା ରହେ। ଗୁରୁତର ସ୍ଥିତିରେ ଦୃଷ୍ଟିଶକ୍ତି ମଧ୍ୟ ହ୍ରାସ ପାଇପାରେ ।
ଆଖିରେ ଆଉ ଏକ ସମସ୍ୟା କରିପାରେ ଡାଇବେଟିସ୍
ଡାଇବେଟିସ୍ ଯୋଗୁଁ ଡାଇବେଟିକ୍ ମ୍ୟାକ୍ୟୁଲାର ଏଡିମା ମଧ୍ୟ ହୋଇପାରେ । ଏଥିରେ ରେଟିନାର ମ୍ୟାକ୍ୟୁଲା ଅଞ୍ଚଳରେ ତରଳ ପଦାର୍ଥ ଜମା ହୋଇ ମଝି ଦୃଷ୍ଟି ଧୁସର ହୋଇପାରେ । ଡାଇବେଟିକ୍ ରେଟିନୋପାଥିର ସବୁଠାରୁ ଚିନ୍ତାଜନକ ଦିଗ ହେଉଛି—ପ୍ରାରମ୍ଭିକ ପର୍ଯ୍ୟାୟରେ ଅନେକ ସମୟରେ କୌଣସି ସ୍ପଷ୍ଟ ଲକ୍ଷଣ ଦେଖାଯାଏ ନାହିଁ । ତେଣୁ ଦୃଷ୍ଟି ସାଧାରଣ ଲାଗୁଛି ବୋଲି ଆଖି ପରୀକ୍ଷାକୁ ଅଣଦେଖା କରିବା ଠିକ୍ ନୁହେଁ ।
ରୋଗ ବଢ଼ିଲେ ଏହି ଲକ୍ଷଣଗୁଡ଼ିକ ଦେଖାଦେଇପାରେ—
- ଆଖିକୁ ଧୁସର ଦେଖାଯିବା
- କେତେବେଳେ ସ୍ପଷ୍ଟ ଓ କେତେବେଳେ ଧୁସର ଦେଖାଯିବା
- ଆଖି ସାମ୍ନାରେ ଛୋଟ ଛୋଟ ଦାଗ ବା ଫ୍ଲୋଟର୍ସ ଦେଖାଯିବା
- ଆଲୋକର ଝଲକ ଅନୁଭବ ହେବା
- ରଙ୍ଗ ଚିହ୍ନିବାରେ ପରିବର୍ତ୍ତନ
- ରାତିରେ ଦେଖିବାରେ ସମସ୍ୟା
- ଦୃଷ୍ଟିର କୌଣସି ଅଂଶ ଅନ୍ଧାର ଲାଗିବା
- ଗୁରୁତର ଅବସ୍ଥାରେ ଦୃଷ୍ଟିଶକ୍ତି ହ୍ରାସ ପାଇବା
ସମୟ ପୂର୍ବରୁ ଆଖିର ସମସ୍ୟା ଚିହ୍ନଟ ହୋଇ ଉପଯୁକ୍ତ ଚିକିତ୍ସା ଆରମ୍ଭ ହେଲେ ଗୁରୁତର ଦୃଷ୍ଟିହାନିର ଆଶଙ୍କାକୁ ଅନେକାଂଶରେ କମାଇହେବ । ଏଥିପାଇଁ କେବଳ ଚଷମା କିମ୍ବା ଆଖି ଡ୍ରପ୍ ଉପରେ ନିର୍ଭର ନକରି ବ୍ଲଡ୍ ସୁଗାର, ବ୍ଲଡ୍ ପ୍ରେସର ଓ କୋଲେଷ୍ଟେରଲ୍ ନିୟନ୍ତ୍ରଣରେ ରଖିବା ଗୁରୁତ୍ୱପୂର୍ଣ୍ଣ । ଧୂମପାନରୁ ଦୂରେଇ ରହିବା ଏବଂ ନିୟମିତ ଭାବେ ଆଖି ପରୀକ୍ଷା କରାଇବା ମଧ୍ୟ ଜରୁରୀ । ଡାଇବେଟିସ୍ ଥିଲେ ଆଖିରେ କୌଣସି ନୂଆ ପରିବର୍ତ୍ତନ ଦେଖାଦେଲେ ଶୀଘ୍ର ଚକ୍ଷୁ ବିଶେଷଜ୍ଞଙ୍କ ପରାମର୍ଶ ନେବା ଉଚିତ ।

