ମେଘାଳୟ ହନିମୁନ୍ ହତ୍ୟା ମାମଲା: ଅଭିଯୁକ୍ତ ସୋନମଙ୍କ ଜାମିନ ଉପରେ ରୋକ୍ ଲଗାଇଲେନି ସୁପ୍ରିମକୋର୍ଟ

ମେଘାଳୟକୁ ହନିମୁନରେ ଆସି ସ୍ୱାମୀ ରାଜା ରଘୁବଂଶୀଙ୍କୁ ହତ୍ୟା କରିବା ମାମଲାରେ ମୁଖ୍ୟ ଅଭିଯୁକ୍ତ ସୋନମ୍ ରଘୁବଂଶୀଙ୍କୁ ମେଘାଳୟ ହାଇକୋର୍ଟ ପ୍ରଦାନ କରିଥିବା ଜାମିନ ଉପରେ ତୁରନ୍ତ ସ୍ଥଗିତାଦେଶ ଜାରି କରିବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି ।

ମେଘାଳୟକୁ ହନିମୁନରେ ଆସି ସ୍ୱାମୀ ରାଜା ରଘୁବଂଶୀଙ୍କୁ ହତ୍ୟା କରିବା ମାମଲାରେ ମୁଖ୍ୟ ଅଭିଯୁକ୍ତ ସୋନମ୍ ରଘୁବଂଶୀଙ୍କୁ ମେଘାଳୟ ହାଇକୋର୍ଟ ପ୍ରଦାନ କରିଥିବା ଜାମିନ ଉପରେ ତୁରନ୍ତ ସ୍ଥଗିତାଦେଶ ଜାରି କରିବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି । ମେଘାଳୟ ପୋଲିସର ଆବେଦନ ଉପରେ ଶୁଣାଣି କରି ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ କହିଛନ୍ତି ଯେ, ସୋନମଙ୍କ ବିରୋଧରେ ଥିବା ଅଭିଯୋଗଗୁଡ଼ିକ ଅତ୍ୟନ୍ତ ସଂଗୀନ ଏବଂ ଏହାର ବିସ୍ତୃତ ଯାଞ୍ଚ ଆବଶ୍ୟକ, ମାତ୍ର ସେ ବର୍ତ୍ତମାନ ଜେଲରୁ ମୁକ୍ତ ହୋଇସାରିଥିବାରୁ ଏହି ସମୟରେ କୋର୍ଟ ତାଙ୍କ ଜାମିନ ଉପରେ ହସ୍ତକ୍ଷେପ କରିବାକୁ ଚାହୁଁନାହାନ୍ତି ।

 ତେବେ ଜାମିନ ଖାରଜ କରିବା ପାଇଁ ପୋଲିସ କରିଥିବା ଆବେଦନ ଉପରେ ସୁପ୍ରିମକୋର୍ଟ ସୋନମଙ୍କୁ ନୋଟିସ୍ ଜାରି କରି ଜବାବ ମାଗିଛନ୍ତି ଏବଂ ଆସନ୍ତା ଗୁରୁବାର ଦିନ ଏହି ମାମଲାର ପରବର୍ତ୍ତୀ ବିସ୍ତୃତ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି । ଅଦାଲତରେ ଶୁଣାଣି ସମୟରେ ମେଘାଳୟ ପୋଲିସ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଯୁକ୍ତି ବାଢ଼ିଥିଲେ ଯେ, ସୋନମଙ୍କ ପୂର୍ବ ଜାମିନ ଆବେଦନଗୁଡ଼ିକ ଖାରଜ ହୋଇସାରିଥିଲା ଏବଂ ଗିରଫ କାଗଜପତ୍ରରେ କେବଳ ଏକ ଟାଇପିଂ ଭୁଲ୍ ଥିଲା, ଯାହାକୁ ଆଧାର କରି ହାଇକୋର୍ଟ ଜାମିନ ଦେଇଛନ୍ତି। ଅନ୍ୟପଟେ ସୋନମଙ୍କ ଓକିଲ କୋର୍ଟଙ୍କୁ ଜଣାଇଥିଲେ ଯେ, ଗିରଫ ସମୟରେ ତାଙ୍କୁ କୌଣସି ଆଇନଗତ ସହାୟତା ମିଳିନଥିଲା ଏବଂ ଗିରଫର କାରଣ ମଧ୍ୟ ସଠିକ୍ ଭାବେ ଜଣାଯାଇନଥିଲା। ଏହା ସହିତ ସେ ବର୍ତ୍ତମାନ ଶିଲଂରେ ଅଛନ୍ତି, ତାଙ୍କ ଉପରେ କଡ଼ା କଟକଣା ଲଗାଯାଇଛି ଏବଂ ସେ କୌଣସି ପ୍ରମାଣ ନଷ୍ଟ କରିପାରିବେ ନାହିଁ। କୋର୍ଟ ଏକ ସନ୍ତୁଳନ ରକ୍ଷା କରିବାକୁ ଚେଷ୍ଟା କରୁଛନ୍ତି ବୋଲି କହିବା ସହ ତଦନ୍ତ ପ୍ରକ୍ରିୟା ଜାରି ରଖିବାକୁ କହିଛନ୍ତି ।

Leave a Reply

Your email address will not be published. Required fields are marked *