ଭିସମୁନ୍–୨୦୨୬ର ସପ୍ତମ ସଂସ୍କରଣ ଉଦ୍‌ଯାପିତ; ୫ ରାଜ୍ୟର ୪୦ରୁ ଅଧିକ ବିଦ୍ୟାଳୟ ହେଲା ସାମିଲ

ପାବପାଲି, ଶାସନସ୍ଥିତ ବୈଦିକ ଇଣ୍ଟରନେସନାଲ ସ୍କୁଲ ପକ୍ଷରୁ ଆୟୋଜିତ ଭିସମୁନ୍–୨୦୨୬ (ବୈଦିକ ଇଣ୍ଟରନେସନାଲ ସ୍କୁଲ ମଡେଲ ୟୁନାଇଟେଡ୍ ନେସନ୍ସ)ର ସପ୍ତମ ସଂସ୍କରଣ ଉଦ୍‌ଯାପିତ ହୋଇଯାଇଛି ।

ପାବପାଲି, ଶାସନସ୍ଥିତ ବୈଦିକ ଇଣ୍ଟରନେସନାଲ ସ୍କୁଲ ପକ୍ଷରୁ ଆୟୋଜିତ ଭିସମୁନ୍–୨୦୨୬ (ବୈଦିକ ଇଣ୍ଟରନେସନାଲ ସ୍କୁଲ ମଡେଲ ୟୁନାଇଟେଡ୍ ନେସନ୍ସ)ର ସପ୍ତମ ସଂସ୍କରଣ ଉଦ୍‌ଯାପିତ ହୋଇଯାଇଛି । ଆଇଆଇଏମ୍ ସମ୍ବଲପୁରର ଅଡିଟୋରିୟମ୍‌ରେ ଆୟୋଜିତ ଉଦ୍‌ଯାପନୀ ସମାରୋହରେ ବହୁ ବିଶିଷ୍ଟ ଅତିଥି ଯୋଗଦେଇ ଛାତ୍ରଛାତ୍ରୀଙ୍କ ଏହି ଅନ୍ତର୍ଜାତୀୟ ମଡେଲ ୟୁନାଇଟେଡ୍ ନେସନ୍ସ କାର୍ଯ୍ୟକ୍ରମର ଗୁରୁତ୍ୱ ଉପରେ ମତ ରଖିଥିଲେ ।

ସମାରୋହରେ ଆଇଆଇଏମ୍ ସମ୍ବଲପୁରର ନିର୍ଦ୍ଦେଶକ ମହାଦେବ ଜୟସୱାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ସେ ଏକ ସଶକ୍ତ ଛାତ୍ର ସମାଜ ଗଠନରେ ଭିସମୁନ୍‌ର ଭୂମିକା ଓ ଆଧୁନିକ ସମାଜରେ ଏଭଳି କାର୍ଯ୍ୟକ୍ରମର ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରିଥିଲେ । ବିଦ୍ୟାଳୟର ଅଧ୍ୟକ୍ଷ ଆନନ୍ଦ ଅଗ୍ରୱାଲ ନିଜ ଅଭିଭାଷଣରେ ଭାରତ ବିଶ୍ୱଗୁରୁ ଭାବେ ଉଭା ହୋଇ ସମଗ୍ର ମାନବ ସମାଜକୁ ନୂତନ ଜ୍ଞାନ ଓ ଦିଗଦର୍ଶନ ପ୍ରଦାନ କରୁଥିବା କହିଥିଲେ। ଆଗାମୀ ଭିସମୁନ୍‌ର ଅଷ୍ଟମ ସଂସ୍କରଣକୁ ବିଶ୍ୱସ୍ତରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଭାବେ ଗଢ଼ିତୋଳିବା ପାଇଁ ନୂତନ ଚିନ୍ତାଧାରା ଓ ଯୋଜନା ଉପରେ ଗୁରୁତ୍ୱ ଦେବାକୁ ସେ ଆହ୍ୱାନ ଦେଇଥିଲେ ।

ଚଳିତ ବର୍ଷର ‘ଏକ ବିଶ୍ୱ, ଏକ ନୀତି, ଏକ ଶାସନ’ ବିଷୟବସ୍ତୁକୁ ଆଧାର କରି ଛାତ୍ରଛାତ୍ରୀମାନେ ବିଭିନ୍ନ ନୃତ୍ୟ ଓ ସଙ୍ଗୀତ ପରିବେଷଣ କରିଥିଲେ । ଏଥିସହ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଓଡ଼ିଶା ସମେତ ଛତିଶଗଡ଼, ଝାଡ଼ଖଣ୍ଡ, ବିହାର ଓ ପଶ୍ଚିମବଙ୍ଗର ୪୦ରୁ ଅଧିକ ବିଦ୍ୟାଳୟର ୧୨୦୦ରୁ ଅଧିକ ଛାତ୍ରଛାତ୍ରୀ ଯୋଗଦେଇଥିଲେ । ଏହି ଅବସରରେ ଭିସମୁନ୍‌ର ପ୍ରତିଷ୍ଠାତା ସନତ ପୁରି ଆଗାମୀ ଦିନରେ ରାୟପୁରସ୍ଥିତ ବୈଦିକ ଇଣ୍ଟରନେସନାଲ ସ୍କୁଲ ପରିସରରେ ମଧ୍ୟ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି ଘୋଷଣା କରିଥିଲେ ।

ବିଦ୍ୟାଳୟର ଅଧ୍ୟକ୍ଷା ଗୀତା ଧର୍ମରାଜନ, ଉପାଧ୍ୟକ୍ଷ ମୋନେନ ଈଶ୍ୱରୀ ଏବଂ ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ଉଦ୍‌ଯାପନୀ ସମାରୋହରେ ଉପସ୍ଥିତ ଥିଲେ । ଛାତ୍ରଛାତ୍ରୀଙ୍କ ଦ୍ୱାରା ପରିଚାଳିତ ଏହି କାର୍ଯ୍ୟକ୍ରମର ସଫଳ ଆୟୋଜନକୁ ନେଇ ସେମାନେ ସନ୍ତୋଷ ପ୍ରକାଶ କରିଥିଲେ ।

Leave a Reply

Your email address will not be published. Required fields are marked *