ବୈତରଣୀ ଓ ସାଳନ୍ଦୀରେ ବନ୍ୟା ଆସିବା ପରେ ଭଦ୍ରକ ଜିଲ୍ଲା ଅଧିକ ପ୍ରଭାବିତ ହୋଇଛି । ବନ୍ୟା ପ୍ରଭାବରେ ୨ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଥିବା ବେଳେ ୫୨ ହଜାର ୮୩୯ ଜଣଙ୍କୁ ଉଦ୍ଧାର କରାଯାଇଛି ।
ବୈତରଣୀ ଓ ସାଳନ୍ଦୀରେ ବନ୍ୟା ଆସିବା ପରେ ଭଦ୍ରକ ଜିଲ୍ଲା ଅଧିକ ପ୍ରଭାବିତ ହୋଇଛି । ବନ୍ୟା ପ୍ରଭାବରେ ୨ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଥିବା ବେଳେ ୫୨ ହଜାର ୮୩୯ ଜଣଙ୍କୁ ଉଦ୍ଧାର କରାଯାଇଛି ।
ଭଦ୍ରକ, ଭଣ୍ଡାରୀପୋଖରୀ, ଧାମନଗର, ତିହିଡ଼ି, ବାସୁଦେବପୁର ଓ ବନ୍ତ ବ୍ଲକ୍ ସହ ୨ଟି ପୌରାଞ୍ଚଳର ୭୪ଟି ପଞ୍ଚାୟତ, ୧୯ଟି ୱାର୍ଡ ଓ ୧୯୧ଟି ଗାଁ ବନ୍ୟା ପ୍ରଭାବିତ ହୋଇଛି । ପ୍ରଭାବିତ ଲୋକଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି । ବନ୍ୟା ପ୍ରଭାବିତ ଅଞ୍ଚଳରେ ୬୬ଟି ମାଗଣା ରୋଷେଇ ଘର ଖୋଲାଯାଇଛି । ୧୨୦୦ ବୋତଲ ପାନୀୟ ଜଳ, ୧୦ ହଜାର ୱାଟର ପାଉଚ୍ ଓ ୧୩ଟି ୱାଟର ଟ୍ୟାଙ୍କର ନିୟୋଜିତ ହୋଇଛି । ୧୭୭୫ଟି ନଳକୂପ ପ୍ରଭାବିତ ହୋଇଥିବାରୁ ପାନୀୟ ଜଳ ଓ ସ୍ୱାସ୍ଥ୍ୟସେବା ଉପରେ ଗୁରୁତ୍ୱ ଦିଆଯାଉଛି ।
୧୮ଟି ମେଡିକାଲ ଟିମ୍ ଓ ୬ଟି ଭେଟେରିନାରୀ ଟିମ୍ ନିୟୋଜିତ ଅଛନ୍ତି । ୨ଟି ମୋବାଇଲ୍ ୱାଟର ଟ୍ରିଟମେଣ୍ଟ ୟୁନିଟ୍ ମଧ୍ୟ କାର୍ଯ୍ୟ କରୁଛି । ୧୯ ଜଣ ଗର୍ଭବତୀ ମହିଳାଙ୍କୁ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି । ଏପର୍ଯ୍ୟନ୍ତ କୌଣସି ମହାମାରୀ ଦେଖାଦେଇନଥିବା ସୂଚନା ମିଳିଛି । ପ୍ରବଳ ବର୍ଷା ଓ ବନ୍ୟାକୁ ଦୃଷ୍ଟିରେ ରଖି ଭଦ୍ରକ ଜିଲ୍ଲାରେ ଆଜି ୩୪୧ଟି ପ୍ରଭାବିତ ସ୍କୁଲ ବନ୍ଦ ରହିବ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଧାମନଗର, ଭଦ୍ରକ, ଭଣ୍ଡାରୀପୋଖରୀ, ତିହିଡ଼ି, ବାସୁଦେବପୁର ଓ ଚାନ୍ଦବାଲି ବ୍ଲକ୍ର ଏହି ସ୍କୁଲଗୁଡ଼ିକରେ ଶିକ୍ଷାଗତ ଓ ଅଣଶିକ୍ଷାଗତ କାର୍ଯ୍ୟକଳାପ ବନ୍ଦ ରହିବ ।
ସେହିପରି ଯାଜପୁର ଜିଲ୍ଲାରେ ମଧ୍ୟ ବନ୍ୟା ପ୍ରଭାବିତ ଅଞ୍ଚଳର ୯୧ଟି ସ୍କୁଲକୁ ଆଜି ଛୁଟି ଘୋଷଣା କରାଯାଇଛି । ଦଶରଥପୁର, ଯାଜପୁର ଓ ବିଂଝାରପୁର ବ୍ଲକ୍ର ଏହି ସ୍କୁଲଗୁଡ଼ିକ ବନ୍ଦ ରହିବ ।

