ସରକାରୀ ଅଫିସ୍ ଅଛି, ହେଲେ ଅଧିକାରୀଙ୍କ ଦେଖା ନାହିଁ। କୋଠା ଅଛି, ହେଲେ କାମରେ ଲାଗୁନି । ବର୍ଷ ବର୍ଷ ଧରି ଅବ୍ୟବହୃତ ହୋଇ ପଡ଼ିରହିଛି ସରକାରୀ କୋଠା। କେଉଁଠି ଅସାମାଜିକଙ୍କ ଆଡ୍ଡା ତ ଆଉ କେଉଁଠି ଗାଈଗୋରୁଙ୍କ ଆଶ୍ରୟସ୍ଥଳୀ ।
ସରକାରୀ ଅଫିସ୍ ଅଛି, ହେଲେ ଅଧିକାରୀଙ୍କ ଦେଖା ନାହିଁ। କୋଠା ଅଛି, ହେଲେ କାମରେ ଲାଗୁନି । ବର୍ଷ ବର୍ଷ ଧରି ଅବ୍ୟବହୃତ ହୋଇ ପଡ଼ିରହିଛି ସରକାରୀ କୋଠା । କେଉଁଠି ଅସାମାଜିକଙ୍କ ଆଡ୍ଡା ତ ଆଉ କେଉଁଠି ଗାଈଗୋରୁଙ୍କ ଆଶ୍ରୟସ୍ଥଳୀ । ଲତାବୁଦା ମାଡ଼ି ଭୂତକୋଠି ପାଲଟିଲାଣି ସରକାରୀ କାର୍ଯ୍ୟାଳୟ । ଏଭଳି ଅବହେଳାର ଚିତ୍ର ବଲାଙ୍ଗୀର ଲୋଇସିଂହାରୁ ସାମ୍ନାକୁ ଆସିଛି ।
ତୃଣମୂଳସ୍ତରରେ ସରକାରୀ ସେବା ପହଞ୍ଚାଇବାକୁ ବ୍ଲକ୍ ଓ ପଞ୍ଚାୟତ ସ୍ତରରେ ନିର୍ମାଣ ହୋଇଥିଲା ଅନେକ ସରକାରୀ କୋଠା। ହେଲେ ଏବେ ସେସବୁ ଅବ୍ୟବହୃତ । ଲୋଇସିଂହାରେ ଗ୍ରାମ୍ୟ ଉନ୍ନୟନ ବିଭାଗର କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ମାସ ମାସ ଧରି ଖୋଲୁନାହିଁ। ଅଧିକାରୀ ଆସୁଛନ୍ତି କି ନାହିଁ, ତାହା ବି କାହାକୁ ଜଣାନାହିଁ ।
ସେହିପରି କେନ୍ଦୁପତ୍ର ବଲାଙ୍ଗୀର ଡିଭିଜନର ଷ୍ଟାଫ୍ କ୍ୱାର୍ଟର୍ସ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଛି । କ୍ଷୁଦ୍ର ଜଳସେଚନ ବିଭାଗ କାର୍ଯ୍ୟାଳୟର ଅବସ୍ଥା ତ ଆହୁରି ଶୋଚନୀୟ। କାର୍ଯ୍ୟାଳୟର ଚିହ୍ନବର୍ଣ୍ଣ ନାହିଁ। ପାଚେରୀ ଭିତରେ ଗାଈଗୋରୁ ବନ୍ଧା ହେଉଛନ୍ତି । ୨୦୧୨ ମସିହାରୁ କୋଠାକୁ ପରିତ୍ୟକ୍ତ ଓ ବିପଦସଙ୍କୁଳ ଘୋଷଣା କରି ବିଭାଗକୁ ଚିଠି ଲେଖାଯାଇଥିଲେ ମଧ୍ୟ ଏଯାଏଁ କୌଣସି ପଦକ୍ଷେପ ନିଆଯାଇନି ।
ଲୋୟର ସୁକତେଲ ପ୍ରକଳ୍ପର ବାମ କେନାଲ କାର୍ଯ୍ୟାଳୟ ଓ ଷ୍ଟାଫ୍ କ୍ୱାର୍ଟର୍ସର ଚିତ୍ର ବି ସମାନ । ୨୦ରୁ ୩୦ଟି କ୍ୱାର୍ଟର୍ସ ମଧ୍ୟରୁ ମାତ୍ର ୭ରୁ ୮ଟି ବ୍ୟବହାର ହେଉଥିବା ବେଳେ ବାକି ସବୁ ଭୂତକୋଠି ପାଲଟିଛି। ଏଭଳି ୪ଟି ବିଭାଗର ପ୍ରାୟ ୩୦ଟି କୋଠା ଏବେ ଅବ୍ୟବହୃତ ହୋଇ ପଡ଼ିରହିଛି । ଅଧିକାରୀ ଓ କର୍ମଚାରୀ ବଲାଙ୍ଗୀର ସହରରେ ରହୁଥିବାରୁ ଗ୍ରାମାଞ୍ଚଳରେ ଥିବା ସରକାରୀ କୋଠାଗୁଡ଼ିକ ନଷ୍ଟ ହେଉଥିବା ଅଭିଯୋଗ ହୋଇଛି । ଏନେଇ ବିଭାଗୀୟ ଅଧିକାରୀଙ୍କୁ ତାଗିଦ୍ କରିବା ସହ ଏହି କୋଠାଗୁଡ଼ିକୁ ଏନ୍ଏସି କିମ୍ବା କଲେଜ କାମରେ ଲଗାଇବା ପାଇଁ ପ୍ରସ୍ତାବ ଦେବେ ବୋଲି କହିଛନ୍ତି ଲୋଇସିଂହା ବିଧାୟକ ତଥା ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ।
ସରକାରୀ ଅର୍ଥରେ ନିର୍ମାଣ ହୋଇଥିବା କୋଠାର ଏଭଳି ଦୁରବସ୍ଥାକୁ ନେଇ ତେଜିଛି ଜନଅସନ୍ତୋଷ। ଲୋକଙ୍କ ସେବା ପାଇଁ ନିର୍ମିତ କୋଠା ଯଦି କାମରେ ନଲାଗିବ, ତେବେ ଏହାର ଉଦ୍ଦେଶ୍ୟ କ’ଣ? ଏବେ ପ୍ରଶାସନର ପଦକ୍ଷେପକୁ ଅପେକ୍ଷା ।

