ଲୋକସଭାର ୫୪୩ ଆସନ ସ୍ଥାୟୀ ରହୁ: ମୋଦିଙ୍କୁ ତାମିଲନାଡୁ ମୁଖ୍ୟମନ୍ତ୍ରୀ ବିଜୟଙ୍କ ଚିଠି

ଲୋକସଭା ଆସନ ସଂଖ୍ୟାକୁ ନେଇ ବଡ଼ ଦାବି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ଲୋକସଭାର ୫୪୩ ଆସନକୁ ସ୍ଥାୟୀ ରଖିବାକୁ ଦାବି କରିଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି ଜୋସେଫ ବିଜୟ ।

ଲୋକସଭା ଆସନ ସଂଖ୍ୟାକୁ ନେଇ ବଡ଼ ଦାବି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ଲୋକସଭାର ୫୪୩ ଆସନକୁ ସ୍ଥାୟୀ ରଖିବାକୁ ଦାବି କରିଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି ଜୋସେଫ ବିଜୟ । ଏଥିସହ ଆଗାମୀ ଲୋକସଭା ଓ ଏହା ପରବର୍ତ୍ତୀ ବିଧାନସଭା ନିର୍ବାଚନରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ସୁନିଶ୍ଚିତ କରିବାକୁ ମଧ୍ୟ ସେ ଦାବି କରିଛନ୍ତି ।

ଅଗଷ୍ଟ ୧୨ରେ ତାମିଲନାଡୁ ବିଧାନସଭାରେ ପାରିତ ଏକ ପ୍ରସ୍ତାବକୁ ଆଧାର କରି ବିଜୟ ପ୍ରଧାନମନ୍ତ୍ରୀଙ୍କୁ ଏହି ଚିଠି ଲେଖିଛନ୍ତି । ପ୍ରସ୍ତାବରେ ବର୍ତ୍ତମାନ ରାଜ୍ୟଗୁଡ଼ିକୁ ମିଳିଥିବା ଲୋକସଭା ଆସନ ବଣ୍ଟନକୁ ଅପରିବର୍ତ୍ତିତ ରଖିବାକୁ ଦାବି କରାଯାଇଛି ।

ବିଜୟଙ୍କ ଯୁକ୍ତି ହେଉଛି, ଆଗାମୀ ଜନଗଣନା ପରେ ନିର୍ବାଚନମଣ୍ଡଳୀ ପୁନଃସୀମା ନିର୍ଦ୍ଧାରଣ ବା ଡିଲିମିଟେସନ୍‌ ହେଲେ ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକ ଲୋକସଭା ଆସନ ହରାଇପାରନ୍ତି । ତାମିଲନାଡୁ ବିଧାନସଭାର ପ୍ରସ୍ତାବରେ ୧୯୬୭ର ଉଦାହରଣ ଦିଆଯାଇଛି । ସେତେବେଳେ ତାମିଲନାଡୁର ଲୋକସଭା ଆସନ ୪୧ରୁ ୩୯କୁ କମିଥିଲା ।

ପ୍ରସ୍ତାବରେ କୁହାଯାଇଛି, ଦକ୍ଷିଣ ରାଜ୍ୟଗୁଡ଼ିକ ଜନସଂଖ୍ୟା ନିୟନ୍ତ୍ରଣ, ସ୍ୱାସ୍ଥ୍ୟ, ଅର୍ଥନୈତିକ ବିକାଶ ଓ ଜନକଲ୍ୟାଣ କ୍ଷେତ୍ରରେ ଭଲ ପ୍ରଦର୍ଶନ କରିଛନ୍ତି । ତେଣୁ ଜନସଂଖ୍ୟା ଆଧାରରେ ଆସନ ପୁନଃବଣ୍ଟନ ହେଲେ ସେମାନଙ୍କ ପ୍ରତି ଅନ୍ୟାୟ ହେବ ବୋଲି ଯୁକ୍ତି ଦିଆଯାଇଛି । ଏବେ ବିଜୟଙ୍କ ଦାବି ଲୋକସଭାର ୫୪୩ ଆସନ ସ୍ଥାୟୀ ରହୁ, ରାଜ୍ୟଭିତ୍ତିକ ଆସନ ବଣ୍ଟନ ଅପରିବର୍ତ୍ତିତ ରହୁ ଏବଂ ମହିଳାଙ୍କୁ ୩୩% ସଂରକ୍ଷଣ ମିଳୁ ।

Leave a Reply

Your email address will not be published. Required fields are marked *