ଲଗାତାର ବିଫଳତା ସତ୍ତ୍ୱେ ହାର ମାନିଲେନି, ସପ୍ତମ ଥରରେ ହେଲେ ଭାରତୀୟ ସେନାର ଲେଫ୍ଟନାଣ୍ଟ

ରାହୁଲ ଘରକୁ ଫେରିବା ପରେ ପରିବାର ଓ ପଡ଼ୋଶୀମାନେ ଫୁଲମାଳା ପିନ୍ଧାଇ ତାଙ୍କୁ ଭବ୍ୟ ସ୍ୱାଗତ କରିଥିଲେ। ତାଙ୍କ ସଫଳତାକୁ ନେଇ ସମଗ୍ର ଅଞ୍ଚଳରେ ଖୁସିର ମାହୋଲ ସୃଷ୍ଟି ହୋଇଛି।

ଦୃଢ଼ ଇଚ୍ଛାଶକ୍ତି, ଅଦମ୍ୟ ସାହସ ଓ ଲକ୍ଷ୍ୟ ହାସଲ କରିବାର ଜିଦ୍‌ ଥିଲେ ବିଫଳତା କେବେ ବି ସଫଳତାର ବାଟ ରୋକିପାରେ ନାହିଁ। ଏହି କଥାକୁ ସତ୍ୟ ପ୍ରମାଣିତ କରିଛନ୍ତି ଅମ୍ବାଲା ସହରର ରାହୁଲ ଧାକଡ଼। ଏକାଧିକ ଥର ବିଫଳତାର ସାମ୍ନା କରିବା ପରେ ମଧ୍ୟ ସେ ହାର ମାନିନଥିଲେ। ଶେଷରେ ସପ୍ତମ ପ୍ରୟାସରେ ପରୀକ୍ଷାରେ ସଫଳ ହୋଇ ଭାରତୀୟ ସେନାରେ ଲେଫ୍ଟନାଣ୍ଟ ଭାବେ ଯୋଗଦେଇଛନ୍ତି। ରାହୁଲ ଘରକୁ ଫେରିବା ପରେ ପରିବାର ଓ ପଡ଼ୋଶୀମାନେ ଫୁଲମାଳା ପିନ୍ଧାଇ ତାଙ୍କୁ ଭବ୍ୟ ସ୍ୱାଗତ କରିଥିଲେ। ତାଙ୍କ ସଫଳତାକୁ ନେଇ ସମଗ୍ର ଅଞ୍ଚଳରେ ଖୁସିର ମାହୋଲ ସୃଷ୍ଟି ହୋଇଛି।

ପିଲାଦିନରୁ ଥିଲା ଦେଶସେବାର ସ୍ୱପ୍ନ

ମୁହଁରେ ହସ, ଆଖିରେ ଖୁସି ଓ ହୃଦୟରେ ଦେଶସେବାର ଭାବନା ନେଇ ରାହୁଲ ଘରେ ପହଞ୍ଚିବା ପରେ ପରିବାର ଲୋକେ ତାଙ୍କୁ ଉତ୍ସାହର ସହ ସ୍ୱାଗତ କରିଥିଲେ। ତେବେ ଏହି ସଫଳତା ତାଙ୍କ ପାଇଁ ସହଜ ନଥିଲା।

ଲେଫ୍ଟନାଣ୍ଟ ହେବା ପାଇଁ ରାହୁଲ ଦୀର୍ଘ ସମୟ ଧରି କଠିନ ପରିଶ୍ରମ କରିଥିଲେ। ବାରମ୍ବାର ବିଫଳତା ତାଙ୍କ ସାମ୍ନାକୁ ଆସିଥିଲେ ମଧ୍ୟ ସେ କେବେ ନିଜ ଲକ୍ଷ୍ୟରୁ ଦୂରେଇ ଯାଇନଥିଲେ। ପ୍ରତ୍ୟେକ ବିଫଳତା ପରେ ନିଜର ଭୁଲ ଓ ଦୁର୍ବଳତାକୁ ଚିହ୍ନଟ କରି ଆହୁରି ଅଧିକ ପରିଶ୍ରମ କରୁଥିଲେ। ଶେଷରେ ସପ୍ତମ ପ୍ରୟାସରେ ତାଙ୍କ ପରିଶ୍ରମ ସଫଳ ହୋଇଛି।

ରାହୁଲ କହିଛନ୍ତି ଯେ, ପିଲାଦିନରୁ ହିଁ ଭାରତୀୟ ସେନାରେ ଯୋଗଦେଇ ଦେଶର ସେବା କରିବା ତାଙ୍କର ସ୍ୱପ୍ନ ଥିଲା। ଦୀର୍ଘଦିନର କଠିନ ପରିଶ୍ରମ ପରେ ଆଜି ତାଙ୍କ ସ୍ୱପ୍ନ ପୂରଣ ହୋଇଥିବାରୁ ସେ ଅତ୍ୟନ୍ତ ଖୁସି ଅଛନ୍ତି।

ଯୁବପିଢ଼ି ପାଇଁ ପାଲଟିଲେ ପ୍ରେରଣା

ରାହୁଲଙ୍କ ସଫଳତା ଏବେ ଅନେକ ଯୁବକ-ଯୁବତୀଙ୍କ ପାଇଁ ପ୍ରେରଣା ପାଲଟିଛି। ଏକ-ଦୁଇଥର ବିଫଳତା ପରେ ଯେଉଁମାନେ ନିଜ ସ୍ୱପ୍ନ ଛାଡ଼ି ଦିଅନ୍ତି, ସେମାନଙ୍କ ପାଇଁ ରାହୁଲଙ୍କ ସଫଳତା ଏକ ବଡ଼ ଉଦାହରଣ।

ରାହୁଲଙ୍କ କହିବା ଅନୁଯାୟୀ, ଲକ୍ଷ୍ୟ ହାସଲ କରିବା ବାଟରେ ଯେତେ ବଡ଼ ସମସ୍ୟା ଆସୁନା କାହିଁକି, ଆତ୍ମବିଶ୍ୱାସ ଓ ଦୃଢ଼ ମନୋବଳ କେବେ କମିବା ଉଚିତ ନୁହେଁ। ତାଙ୍କର ସପ୍ତମ ପ୍ରୟାସର ସଫଳତା ପ୍ରମାଣ କରିଛି ଯେ, ବିଫଳତା ଶେଷ ନୁହେଁ; ଚେଷ୍ଟା ଜାରି ରଖିଲେ ସଫଳତା ନିଶ୍ଚିତ।

Leave a Reply

Your email address will not be published. Required fields are marked *