ଭୋଟର ଅଧିକାରକୁ ନେଇ ଜାତୀୟ ରାଜନୀତିରେ ତେଜିଲା ତାତି, ଆଗକୁ କେଉଁ ମୋଡ଼ ନେବ SIR ବିବାଦ ?

ଭୋଟ୍ ବଞ୍ଚାଅ, ଦେଶ ବଞ୍ଚାଅ’ ନାରାରେ କମ୍ପିଲା ଦିଲ୍ଲୀ, ରାମଲୀଳା ମୈଦାନରେ ବିରୋଧୀଙ୍କ ମହାଶକ୍ତି ପ୍ରଦର୍ଶନ । SIR ପ୍ରକ୍ରିୟାକୁ ନେଇ INDIA ମେଣ୍ଟର ରଣହୁଙ୍କାର, ଭୋଟର ତାଲିକାର ସ୍ୱଚ୍ଛତା ନେଇ ଉଠିଲା ପ୍ରଶ୍ନ । ‘ବଙ୍ଗଳା SIRର ଶିକାର, ଚୁପ୍ ବସିବୁନି’ ମଞ୍ଚରୁ ଗର୍ଜିଲେ ମମତା ବାନାର୍ଜୀ। 

 ଭୋଟ୍ ଅଧିକାରକୁ ନେଇ ଦିଲ୍ଲୀରେ ରାଜନୈତିକ ମହାସମର । SIR ପ୍ରକ୍ରିୟାକୁ ବିରୋଧ କରି ରାଜଧାନୀର ରାମଲୀଳା ମୈଦାନରେ ଏକାଠି ହୋଇଛନ୍ତି ବିରୋଧୀ ଦଳର ହେଭିୱେଟ୍ ନେତା । ‘ଭୋଟ୍ ବଞ୍ଚାଅ, ଦେଶ ବଞ୍ଚାଅ’ ନାରାରେ କମ୍ପିଛି ପୂରା ମୈଦାନ । କେନ୍ଦ୍ରର ବିଜେପି ସରକାର ଓ ନିର୍ବାଚନ କମିଶନଙ୍କ ବିରୋଧରେ ଖୋଲିଛନ୍ତି ମୋର୍ଚ୍ଚା । ଭୋଟର ତାଲିକାର ସଂଶୋଧନ ନାଁରେ ଭୋଟରଙ୍କ ଅଧିକାରକୁ ସଙ୍କୁଚିତ କରାଯାଉଥିବା ଅଭିଯୋଗ ଆଣିଛନ୍ତି ବିରୋଧୀ । ଆଉ ଏହି ମଞ୍ଚରୁ ପଶ୍ଚିମବଙ୍ଗ ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ରଣହୁଙ୍କାର ରାଜନୈତିକ ମାହୋଲକୁ କରିଛି ଆହୁରି ସରଗରମ । 
ଦିଲ୍ଲୀର ରାମଲୀଳା ମୈଦାନ ପାଲଟିଥିଲା ବିରୋଧୀଙ୍କ ଶକ୍ତି ପ୍ରଦର୍ଶନର ମଞ୍ଚ । ଗୋଟିଏ ମଞ୍ଚରେ ନଜର ଆସିଥିଲେ INDIA ମେଣ୍ଟର ଅନେକ ପ୍ରମୁଖ ନେତା । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ, ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ ଓ ମମତା ବାନାର୍ଜୀଙ୍କ ସମେତ ବହୁ ବିରୋଧୀ ନେତା ଏହି ମହାରାଲିରେ ସାମିଲ ହୋଇଥିଲେ । ମିଣ୍ଟୋ ରୋଡ୍‌ରୁ ରାମଲୀଳା ମୈଦାନ ପର୍ଯ୍ୟନ୍ତ ଶୁଭିଥିଲା ଗୋଟିଏ ନାରା । ‘ଭୋଟ୍ ବଞ୍ଚାଅ, ଦେଶ ବଞ୍ଚାଅ’ । ଏହି ନାରା ଜରିଆରେ ବିରୋଧୀ ଦଳଗୁଡ଼ିକ ନିର୍ବାଚନୀ ବ୍ୟବସ୍ଥାର ସ୍ୱଚ୍ଛତା ଏବଂ ଭୋଟରଙ୍କ ଅଧିକାରକୁ ନେଇ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି ।


ତେବେ ଏହି ମହାରାଲିର କେନ୍ଦ୍ରବିନ୍ଦୁ ଥିଲା SIR ଅର୍ଥାତ୍ ସ୍ପେଶାଲ୍ ଇଣ୍ଟେନ୍ସିଭ୍ ରିଭିଜନ୍ ପ୍ରକ୍ରିୟା । ବିରୋଧୀଙ୍କ ଅଭିଯୋଗ, ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ ପ୍ରକ୍ରିୟା ଦ୍ୱାରା ବହୁ ଯୋଗ୍ୟ ଭୋଟରଙ୍କ ନାଁ ତାଲିକାରୁ ବାଦ୍ ପଡ଼ିବାର ଆଶଙ୍କା ରହିଛି । ଏହା କେବଳ ଭୋଟର ତାଲିକାର ସଂଶୋଧନ ନୁହେଁ, ବରଂ ସାଧାରଣ ନାଗରିକଙ୍କ ମତଦାନ ଅଧିକାର ସହ ଜଡ଼ିତ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ବୋଲି ଯୁକ୍ତି ବାଢ଼ିଛନ୍ତି ବିରୋଧୀ ।

ସେମାନଙ୍କ ଦାବି, ଭୋଟର ତାଲିକାରେ ନାଁ ଯୋଡ଼ିବା, ବାଦ୍ ଦେବା ଏବଂ ସଂଶୋଧନ କରିବାର ପ୍ରକ୍ରିୟା ସମ୍ପୂର୍ଣ୍ଣ ସ୍ୱଚ୍ଛ ହେବା ଆବଶ୍ୟକ । କୌଣସି ଯୋଗ୍ୟ ଭୋଟର ଯେପରି ନିଜର ମତଦାନ ଅଧିକାରରୁ ବଞ୍ଚିତ ନ ହୁଅନ୍ତି, ସେଥିପାଇଁ ଉପଯୁକ୍ତ ବ୍ୟବସ୍ଥା କରାଯିବା ଦରକାର ।ଏହି ରାଲିରେ ସବୁଠୁ ଅଧିକ ଚର୍ଚ୍ଚାରେ ରହିଥିଲା ମମତା ବାନାର୍ଜୀଙ୍କ ଭାଷଣ । ମଞ୍ଚରୁ ସିଧାସଳଖ SIR ପ୍ରକ୍ରିୟାକୁ ନିଶାନା କରିଥିଲେ ମମତା । ତାଙ୍କ କହିବା ଅନୁଯାୟୀ, ବଙ୍ଗାଲ SIRର ଶିକାର ହୋଇଛି । ଏଭଳି ପ୍ରକ୍ରିୟାକୁ ପଶ୍ଚିମବଙ୍ଗବାସୀ ଚୁପ୍‌ଚାପ୍ ସହିବେ ନାହିଁ । ଗଣତନ୍ତ୍ରର ସୁରକ୍ଷା ଏବଂ ଲୋକଙ୍କ ଅଧିକାର ପାଇଁ ଲଢ଼େଇ ଜାରି ରହିବ ବୋଲି ସେ ଦୃଢ଼ ଭାବେ କହିଥିଲେ । ଏହାସହ ବିଜେପିକୁ ମଧ୍ୟ କଡ଼ା ଭାଷାରେ ସମାଲୋଚନା କରିଥିଲେ ମମତା । ବିଜେପି ସହ ରହିଲେ ସମସ୍ତଙ୍କ ବିନାଶ ହେବ ବୋଲି କହି ବିରୋଧୀଙ୍କ ଏକତାର ବାର୍ତ୍ତା ଦେଇଥିଲେ ମମତା । ତାଙ୍କ ଭାଷଣରେ ଭୋଟରଙ୍କ ଅଧିକାର, ଗଣତନ୍ତ୍ରର ସୁରକ୍ଷା ଏବଂ ରାଜନୈତିକ ଲଢ଼େଇର ସ୍ୱର ସ୍ପଷ୍ଟ ସ୍ପଷ୍ଟ ବାରି ହେଉଥିଲା । କେବଳ SIR ବିରୋଧ ନୁହେଁ, ଏହି ମଞ୍ଚରୁ ନିର୍ବାଚନ କମିଶନଙ୍କ ଭୂମିକାକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ ।

ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କରିଛନ୍ତି ସେମାନେ । ନିର୍ବାଚନୀ ପ୍ରକ୍ରିୟାରେ ନିରପେକ୍ଷତା ଏବଂ ସ୍ୱଚ୍ଛତା ରକ୍ଷା କରିବା ନିର୍ବାଚନ କମିଶନଙ୍କ ଦାୟିତ୍ୱ ବୋଲି ଯୁକ୍ତି ରଖିଛନ୍ତି ବିରୋଧୀ ନେତା । ଅନ୍ୟପଟେ, ରାଲିରେ ନେହା ବୁରାଙ୍କ ବିରୋଧ ପ୍ରଦର୍ଶନର ଅନ୍ଦାଜ ମଧ୍ୟ ଚର୍ଚ୍ଚାର ବିଷୟ ପାଲଟିଥିଲା ।

ତେବେ SIRକୁ ନେଇ ଏହି ରାଜନୈତିକ ଲଢ଼େଇ ଆଗକୁ କେଉଁ ମୋଡ଼ ନେବ, ତାହା ଏବେ ସବୁଠୁ ବଡ଼ ପ୍ରଶ୍ନ । ଗୋଟିଏ ପଟେ ବିରୋଧୀଙ୍କ ଭୋଟର ଅଧିକାର ଓ ନିର୍ବାଚନୀ ସ୍ୱଚ୍ଛତାର ଦାବି, ଅନ୍ୟପଟେ ଭୋଟର ତାଲିକାର ସଂଶୋଧନ ପ୍ରକ୍ରିୟା । ଏହାରି ଭିତରେ ଦେଶର ରାଜନୈତିକ ମାହୋଲ ହୋଇଛି ଉଷ୍ମ । ତେବେ ଏହି ବିବାଦର ଅନ୍ତ କେବେ ଓ କେମିତି ହେବ, ତାହା ଉପରେ ଏବେ ସମସ୍ତଙ୍କ ନଜର । କାରଣ ଗଣତନ୍ତ୍ରରେ ଭୋଟ୍ କେବଳ ଏକ ଅଧିକାର ନୁହେଁ, ଏହା ହେଉଛି ଜନସାଧାରଣଙ୍କ ସ୍ୱର ।

Leave a Reply

Your email address will not be published. Required fields are marked *