ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଏହି ପଦକ୍ଷେପ ନିଆଯାଉଛି। ଏହାଦ୍ୱାରା ଅନଲାଇନ୍ ଟିକେଟ୍ ବୁକିଂ କରୁଥିବା ଯାତ୍ରୀଙ୍କ ପରି କାଉଣ୍ଟରରୁ ଟିକେଟ୍ କିଣୁଥିବା ଯାତ୍ରୀଙ୍କୁ ମଧ୍ୟ ବୀମା ସୁରକ୍ଷା ମିଳିବାର ବାଟ ଖୋଲିବ।
ରେଳ ଯାତ୍ରୀଙ୍କ ପାଇଁ ଆସିଛି ଏକ ବଡ଼ ଖବର । ଏଣିକି ରେଳ ଷ୍ଟେସନର ରିଜର୍ଭେସନ୍ କାଉଣ୍ଟରରୁ ଟିକେଟ୍ କିଣୁଥିବା ଯାତ୍ରୀମାନେ ମଧ୍ୟ ପାଇପାରିବେ ଯାତ୍ରା ବୀମାର ସୁବିଧା । ଏହି ସୁବିଧାକୁ ୨୭ ଅକ୍ଟୋବର ୨୦୨୬ରୁ ଲାଗୁ କରିବାକୁ ରେଳବାଇ ଯୋଜନା କରିଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଏହି ପଦକ୍ଷେପ ନିଆଯାଉଛି । ଏହାଦ୍ୱାରା ଅନଲାଇନ୍ ଟିକେଟ୍ ବୁକିଂ କରୁଥିବା ଯାତ୍ରୀଙ୍କ ପରି କାଉଣ୍ଟରରୁ ଟିକେଟ୍ କିଣୁଥିବା ଯାତ୍ରୀଙ୍କୁ ମଧ୍ୟ ବୀମା ସୁରକ୍ଷା ମିଳିବାର ବାଟ ଖୋଲିବ ।
କାଉଣ୍ଟର ଟିକେଟ୍ରେ ବି ମିଳିବ ବୀମା
ଏପର୍ଯ୍ୟନ୍ତ ଆଇଆରସିଟିସି (IRCTC) ୱେବସାଇଟ୍ କିମ୍ବା ମୋବାଇଲ୍ ଆପ୍ ମାଧ୍ୟମରେ ଟ୍ରେନ୍ ଟିକେଟ୍ ବୁକ୍ କରୁଥିବା ଯାତ୍ରୀମାନେ ଟିକେଟ୍ ବୁକିଂ ସମୟରେ ଇଚ୍ଛାଧୀନ ଯାତ୍ରା ବୀମା ବାଛିବାର ସୁଯୋଗ ପାଉଥିଲେ । କିନ୍ତୁ ରେଳ ଷ୍ଟେସନର ସଂରକ୍ଷିତ ଟିକେଟ୍ କାଉଣ୍ଟରରୁ ଟିକେଟ୍ କିଣୁଥିବା ଯାତ୍ରୀଙ୍କ ପାଇଁ ଏହି ସୁବିଧା ଉପଲବ୍ଧ ନଥିଲା । ଏହି ବ୍ୟବସ୍ଥାରେ ପରିବର୍ତ୍ତନ ଆଣି ଟିକେଟ୍ ବୁକିଂର ଉଭୟ ମାଧ୍ୟମରେ ଯାତ୍ରୀଙ୍କୁ ସମାନ ସୁରକ୍ଷା ଦେବା ଉପରେ ଗୁରୁତ୍ୱ ଦିଆଯାଇଛି। ବିଶେଷକରି ଯେଉଁମାନେ ଡିଜିଟାଲ୍ ସେବା ବ୍ୟବହାର କରିପାରୁନାହାନ୍ତି କିମ୍ବା ସିଧାସଳଖ କାଉଣ୍ଟରରୁ ଟିକେଟ୍ କିଣୁଛନ୍ତି, ସେମାନେ ମଧ୍ୟ ଏହାଦ୍ୱାରା ଲାଭବାନ ହୋଇପାରିବେ ।
ମାତ୍ର ୪୫ ପଇସାରେ ୧୦ ଲକ୍ଷ ଟଙ୍କାର କଭର!
ବର୍ତ୍ତମାନ ଅନଲାଇନ୍ ଟିକେଟ୍ ବୁକିଂ ସମୟରେ ଉପଲବ୍ଧ ଇଚ୍ଛାଧୀନ ରେଳ ଯାତ୍ରା ବୀମା ଯୋଜନାରେ ପ୍ରତି ଯାତ୍ରୀଙ୍କ ପାଇଁ ଟିକସ ସହ ପ୍ରିମିୟମ୍ ମାତ୍ର ୪୫ ପଇସା । ପଲିସିର ସର୍ତ୍ତ ଅନୁସାରେ, ଯାତ୍ରା ସମୟରେ ମୃତ୍ୟୁ କିମ୍ବା ସ୍ଥାୟୀ ସମ୍ପୂର୍ଣ୍ଣ ଅକ୍ଷମତା କ୍ଷେତ୍ରରେ ସର୍ବାଧିକ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୀମା କଭର ମିଳିପାରେ ।
ତେବେ କାଉଣ୍ଟର ଟିକେଟ୍ ପାଇଁ ବୀମା ପ୍ରିମିୟମ୍ କେତେ ରହିବ, କେଉଁ ଦସ୍ତାବିଜ୍ ଆବଶ୍ୟକ ହେବ ଏବଂ କ୍ଲେମ୍ କରିବାର ପ୍ରକ୍ରିୟା କ’ଣ ରହିବ, ସେନେଇ ସମ୍ପୂର୍ଣ୍ଣ ବିବରଣୀ ସ୍ପଷ୍ଟ ହେବା ବାକି ରହିଛି ।
ସୁପ୍ରିମକୋର୍ଟ କାହିଁକି ଦେଲେ ନିର୍ଦ୍ଦେଶ?
୨୦୨୩ ଜୁନ୍ରେ ଓଡ଼ିଶାରେ ଘଟିଥିବା ଭୟାବହ ରେଳ ଦୁର୍ଘଟଣା ପରେ ରେଳ ସୁରକ୍ଷା ସମ୍ପର୍କିତ ମାମଲାର ଶୁଣାଣି ସମୟରେ ସୁପ୍ରିମକୋର୍ଟ ଏହି ନିର୍ଦ୍ଦେଶ ଦେଇଥିଲେ। ଜଷ୍ଟିସ୍ ଅହସାନୁଦ୍ଦିନ ଅମାନୁଲ୍ଲା ଏବଂ ଜଷ୍ଟିସ୍ ଆର୍. ମହାଦେବନଙ୍କ ଖଣ୍ଡପୀଠ ଅଫଲାଇନ୍ ଟିକେଟ୍ ଯାତ୍ରୀଙ୍କୁ ବୀମା ସୁବିଧା ଦେବାରେ ବିଳମ୍ବକୁ ନେଇ ଉଦ୍ବେଗ ପ୍ରକାଶ କରିଥିଲେ।
ରେଳବାଇ ବୋର୍ଡକୁ ଦୁଇ ସପ୍ତାହ ମଧ୍ୟରେ ଏହି ବ୍ୟବସ୍ଥା ଲାଗୁ କରିବାକୁ କୁହାଯାଇଛି। ନିର୍ଦ୍ଧାରିତ ସମୟରେ ନିର୍ଦ୍ଦେଶ ପାଳନ ନହେଲେ ରେଳବାଇ ବୋର୍ଡକୁ ଦାୟୀ କରାଯିବ ବୋଲି ମଧ୍ୟ ଖଣ୍ଡପୀଠ ଚେତାବନୀ ଦେଇଥିଲେ। ଏହି ପରିବର୍ତ୍ତନ ଦ୍ୱାରା ଟିକେଟ୍ କିଣିବାର ପଦ୍ଧତି ନିର୍ବିଶେଷରେ ଯାତ୍ରୀଙ୍କୁ ସମାନ ବୀମା ସୁରକ୍ଷା ଦେବା ଦିଗରେ ଏକ ବଡ଼ ପଦକ୍ଷେପ ନିଆଯାଇଛି। ତେବେ ବୀମାର ସମ୍ପୂର୍ଣ୍ଣ ସର୍ତ୍ତାବଳୀ ଓ ଆବେଦନ ପ୍ରକ୍ରିୟା ପାଇଁ ଯାତ୍ରୀମାନେ ରେଳବାଇର ଅଧିକାରିକ ଘୋଷଣା ଉପରେ ନଜର ରଖିବା ଆବଶ୍ୟକ।

