ମହାପ୍ରଭୁଙ୍କ ଖାତାକୁ ଫେରୁଛି ଜମି, ୭ ଦିନରେ ୮୩ ଏକର!

ମହାପ୍ରଭୁଙ୍କ ସମ୍ପତ୍ତି ଫେରାଇ ଆଣିବାକୁ ଜୋରଦାର ପ୍ରୟାସ । ଗୋଟିଏ ପରେ ଗୋଟିଏ ମୂଲ୍ୟବାନ ଜମି ଫେରୁଛି ଶ୍ରୀମନ୍ଦିର ଖାତାକୁ। ତାଳବଣିଆ, ସମଙ୍ଗ ଓ କୋଣାର୍କ ପରେ ଏବେ ପୁରୀ ଶଙ୍କରପୁରର ୨୮ ଏକରରୁ ଅଧିକ ଜମି ଉପରେ ଶ୍ରୀମନ୍ଦିର ପ୍ରଶାସନର ଅଧିକାର ।

ମହାପ୍ରଭୁଙ୍କ ସମ୍ପତ୍ତି ଫେରାଇ ଆଣିବାକୁ ଜୋରଦାର ପ୍ରୟାସ । ଗୋଟିଏ ପରେ ଗୋଟିଏ ମୂଲ୍ୟବାନ ଜମି ଫେରୁଛି ଶ୍ରୀମନ୍ଦିର ଖାତାକୁ। ତାଳବଣିଆ, ସମଙ୍ଗ ଓ କୋଣାର୍କ ପରେ ଏବେ ପୁରୀ ଶଙ୍କରପୁରର ୨୮ ଏକରରୁ ଅଧିକ ଜମି ଉପରେ ଶ୍ରୀମନ୍ଦିର ପ୍ରଶାସନର ଅଧିକାର । ୪୫୦ କୋଟି ଟଙ୍କାର ଏହି ଜମିରେ ପୋତାଯାଇଛି ନାଲି ପତାକା । ତେବେ ଦୀର୍ଘବର୍ଷ ଧରି ଜମି ଦଖଲରେ ଥିବା ଲୋକଙ୍କ ସ୍ୱତ୍ୱାଧିକାରକୁ ନେଇ ମଧ୍ୟ ଉଠିଛି ପ୍ରଶ୍ନ ।

ମହାପ୍ରଭୁଙ୍କ ସମ୍ପତ୍ତି ଫେରାଇ ଆଣିବା ଅଭିଯାନରେ ବଡ଼ ସଫଳତା । ଶ୍ରୀମନ୍ଦିର ଖାତାକୁ ଫେରୁଛି ଗୋଟିଏ ପରେ ଗୋଟିଏ ମୂଲ୍ୟବାନ ଜମି । ଏବେ ପୁରୀ ଶଙ୍କରପୁର ମୌଜାରେ ଥିବା ୪୫୦ କୋଟି ଟଙ୍କା ମୂଲ୍ୟର ୨୮ ଏକର ୮୪ ଡେସିମିଲ ଜମି ଶ୍ରୀମନ୍ଦିର ନାଁକୁ ଫେରିଛି । ଏହି ଜମି ଉତ୍ତର ପାର୍ଶ୍ୱ ମଠ ଦଖଲରେ ଥିବା ବେଳେ ଏବେ ଏହା ଉପରେ ନାଲି ପତାକା ପୋତିଛି ଶ୍ରୀମନ୍ଦିର ପ୍ରଶାସନ ।

ଚକବନ୍ଦୀ କମିସନରଙ୍କ କୋର୍ଟରେ ଗୋଟିଏ ପରେ ଗୋଟିଏ ରାୟ ଶ୍ରୀମନ୍ଦିର ସପକ୍ଷରେ ଯାଉଛି । ଗତ ୭ ଦିନ ମଧ୍ୟରେ ଅନ୍ୟ ବ୍ୟକ୍ତିଙ୍କ ଦଖଲରେ ଥିବା ୮୩ ଏକର ମୂଲ୍ୟବାନ ଜମି ମହାପ୍ରଭୁଙ୍କ ଖାତାକୁ ଫେରିଛି । ଗତ ଅକ୍ଟୋବର ୨୩ ତାରିଖରେ କୋଣାର୍କର ୧୧ ଏକର ଜମି ଉପରେ ନାଲି ପତାକା ପୋତାଯାଇଥିଲା । ସେହିପରି ସମଙ୍ଗରେ ଦଖଲରେ ଥିବା ୪୫ ଏକର ଜମି ମଧ୍ୟ ଶ୍ରୀମନ୍ଦିର ନାଁକୁ ଫେରିଛି ।

ଏହାସହ ତାଳବଣିଆ କୁଣ୍ଢେଇବେଣ୍ଟ ମୌଜାର ପ୍ରାୟ ୨ ଏକର ଜମି ସମେତ ଅନେକ ନଟ୍‌ ଫାଇନାଲ୍‌ ଜମିକୁ ନେଇ ମଧ୍ୟ ଶ୍ରୀମନ୍ଦିର ସପକ୍ଷରେ ରାୟ ଆସିଛି । ଗତ କିଛି ମାସ ମଧ୍ୟରେ ବିଭିନ୍ନ ତହସିଲ ଅଧୀନରେ ଥିବା ପ୍ରାୟ ୨ ହଜାର ଏକର ଜମି ମହାପ୍ରଭୁଙ୍କ ନାମକୁ ଫେରାଇ ଅଣାଯାଇଥିବା କୁହାଯାଉଛି ।
ତେବେ ଏହି ପ୍ରକ୍ରିୟା ଭିତରେ ଦୀର୍ଘବର୍ଷ ଧରି ଜମି ଦଖଲରେ ଥିବା ଲୋକଙ୍କ ସ୍ୱତ୍ୱାଧିକାର ଓ କ୍ଷତିକୁ ନେଇ ପ୍ରଶ୍ନ ଉଠିଛି । ଏଥିପାଇଁ ସରକାର ଜମି ସେଟଲମେଣ୍ଟ ନିୟମାବଳୀ ୨୦୨୬ ପ୍ରସ୍ତୁତ କରିଛନ୍ତି । ଆଇନଜୀବୀଙ୍କ ମତରେ, ୩୦ ବର୍ଷରୁ ଅଧିକ ସମୟ ଧରି ଦଖଲରେ ଥିବା ବ୍ୟକ୍ତିଙ୍କୁ ନିର୍ଦ୍ଦିଷ୍ଟ ସର୍ତ୍ତରେ ପ୍ରଜାସ୍ୱତ୍ୱ ଦେବାର ବ୍ୟବସ୍ଥା ରହିଛି ।

ଜଗନ୍ନାଥ ମନ୍ଦିର ଜମି ସେଟଲମେଣ୍ଟ ଆଇନ ଅନୁଯାୟୀ, ୩୦ ବର୍ଷରୁ ଅଧିକ ସମୟ ଧରି ଦଖଲରେ ଥିବା ବ୍ୟକ୍ତିଙ୍କୁ ସରକାରୀ ବେଞ୍ଚମାର୍କ ମୂଲ୍ୟର ୧୦ ପ୍ରତିଶତ ଅର୍ଥ ପୈଠ କରିବାକୁ ପଡ଼ିବ। ଏହାଦ୍ୱାରା ଶ୍ରୀମନ୍ଦିରର ଜମି ସମ୍ପତ୍ତି ସୁରକ୍ଷିତ ହେବା ସହ ରାଜସ୍ୱ ଆୟ ମଧ୍ୟ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *