ଫାୟାରିଂ ସ୍କ୍ୱାଡ୍ ରୁ ଓହରି ଯିବାକୁ କ୍ୟାଥୋଲିକ୍ ସୈନିକମାନଙ୍କୁ ଆମେରିକା ଆର୍ଚବିଶପଙ୍କ ଅନୁରୋଧ

ଆମେରିକା ଆର୍ଚବିଶପ ଟିମୋଥି ବ୍ରୋଗ୍ଲିଓ ଦେଶର ସଶସ୍ତ୍ର ବାହିନୀର କାର୍ଯ୍ୟ କରୁଥିବା କ୍ୟାଥୋଲିକମାନଙ୍କୁ ଫାୟାରିଂ ସ୍କ୍ୱାଡ୍ ଦ୍ୱାରା ଯୋଜନାବଦ୍ଧ ସାର୍ବଜନୀନ ମୃତ୍ୟୁଦଣ୍ଡରେ ଅଂଶଗ୍ରହଣ ନକରିବାକୁ ଅନୁରୋଧ କରିଛନ୍ତି।

ଆମେରିକା ଆର୍ଚବିଶପ ଟିମୋଥି ବ୍ରୋଗ୍ଲିଓ ଦେଶର ସଶସ୍ତ୍ର ବାହିନୀର କାର୍ଯ୍ୟ କରୁଥିବା କ୍ୟାଥୋଲିକମାନଙ୍କୁ ଫାୟାରିଂ ସ୍କ୍ୱାଡ୍ ଦ୍ୱାରା ଯୋଜନାବଦ୍ଧ ସାର୍ବଜନୀନ ମୃତ୍ୟୁଦଣ୍ଡରେ ଅଂଶଗ୍ରହଣ ନକରିବାକୁ ଅନୁରୋଧ କରିଛନ୍ତି। କାରଣ ଏହା ଚର୍ଚ୍ଚର ଶିକ୍ଷାକୁ ଉଲ୍ଲଂଘନ କରୁଛି ବୋଲି ସେ କହିଛନ୍ତି। ଫୋର୍ଟ ହୁଡ୍ ଆକ୍ରମଣକାରୀ ପୂର୍ବତନ ସେନା ମେଜର ନିଦାଲ ହାସନଙ୍କ ମୃତ୍ୟୁଦଣ୍ଡର ଲାଇଭଷ୍ଟ୍ରିମିଂ ପାଇଁ ଆମେରିକା ପକ୍ଷରୁ କରାଯାଇଥିବା ଯୋଜନା ଚର୍ଚ୍ଚର ଶିକ୍ଷାର ବିରୁଦ୍ଧ। ମୁଁ ଫାୟାରିଂ ସ୍କ୍ୱାଡ୍‌ରେ ନିଯୁକ୍ତ ସମସ୍ତ କ୍ୟାଥୋଲିକଙ୍କୁ ଚର୍ଚ୍ଚର ଶିକ୍ଷା ବିପରୀତ ଏହି କାର୍ଯ୍ୟରୁ ଦୂରେଇ ରହିବାକୁ ଅନୁରୋଧ କରୁଛି। ସେ ପ୍ରଶ୍ନ କରିଛନ୍ତି, ଆମେରିକା ବିଶ୍ୱର ଆତଙ୍କବାଦୀମାନଙ୍କୁ ଅନୁକରଣ କରି ବର୍ବର ଭାବରେ ହତ୍ୟା କରିବାକୁ ସାର୍ବଜନୀନ ପ୍ରଦର୍ଶନ କରିବାକୁ ଚାହୁଁଛି କି? ଯେକୌଣସି ପରିସ୍ଥିତିରେ ମୃତ୍ୟୁ ଦଣ୍ଡ ଗ୍ରହଣୀୟ ନୁହେଁ। ଫାୟାରିଂ ସ୍କ୍ୱାଡ୍ ଦ୍ୱାରା ଜୀବନ ନେବାର ଯୋଜନାବଦ୍ଧ ପ୍ରସାରଣ ପ୍ରଦର୍ଶନ ବର୍ବରତାଠାରୁ କମ୍ ନୁହେଁ।

ହାସନଙ୍କ ମୃତ୍ୟୁକୁ କ୍ୟାମେରା ସାମ୍ନାରେ ରଖିବା ପଛରେ ଥିବା କାରଣ ଉପରେ ମଧ୍ୟ ବ୍ରୋଗ୍ଲିଓ ପ୍ରଶ୍ନ ଉଠାଇଛନ୍ତି। ସେ ଇଙ୍ଗିତ ଦେଇଛନ୍ତି ଯେ, ଏହା ବିଦେଶରେ ଆମେରିକୀୟ ସେନାର ଭାବମୂର୍ତ୍ତିକୁ କ୍ଷତି ପହଞ୍ଚାଇପାରେ। ଆମେରିକୀୟ ସେନାର ସାଧାରଣତଃ ବିଶ୍ୱରେ ଏକ ଭଲ ଖ୍ୟାତି ରହିଛି। ହ୍ବିଲ୍ ଚେୟାରରେ ବସିଥିବା ଜଣେ ବ୍ୟକ୍ତିଙ୍କ ମୃତ୍ୟୁଦଣ୍ଡର ଚିତ୍ର ସମଗ୍ର ବିଶ୍ୱରେ ପ୍ରସାରଣ କରି ଆତଙ୍କବାଦୀଙ୍କ ସହିତ ସମାନ ହେବାରେ ପ୍ରକୃତରେ କୌଣସି ମୂଲ୍ୟ ଅଛି କି? ୨୦୦୯ ମସିହାରେ ଟେକ୍ସାସର ଫୋର୍ଟ ହୁଡ୍‌ରେ ଗୁଳିକାଣ୍ଡ ଆକ୍ରମଣ ସମୟରେ ୧୩ ଜଣଙ୍କୁ ହତ୍ୟା କରିଥିବା ହାସନଙ୍କ ମୃତ୍ୟୁଦଣ୍ଡର ଲାଇଭଷ୍ଟ୍ରିମିଂ ପାଇଁ ଆମେରିକୀୟ ସେନାର ଯୋଜନାକୁ ନେଇ ବ୍ରୋଗ୍ଲିଓ କଡ଼ା ଶବ୍ଦରେ ଏଭଳି ବିବୃତି ଜାରି କରିଛନ୍ତି।ଚିକାଗୋର ଆର୍ଚବିଶପ କାର୍ଡିନାଲ୍ ବ୍ଲେସ୍ ଜେ କୁପିଚ୍ ମଧ୍ୟ ଏକ ସୋସିଆଲ ମିଡିଆ ପୋଷ୍ଟରେ ମୃତ୍ୟୁଦଣ୍ଡର ଲାଇଭଷ୍ଟ୍ରିମିଂ ଯୋଜନାକୁ ନିନ୍ଦା କରି ଏହା ପିଲାମାନଙ୍କ ପାଇଁ କିପରି ଉଦାହରଣ ସୃଷ୍ଟି କରିବ ବୋଲି ପ୍ରଶ୍ନ କରିଛନ୍ତି।

ହାସନଙ୍କ ମାମଲାକୁ ନିର୍ଦ୍ଦିଷ୍ଟ ଭାବରେ ଉଲ୍ଲେଖ ନକରି, ପୋପ୍ ଲିଓ ମଧ୍ୟ ମୃତ୍ୟୁଦଣ୍ଡକୁ ନିନ୍ଦା କରି ଏକ ବିବୃତି ଜାରି କରି କହିଛନ୍ତି, ମୃତ୍ୟୁଦଣ୍ଡ ଗ୍ରହଣୀୟ ନୁହେଁ କାରଣ ଏହା ବ୍ୟକ୍ତିଙ୍କ ଅଲଙ୍ଘନୀୟତା ଏବଂ ମର୍ଯ୍ୟାଦା ଉପରେ ଆକ୍ରମଣ। ସାଧାରଣ ହିତକୁ ସୁରକ୍ଷା ଦିଆଯାଇପାରିବ ଏବଂ ମୃତ୍ୟୁଦଣ୍ଡର ଆଶ୍ରୟ ବିନା ନ୍ୟାୟର ଆବଶ୍ୟକତା ପୂରଣ କରାଯାଇପାରିବ। ପ୍ରଭାବଶାଳୀ ଅଟକ ବ୍ୟବସ୍ଥା ବିକଶିତ ହୋଇଛି ଯାହା ନାଗରିକମାନଙ୍କୁ ସୁରକ୍ଷା ଦେବ ଏବଂ ସେହି ସମୟରେ ଦୋଷୀମାନଙ୍କୁ ମୁକ୍ତିର ସମ୍ଭାବନାରୁ ସମ୍ପୂର୍ଣ୍ଣ ଭାବରେ ବଞ୍ଚିତ ମଧ୍ୟ କରିବ ନାହିଁ।
ହାସନଙ୍କ ମୃତ୍ୟୁଦଣ୍ଡର ଲାଇଭଷ୍ଟ୍ରିମିଂ ଯୋଜନା ନେଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିରୋଧର ସମ୍ମୁଖୀନ ହେଉଛନ୍ତି। ପ୍ରାରମ୍ଭରେ ଏହି ନିଷ୍ପତ୍ତିକୁ ଖୋଲାଖୋଲି ସମର୍ଥନ କରିବା ପରେ ଟ୍ରମ୍ପ ଏବେ ବିଭିନ୍ନ ସହଯୋଗୀଙ୍କଠାରୁ ମତାମତ ଲୋଡୁଛନ୍ତି। ଆକ୍ସିଓସର ଏକ ରିପୋର୍ଟ ଅନୁଯାୟୀ ଟ୍ରମ୍ପ ଜଣେ ନିକଟତମ ସହଯୋଗୀଙ୍କୁ କହିଛନ୍ତି ଯେ, ଡିସେମ୍ବର ୩ ତାରିଖରେ ହେବାକୁ ଥିବା ମୃତ୍ୟୁଦଣ୍ଡର ଲାଇଭଷ୍ଟ୍ରିମିଂ ନ ହୋଇପାରେ।

ଟ୍ରମ୍ପ ହ୍ୱାଇଟ୍ ହାଉସ୍ ଭିତରେ ଏବଂ ବାହାରେ ଉଭୟ ଆଇନ ପ୍ରଣୟନକାରୀ ଏବଂ ପରାମର୍ଶଦାତାଙ୍କ ପକ୍ଷରୁ ଏହି ପ୍ରସଙ୍ଗରେ ବିରୋଧର ସମ୍ମୁଖୀନ ହେବାରେ ଲାଗିଛନ୍ତି।
ଆମେରିକାର ପ୍ରତିରକ୍ଷା ସଚିବ ପିଟ୍ ହେଗସେଥ୍ ଗୁରୁବାର ଦିନ ଘୋଷଣା କରିଥିଲେ ଯେ, ହାସନଙ୍କ ମୃତ୍ୟୁଦଣ୍ଡକୁ ସିଧା ପ୍ରସାରଣ କରାଯାଇପାରେ ଯାହା ଦ୍ୱାରା ଲୋକମାନେ ଏପରି ଅପରାଧର ଗମ୍ଭୀର ପରିଣାମକୁ ବୁଝିପାରିବେ। ଯଦି ଏପରି ଘଟେ ତେବେ ଏହା ଆମେରିକାରେ ମୃତ୍ୟୁଦଣ୍ଡର ପ୍ରଥମ ସିଧା ପ୍ରସାରଣ ହେବ। ମାତ୍ର ଏଭଳି ଚିନ୍ତାଧାରାକୁ ଆମେରିକା ଭିତରେ ଏବଂ ଅନ୍ତର୍ଜାତୀୟ ସ୍ତରରେ ସମାଲୋଚନା କରାଯାଉଛି। ଫଳରେଏବେ ଟ୍ରମ୍ପଙ୍କ ମନୋଭାବରେ ପରିବର୍ତ୍ତନ ଆସିଛି। ଟ୍ରମ୍ପ ପ୍ରଥମେ ମୃତ୍ୟୁଦଣ୍ଡର ଲାଇଭଷ୍ଟ୍ରିମିଂକୁ ସମର୍ଥନ କରି କହିଥିଲେ। ସେ ପରେ କହିଥିଲେ ଯେ, ଏକ ଉଦାହରଣ ସୃଷ୍ଟି କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଉଛି, ମାତ୍ର ମୁଁ ନିଜେ ଏହି ନିଷ୍ପତ୍ତିରେ ସାମିଲ ନୁହେଁ ବୋଲି କହିଥିଲେ।

Leave a Reply

Your email address will not be published. Required fields are marked *