ଭାରତକୁ ଆମେରିକାର ଜଣେ ଗୁରୁତ୍ୱପୂର୍ଣ୍ଣ ସହଯୋଗୀ ବୋଲି ବର୍ଣ୍ଣନା କରିଛନ୍ତି ରୁବିଓ । ତାଙ୍କ କହିବା ଅନୁସାରେ, ଭାରତ ହେଉଛି ବିଶ୍ୱର ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ଦେଶ ଏବଂ ସବୁଠାରୁ ବଡ଼ ଗଣତନ୍ତ୍ର ।
ଭାରତ ଗସ୍ତରେ ପହଞ୍ଚିଛନ୍ତି ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ । ତାଙ୍କ ସହ ପତ୍ନୀ ଜେନେଟ୍ ରୁବିଓ ଏବଂ ଭାରତରେ ଆମେରିକାର ରାଷ୍ଟ୍ରଦୂତ ସର୍ଜିଓ ଗୋର ମଧ୍ୟ ଆସିଛନ୍ତି । ମୁମ୍ବାଇ ବିମାନବନ୍ଦରରେ ମହାରାଷ୍ଟ୍ର ସରକାରଙ୍କ ମନ୍ତ୍ରୀ ଆଶିଷ ଶେଲାର ତାଙ୍କୁ ସ୍ୱାଗତ କରିଥିଲେ । ଭାରତରେ ପହଞ୍ଚିବା ପରେ ରୁବିଓ ଭାରତ-ଆମେରିକା ସମ୍ପର୍କ ଏବଂ ଦୁଇ ଦେଶ ମଧ୍ୟରେ ହେବାକୁ ଥିବା ବାଣିଜ୍ୟ ଚୁକ୍ତିକୁ ନେଇ ନିଜର ମତ ରଖିଛନ୍ତି ।
ଭାରତକୁ ଆମେରିକାର ଜଣେ ଗୁରୁତ୍ୱପୂର୍ଣ୍ଣ ସହଯୋଗୀ ବୋଲି ବର୍ଣ୍ଣନା କରିଛନ୍ତି ରୁବିଓ । ତାଙ୍କ କହିବା ଅନୁସାରେ, ଭାରତ ହେଉଛି ବିଶ୍ୱର ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ଦେଶ ଏବଂ ସବୁଠାରୁ ବଡ଼ ଗଣତନ୍ତ୍ର । ବାଣିଜ୍ୟ, ପୁଞ୍ଜିନିବେଶ, ପ୍ରତିରକ୍ଷା ଓ ରଣନୈତିକ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ଦୃଢ଼ ସହଯୋଗ ରହିଛି ।
ଟ୍ରେଡ୍ ଡିଲ୍କୁ ନେଇ କ’ଣ କହିଲେ ରୁବିଓ?
ଭାରତ-ଆମେରିକା ବାଣିଜ୍ୟ ଚୁକ୍ତିକୁ ନେଇ ରୁବିଓ ଆଶାବାଦୀ ମନୋଭାବ ପ୍ରକାଶ କରିଛନ୍ତି । ସେ କହିଛନ୍ତି, ଚୁକ୍ତିକୁ ନେଇ ଦୁଇ ଦେଶ ଖୁବ୍ ନିକଟରେ ପହଞ୍ଚିଛନ୍ତି । ଆନୁଷ୍ଠାନିକ ଭାବେ ଚୁକ୍ତି ସ୍ୱାକ୍ଷର ହୋଇନଥିଲେ ମଧ୍ୟ, ଏହା ଯେତେ ନିକଟରେ ପହଞ୍ଚିପାରିବ, ସେତେ ନିକଟରେ ରହିଛି ବୋଲି ସେ କହିଛନ୍ତି ।
ରୁବିଓଙ୍କ କହିବା ଅନୁସାରେ, ଚୁକ୍ତିରେ ଆଉ ଅଳ୍ପ କିଛି ବିଷୟ ଉପରେ ସହମତି ହେବା ବାକି ରହିଛି । ଏହି ପ୍ରସଙ୍ଗଗୁଡ଼ିକ ଖୁବ୍ଶୀଘ୍ର ସମାଧାନ ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି । ଏଥିସହ ଦୁଇ ଦେଶ ଖୁବ୍ଶୀଘ୍ର ଏକ ଭଲ ଖବର ଦେଇପାରିବେ ବୋଲି ମଧ୍ୟ ସେ ଆଶାବାଦୀ ଅଛନ୍ତି । ତେବେ ବାଣିଜ୍ୟ ଚୁକ୍ତି ଉପରେ ସିଧାସଳଖ ଆଲୋଚନା ଆମେରିକାର ବୈଦେଶିକ ବିଭାଗ କରେ ନାହିଁ ବୋଲି ରୁବିଓ ସ୍ପଷ୍ଟ କରିଛନ୍ତି । ହେଲେ ଚୁକ୍ତି ସମ୍ପର୍କିତ ପ୍ରକ୍ରିୟାରେ ବୈଦେଶିକ ବିଭାଗ ସମ୍ପୂର୍ଣ୍ଣ ଭାବେ ସାମିଲ ଥିବା ସେ କହିଛନ୍ତି ।
ଭାରତ କାହିଁକି ଆମେରିକା ପାଇଁ ଗୁରୁତ୍ୱପୂର୍ଣ୍ଣ?
ଭାରତକୁ ଏକ ଗୁରୁତ୍ୱପୂର୍ଣ୍ଣ ବାଣିଜ୍ୟିକ ଓ ପୁଞ୍ଜିନିବେଶ ସହଯୋଗୀ ବୋଲି ରୁବିଓ ଅଭିହିତ କରିଛନ୍ତି । ପ୍ରତିରକ୍ଷା କ୍ଷେତ୍ରରେ ମଧ୍ୟ ଦୁଇ ଦେଶ ମଧ୍ୟରେ ଉଲ୍ଲେଖନୀୟ ସହଯୋଗ ରହିଛି । ଏହା ସହିତ ଭାରତ କ୍ୱାଡ୍ର ଏକ ପ୍ରମୁଖ ସଦସ୍ୟ ଏବଂ ଆମେରିକାର ଏକ ଦୃଢ଼ ରଣନୈତିକ ସହଯୋଗୀ ବୋଲି ସେ କହିଛନ୍ତି ।
ଆମେରିକାର ଅନେକ ବରିଷ୍ଠ ଅଧିକାରୀ ନିକଟରେ ଭାରତ ଗସ୍ତ କରିଥିବା କଥା ମଧ୍ୟ ସେ ଉଲ୍ଲେଖ କରିଛନ୍ତି । ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ମଧ୍ୟ ଚାରିଥର ଆମେରିକା ଗସ୍ତ କରିଥିବା କହି ଦୁଇ ଦେଶ ମଧ୍ୟରେ ଅଧିକ ଆଲୋଚନା ଓ ଯୋଗାଯୋଗର ଆବଶ୍ୟକତା ଉପରେ ରୁବିଓ ଗୁରୁତ୍ୱ ଦେଇଛନ୍ତି ।
ଭାରତରେ ରୁବିଓଙ୍କ କାର୍ଯ୍ୟକ୍ରମ କ’ଣ?
ଏହା ମାର୍କୋ ରୁବିଓଙ୍କ ଦ୍ୱିତୀୟ ଭାରତ ଗସ୍ତ। ଏହା ପୂର୍ବରୁ ସେ ମେ’ ମାସରେ ଭାରତ ଆସିଥିଲେ । ଚଳିତ ଗସ୍ତରେ ଭାରତ-ଆମେରିକା ସମ୍ପର୍କର ସମୀକ୍ଷା କରିବା ସହ ବ୍ୟାପକ ରଣନୈତିକ ସହଭାଗିତାକୁ ଆହୁରି ମଜବୁତ କରିବା ଉପରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି । ଭାରତର ବୈଦେଶିକ ମନ୍ତ୍ରଣାଳୟ ଅନୁସାରେ, ଶକ୍ତି, ବାଣିଜ୍ୟ, ପୁଞ୍ଜିନିବେଶ, ପ୍ରତିରକ୍ଷା, ଉଦୀୟମାନ ପ୍ରଯୁକ୍ତିବିଦ୍ୟା ଏବଂ ଆଞ୍ଚଳିକ ଓ ବିଶ୍ୱସ୍ତରୀୟ ପ୍ରସଙ୍ଗ ଉପରେ ଦୁଇ ପକ୍ଷ ଆଲୋଚନା କରିପାରନ୍ତି । ମୁମ୍ବାଇର ତାଜ୍ ହୋଟେଲ୍ସ୍ଥିତ ୨୬/୧୧ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ‘ଫ୍ରିଡମ୍ ୨୫୦’ ସ୍ୱାଗତ ସମାରୋହରେ ରୁବିଓ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏହାସହ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବିସଙ୍କ ସହ ତାଙ୍କର ସାକ୍ଷାତ ହେବାର ସମ୍ଭାବନା ଅଛି ।
ମୁମ୍ବାଇର କାର୍ଯ୍ୟକ୍ରମ ଶେଷ କରି ରୁବିଓ ଗୁଜରାଟର ଜାମନଗର ଯିବେ । ସେଠାରେ ଭାରତ-ଆମେରିକା ମଧ୍ୟରେ ଶକ୍ତି କ୍ଷେତ୍ରର ସହଯୋଗକୁ ଆହୁରି ବଢ଼ାଇବା ଉପରେ ବିଶେଷ ଗୁରୁତ୍ୱ ଦିଆଯିବାର ଆଶା ରହିଛି ।

