ଭୁଶୁଡ଼ିଲା ୪ ମହଲା କୋଠା: ୬ ମୃତ, ଆହୁରି ଅନେକ ଫସିଛନ୍ତି

ମୁମ୍ବାଇ ନିକଟରେ ମରାମତି ସମୟରେ ଭୁଶୁଡ଼ିଲା ଏକ ୪ ମହଲା କୋଠା । ଏହି ଅଘଟଣରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଫସି ରହିଥିବା ଆଶଙ୍କା କରାଯାଉଛି । 

ମୁମ୍ୱାଇର ଭିୱାଣ୍ଡିରେ ଏକ ୪ ମହଲା କୋଠା ଅଚାନକ ଭୁଶୁଡ଼ିପଡିଛି । ଏହି  ଅଘଟଣରେ ୬ ଜଣ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ କିଛି ଲୋକ ଏବେବି ଭଗ୍ନାବଶେଷ ତଳେ ଫସି ରହିଛନ୍ତି  । ସୂଚନା ମୁତାବକ ମରାମତି  ବେଳେ ଏକ ପିଲର ଭାଙ୍ଗି ଯାଇଥିଲା, ଯାହାଫଳରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଥିଲା । ଘଟଣା ସ୍ଥଳରେ ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି । 


ମହାରାଷ୍ଟ୍ରର ମୁମ୍ୱାଇ ନିକଟରେ ଥିବା ଭିୱାଣ୍ଡିରେ କାଲି ରାତିରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ।  ‘କୋହିନୁର’ ନାମକ ଏକ ଜରାଜୀର୍ଣ୍ଣ ୪ ମହଲାର ମରାମତି ଚାଲିଥିବା ବେଳେ ହଠାତ୍‌ କୋଠାଟି ଭୁଶୁଡ଼ି ପଡିଥିଲା । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଏକ ଭୟର ବାତାବରଣ ସୃଷ୍ଟି କରିଥିଲା । ପ୍ରାଥମିକ ସୂଚନା ଅନୁଯାୟୀ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆହୁରି ୬ରୁ ୭ ଜଣ ଲୋକଙ୍କ ବିଲ୍ଟିଂ ଭଗ୍ନାବଶେଷ ତଳେ ଫସି ରହିଥିବା ସନ୍ଦେହ କରାଯାଉଛି ।  


ଘଟଣା ପ୍ରତ୍ୟେକ୍ଷଦର୍ଶୀ ବା ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ କିଛିଦିନ ହେବ ସେହି ପୁରୁଣା କୋଠାର ମରାମତି କାମ ଚାଲିଥିଲା । କାମରେ ନିଜୁକ୍ତ ଥିବା ଠିକାଦାର ତଥା ଶ୍ରମିକ ମାନେ ମରାମତି ସମୟରେ କୋଠାର ୩ଟି ପିଲର ଭାଙ୍ଗିଦେଇଥିଲେ । ତିନୋଟି ପିଲର ଭାଙ୍ଗିବା ପରେ ବିଲ୍ଡିଂର ଫାଉଣ୍ଡେସନ୍‌ ଦୁର୍ବଳ ହୋଇଯାଇଥିଲା । ଶେଷରେ ବିଲ୍ଡିଂଟି ଦେଖୁଦେଖୁ ଭୁଶୁଡ଼ି ପଡ଼ିଥିଲା ।  NDRF (ରାଷ୍ଟ୍ରୀୟ ବିପର୍ଯ୍ୟୟ ପ୍ରଶମନ ବଳ), ସ୍ଥାନୀୟ ପୁଲିସ, ଅଗ୍ନିଶମ ଟିମ୍‌ ଏହି ଉଦ୍ଧାରକାର୍ଯ୍ୟରେ ନିୟୋଜିତ ରହିଛନ୍ତି ।  ପୋକ୍‌ଲେନ୍‌ ମେସିନ୍‌ ଏବଂ ଅତ୍ୟାଧୁନିକ ଉପକରଣ ସାହାଯ୍ୟରେ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ ହୋଇଛି । 


କୋଠାଟି ଭୁଶୁଡ଼ିବା ପୂର୍ବରୁ ପ୍ରବଳ ଶବ୍ଦ ଶୁଣାଯାଇଥିଲା । ବିପଦ ବାରି କିଛିଲୋକ ଘଟଣା ଘଟିବା ପୂର୍ବରୁ କୋଠା ମଧ୍ୟରୁ ବାହାରି ଆସିଥିଲେ ତାହା ନହେଲେ ଏହା ଆହୁରି ବଡ଼ ଧରଣର ଦୁର୍ଘଟଣାର ରୂପ ନେଇଥାଆନ୍ତା ।  ଉଦ୍ଧାରକାର୍ଯ୍ୟ ତ୍ୱରାନ୍ୱିତ ହୋଇଛି ତଥା ଫସିରହିଥିବା ଲୋକଙ୍କୁ ଯଥାଶୀଘ୍ର ସୁରକ୍ଷିତ ଭାବରେ ଉଦ୍ଧାର କରାଯିବ ବୋଲି ଆଶା କରାଯାଉଛି ।  

Leave a Reply

Your email address will not be published. Required fields are marked *