ଦାମାସ୍କସ୍‌ କାଫେରେ ଭୟଙ୍କର ବୋମା ବିସ୍ଫୋରଣ: ୯ ମୃତ, ୨୦

ସିରିଆର ରାଜଧାନୀ ଦାମାସ୍କସ୍‌ର ଏକ କାଫେରେ ଗୁରୁବାର ଭୟଙ୍କର ବୋମା ବିସ୍ଫୋରଣ ଘଟି ୯ ଜଣଙ୍କର ମୃତ୍ୟୁ ହୋଇଛି ଓ ୨୦ ଜଣ ଆହତ ହୋଇଛନ୍ତି

ସିରିଆର ରାଜଧାନୀ ଦାମାସ୍କସ୍‌ର ଏକ କାଫେରେ ଗୁରୁବାର ଭୟଙ୍କର ବୋମା ବିସ୍ଫୋରଣ ଘଟି ୯ ଜଣଙ୍କର ମୃତ୍ୟୁ ହୋଇଛି ଓ ୨୦ ଜଣ ଆହତ ହୋଇଛନ୍ତି। ଦଶନ୍ଧିରୁ ଅଧିକ ସମୟ ଧରି ଯୁଦ୍ଧ ପରେ ସ୍ଥିରତା ଖୋଜୁଥିବା ଦେଶର ଇସଲାମିକ ନେତାମାନଙ୍କ ପାଇଁ ଏହା ଏକ ସଦ୍ୟତମ ଚ୍ୟାଲେଞ୍ଜ ବୋଲି କର୍ତ୍ତୃପକ୍ଷ କହିଛନ୍ତି। ଗତବର୍ଷ ଏକ ଚର୍ଚ୍ଚ ଉପରେ ହୋଇଥିବା ଆତ୍ମଘାତୀ ଆକ୍ରମଣ ପରେ ଏହି ବିସ୍ଫୋରଣ ସବୁଠାରୁ ଭୟଙ୍କର ଥିଲା।

ତେବେ ବିସ୍ଫୋରଣ ପାଇଁ କେହି ନିଜକୁ ଦାୟୀ କରିନାହାନ୍ତି। ସୁରକ୍ଷା ବାହିନୀ ବିସ୍ଫୋରଣ ଘଟିଥିବା ସ୍ଥାନକୁ ଘେରାବନ୍ଦୀ କରିଥିଲେ। ଦାମାସ୍କସ୍‌ର ନ୍ୟାୟ ଭବନ ନିକଟରେ ଥିବା ଏକ କାଫେରେ ଘଟିଥିବା ବିସ୍ଫୋରଣ ସେହି ସ୍ଥାନରେ ରଖାଯାଇଥିବା ଏକ ବିସ୍ଫୋରକ ଉପକରଣ ଯୋଗୁଁ ହୋଇଥିଲା ବୋଲି ସରକାରୀ ଟେଲିଭିଜନ କହିଛି। ଇମ୍ପ୍ରୋଭାଇଜ୍ଡ ଏକ୍ସପ୍ଲୋସିଭ ଡିଭାଇସରେ ଧାତୁ ଖଣ୍ଡ ଥିବା ଯୋଗୁ ଲୋକମାନଙ୍କୁ ଗମ୍ଭୀର ଆଘାତ ଲାଗିଥିଲା ବୋଲି ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ ଟେଲିଗ୍ରାମରେ ଲେଖିଛି।

ପୁଲିସ ପାଖରେ ସିୟାର ଅଜବ ଡିମାଣ୍ଡ୍, ବିୟର ପିଇବାକୁ ଜିଦ୍ ଧରିଛନ୍ତି

ମନ୍ତ୍ରଣାଳୟ କହିଛି ଯେ, ତଦନ୍ତକାରୀମାନେ ଭିଡିଓ ଫୁଟେଜ୍ ସମୀକ୍ଷା କରି ସାକ୍ଷୀମାନଙ୍କ ସହ କଥା ହୋଇଛନ୍ତି ଓ ଘଟଣାସ୍ଥଳରୁ ଫୋରେନସିକ୍ ପ୍ରମାଣ ସଂଗ୍ରହ କରୁଛନ୍ତି। ଦାମାସ୍କସ୍ ଗଭର୍ନର ମାହେର ଏଲଡିବି କହିଛନ୍ତି ଯେ, କର୍ତ୍ତୃପକ୍ଷ ତଦନ୍ତ ଆରମ୍ଭ କରିଛନ୍ତି। ଏହି ରକ୍ତପାତ ପାଇଁ ଦାୟୀ ଲୋକଙ୍କୁ ଦଣ୍ଡ ଦିଆଯିବ ବୋଲି ସେ କହିଛନ୍ତି। ପ୍ରତ୍ୟେକ ଥର ଯେତେବେଳେ ଦେଶ ସ୍ଥିରତା ଆସିଥାଏ ସେତେବେଳେ ଅସ୍ଥିରତା ସୃଷ୍ଟି କରିବାକୁ ଅରାଜକ ତତ୍ତ୍ବ ସକ୍ରିୟ ହୋଇଥାନ୍ତି ବୋଲି ସେ କହିଛନ୍ତି। ସିରିଆ ପାଇଁ ଜାତିସଂଘର ସ୍ୱତନ୍ତ୍ର ଉପ ପ୍ରତିନିଧି କ୍ଲାଉଡିଓ କର୍ଡୋନ୍ ‘ଏକ୍ସ’ ରେ ଲେଖିଥିଲେ ଯେ, ଅପରାଧୀମାନଙ୍କୁ ଦଣ୍ଡ ଦିଆଯିବ ଉଚିତ।

ତୁର୍କୀ ବୈଦେଶିକ ମନ୍ତ୍ରଣାଳୟ ଏହି ଆକ୍ରମଣକୁ ନିନ୍ଦା କରି ସିରିଆ ସହିତ ଏକତା ବଜାୟ ରଖିବାକୁ ପ୍ରତିଶ୍ରୁତି ଦେଇଛି। ଇରାକ, ଜୋର୍ଡାନ, କତର ଓ ଇଜିପ୍ଟ ସମେତ ଅନେକ ଆରବ ଦେଶ ମଧ୍ୟ ଏହି ଆକ୍ରମଣକୁ ନିନ୍ଦା କରିଛନ୍ତି। ଆରବ ଲିଗ୍ ଓ ଛଅ ସଦସ୍ୟ ବିଶିଷ୍ଟ ଗଲ୍ଫ ସହଯୋଗ ପରିଷଦ ମଧ୍ୟ ବୋମା ବିସ୍ଫୋରଣକୁ ନିନ୍ଦା କରିଛନ୍ତି। ଡିସେମ୍ବର ୨୦୨୪ ରେ ବଶର ଅଲ-ଅସାଦଙ୍କ ପତନ ପରେ ରାଷ୍ଟ୍ରପତି ଅହମଦ ଅଲ-ଶାରା ଏବେ କ୍ଷମତାରେ ଅଛନ୍ତି। ଜୁନ୍ ୨୦୨୫ ରେ ଦାମାସ୍କସ୍‌ ଚର୍ଚ୍ଚରେ ଆକ୍ରମଣରେ ୨୫ ଜଣଙ୍କର ମୃତ୍ୟୁ ହୋଇଥିଲା। 

Leave a Reply

Your email address will not be published. Required fields are marked *