ପୁଲିସ ଅଧିକାରୀଙ୍କୁ ଚାପୁଡା ମାରିଲେ ବିଧାୟକଙ୍କ ଝିଅ : ୧୪ ଦିନ ବିତିଲେ ବି କାର୍ଯ୍ୟାନୁଷ୍ଠାନ ଶୂନ୍ୟ

କର୍ଣ୍ଣାଟକର ଶ୍ରୀରଙ୍ଗପାଟନାର ଏକ ମନ୍ଦିରରେ ଡ୍ୟୁଟିରେ ଥିବା ଜଣେ ମହିଳା ପୁଲିସ ଅଧିକାରୀଙ୍କୁ ଜଣେ ବିଧାୟକଙ୍କ ଝିଅ ଚାପୁଡ଼ା ମାରିଥିଲେ। ଏହି ଝଗଡ଼ାର ସିସିଟିଭି ଫୁଟେଜ୍ ଏବେ ସାମ୍ନାକୁ ଆସିଛି।

କର୍ଣ୍ଣାଟକର ଶ୍ରୀରଙ୍ଗପାଟନାର ଏକ ମନ୍ଦିରରେ ଡ୍ୟୁଟିରେ ଥିବା ଜଣେ ମହିଳା ପୁଲିସ ଅଧିକାରୀଙ୍କୁ ଜଣେ ବିଧାୟକଙ୍କ ଝିଅ ଚାପୁଡ଼ା ମାରିଥିଲେ। ଏହି ଝଗଡ଼ାର ସିସିଟିଭି ଫୁଟେଜ୍ ଏବେ ସାମ୍ନାକୁ ଆସିଛି। ଘଟଣାଟି ଅଗଷ୍ଟ ୧୨ ତାରିଖ ରାତି ପ୍ରାୟ ୮:୧୫ ସମୟରେ ଘଟିଥିଲା। ଭୀମ ଅମାବାସ୍ୟା ପାଇଁ ଆରତୀ ଉକ୍କାଡା ମନ୍ଦିରରେ ଭିଡ଼ ଜମା ହୋଇଥିଲା। ଟୁମକୁର ଗ୍ରାମାଞ୍ଚଳ ବିଧାୟକ ବି. ସୁରେଶ ଗୌଡ଼ାଙ୍କ ଝିଅ ଐଶ୍ୱର୍ଯ୍ୟା ଦର୍ଶନ କରିବାକୁ ଆସିଥିଲେ। ଐଶ୍ୱର୍ଯ୍ୟା ଗର୍ଭଗୃହରେ ପ୍ରବେଶ କରିବାକୁ ଚାହୁଁଥିଲେ, କିନ୍ତୁ ଭିଡ଼ ଯୋଗୁଁ ତାଙ୍କୁ ଭିତରକୁ ପ୍ରବେଶ କରିବାକୁ ଅନୁମତି ଦିଆଯାଇ ନଥିଲା। ଏଥିରେ ଉତକ୍ଷିପ୍ତ ହୋଇ ମାଣ୍ଡ୍ୟା ମହିଳା ପୁଲିସ ଷ୍ଟେସନର ସବ୍-ଇନ୍ସପେକ୍ଟର ସବିତା ପାଟିଲଙ୍କୁ ଐଶ୍ୱର୍ଯ୍ୟା ଚାପୁଡ଼ି ମାରିଥିଲେ। ଏହାପରେ ସବିତା ମଧ୍ୟ ତାଙ୍କୁ ଚାପୁଡ଼ା ମାରିଥିବାର ଭିଡିଓରେ ଦେଖାଯାଉଛି।

ଦେଖଣାହାରୀମାନେ ଉଭୟଙ୍କୁ ଅଟକାଇବା ପାଇଁ ହସ୍ତକ୍ଷେପ କରିଥିଲେ। ଘଟଣା ପରେ ବିଧାୟକ ଗୌଡା ତୁରନ୍ତ କ୍ଷମା ପ୍ରାର୍ଥନା କରିଥିଲେ, କିନ୍ତୁ ମହିଳା ଅଧିକାରୀ ତାଙ୍କ ଝିଅ ସହିତ ଖରାପ ବ୍ୟବହାର କରିଥିବା ଅଭିଯୋଗ ମଧ୍ୟ କରିଥିଲେ।
ଗୌଡା କହିଥିଲେ, ମୋ ଝିଅ ମନ୍ଦିର ଯାଇଥିଲା। ସେ ଗର୍ଭଗୃହ ଭିତରକୁ ଯିବାକୁ ଚାହୁଁଥିଲା, କିନ୍ତୁ ପୁଲିସ ତାକୁ ଅନୁମତି ଦେଇ ନଥିଲା। ମହିଳା ପୁଲିସ ଅଧିକାରୀ ମୋ ଝିଅ ସହିତ ଖରାପ ବ୍ୟବହାର କରିଥିଲେ, ଏବଂ ଝଗଡ଼ା ଆରମ୍ଭ ହୋଇଥିଲା। ଏନେଇ ମୁଁ କ୍ଷମା ପ୍ରାର୍ଥନା କରୁଛି, ଏଥିପାଇଁ ମୁଁ ଦୁଃଖିତ।

ସବ୍-ଇନ୍ସପେକ୍ଟର ସବିତା ବିଧାୟକଙ୍କ ଝିଅ ଐଶ୍ୱର୍ଯ୍ୟାଙ୍କ ବିରୋଧରେ ଅଭିଯୋଗ ଦାଖଲ କରିଛନ୍ତି। ଅଭିଯୋଗରେ ଦର୍ଶାଯାଇଛି ବିଧାୟକ ସୁରେଶ ଗୌଡ଼ାଙ୍କ ଝିଅ ଏବଂ ଆସିଷ୍ଟାଣ୍ଟ କମିସନର ଅଫ୍ ପୁଲିସ (ଏସିପି) ଗୌତମଙ୍କ ପତ୍ନୀ ଐଶ୍ୱର୍ଯ୍ୟା ତାଙ୍କ ସହିତ ଖରାପ ବ୍ୟବହାର, ଚାପୁଡ଼ା ମାରିବା ଏବଂ ତାଙ୍କ କର୍ତ୍ତବ୍ୟ ପାଳନରେ ବାଧା ସୃଷ୍ଟି କରିଛନ୍ତି।
ମାଣ୍ଡ୍ୟା ପୁଲିସ ଅଧୀକ୍ଷକ ମଲ୍ଲିକାର୍ଜୁନ ବାଲାଦାଣ୍ଡି ନିଶ୍ଚିତ କରିଛନ୍ତି ଯେ ଐଶ୍ୱର୍ଯ୍ୟାଙ୍କ ଦ୍ୱାରା ମଧ୍ୟ ଏକ ପାଲଟା ଅଭିଯୋଗ ଦାଖଲ କରାଯାଇଛି। ତାଙ୍କ ଅଭିଯୋଗରେ ସେ ଅଭିଯୋଗ କରିଛନ୍ତି ଯେ ପୁଲିସ ଅଧିକାରୀ ତାଙ୍କୁ ଦୁର୍ବ୍ୟବହାର କରିଛନ୍ତି। ତେବେ ଇତିମଧ୍ୟରେ ୧୪ ଦିନ ବିତି ଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ।

Leave a Reply

Your email address will not be published. Required fields are marked *