ସ୍ୱାଧୀନତା ସଂଗ୍ରାମ କହିଲେ ଆମ ଆଖି ଆଗରେ ଭାସିଉଠନ୍ତି ମହାତ୍ମା ଗାନ୍ଧୀ, ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଭଳି ମହାନ ନେତା । କିନ୍ତୁ ଏହି ଲଢ଼େଇର ପ୍ରକୃତ ଶକ୍ତି ଥିଲେ ଲକ୍ଷ ଲକ୍ଷ ସାଧାରଣ ଭାରତୀୟ ।
ସ୍ୱାଧୀନତା ସଂଗ୍ରାମ କହିଲେ ଆମ ଆଖି ଆଗରେ ଭାସିଉଠନ୍ତି ମହାତ୍ମା ଗାନ୍ଧୀ, ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଭଳି ମହାନ ନେତା । କିନ୍ତୁ ଏହି ଲଢ଼େଇର ପ୍ରକୃତ ଶକ୍ତି ଥିଲେ ଲକ୍ଷ ଲକ୍ଷ ସାଧାରଣ ଭାରତୀୟ । ଚାଷୀ, ଶ୍ରମିକ, ମହିଳା ଓ ସାଧାରଣ ପରିବାର, ସମସ୍ତେ ନିଜ ନିଜ ସ୍ତରରେ ବ୍ରିଟିଶ ଶାସନ ବିରୋଧରେ ଠିଆ ହୋଇଥିଲେ । ଏମିତି ଜଣେ ସାଧାରଣ ପରିବାର ଓ ତାଙ୍କ ସଂଘର୍ଷର କାହାଣୀ ହେଉଛି ଏହି ଗଳ୍ପ ।
ଚାଷୀଙ୍କ ଉପରେ ବ୍ରିଟିଶଙ୍କ କର ଜୁଲୁମ
କାହାଣୀର ମୁଖ୍ୟ ଚରିତ୍ର ଜିଗ୍ନେଶ । ଗୁଜରାଟର ସୁରତ ଓ ବାରଡୋଲି ଅଞ୍ଚଳର ଗରିବ ଚାଷୀଙ୍କୁ ସଂଗଠିତ କରିବାରେ ସେ ଆଗରେ ଥିଲେ । ବ୍ରିଟିଶ ସରକାର ଚାଷୀଙ୍କ ଉପରେ ଅଧିକ ଜମି ରାଜସ୍ୱ ଓ କୃଷି କର ଲଦି ଦେଉଥିଲା । ମରୁଡ଼ି ହେଉ କି ଫସଲ ନଷ୍ଟ ହେଉ, କର ଦେବାରୁ ଚାଷୀଙ୍କୁ କୌଣସି ରିହାତି ମିଳୁନଥିଲା । କର ଦେଇନପାରିଲେ ଜମି ଓ ଗୋରୁ ପର୍ଯ୍ୟନ୍ତ ଜବତ କରାଯାଉଥିଲା ।
ଅହିଂସାକୁ ଅସ୍ତ୍ର କରି ଲଢ଼େଇ
ଏହି ଅନ୍ୟାୟ ବିରୋଧରେ ଜିଗ୍ନେଶ ଚାଷୀଙ୍କୁ ଏକାଠି କରୁଥିଲେ । ମହାତ୍ମା ଗାନ୍ଧୀ ଓ ସର୍ଦ୍ଦାର ପଟେଲଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ଲୋକଙ୍କୁ ସତ୍ୟାଗ୍ରହ ଓ ଅହିଂସାର ରାସ୍ତା ଦେଖାଉଥିଲେ । ତାଙ୍କ ସନ୍ଦେଶ ସ୍ପଷ୍ଟ ଥିଲା, ଅନ୍ୟାୟ ଆଗରେ ମୁଣ୍ଡ ନୁଆଁଇବା ନାହିଁ, କିନ୍ତୁ ହିଂସାର ଆଶ୍ରୟ ମଧ୍ୟ ନେବା ନାହିଁ ।
ଗିରଫ ହେଲେ ଜିଗ୍ନେଶ
ଜିଗ୍ନେଶ ରାତିରେ ରାତିରେ ଗାଁ ଗାଁ ବୁଲି ଚାଷୀଙ୍କୁ ସାହସ ଦେଉଥିଲେ । ଭିନ୍ନ ଧର୍ମ ଓ ସମ୍ପ୍ରଦାୟର ଲୋକ ମଧ୍ୟ ତାଙ୍କ ସହ ଏକାଠି ହୋଇଥିଲେ। ଏହା ବ୍ରିଟିଶ ସରକାର ପାଇଁ ଚିନ୍ତାର କାରଣ ପାଲଟିଥିଲା । ଶେଷରେ ଆନ୍ଦୋଳନ ସମ୍ପର୍କିତ ପ୍ରଚାରପତ୍ର ବାଣ୍ଟୁଥିବା ବେଳେ ଜିଗ୍ନେଶଙ୍କୁ ଗିରଫ କରାଗଲା ଏବଂ ପାଞ୍ଚ ମାସର ଜେଲ୍ ଦଣ୍ଡ ମିଳିଲା ।
ଅଧିକ ପଢ଼ନ୍ତୁ:ଲାଲକିଲ୍ଲାରୁ ମୋଦୀଙ୍କ ବଡ଼ ଦାବି: ‘ଭାରତ ଏବେ ଦ୍ରୁତତମ ଅର୍ଥନୀତି’
ସ୍ୱାମୀଙ୍କ ଫେରିବା ବାଟକୁ ଚାହିଁଥିଲେ କିନ୍ଜଲ
ଏପଟେ ଜିଗ୍ନେଶଙ୍କ ଘରେ ତାଙ୍କ ସ୍ତ୍ରୀ କିନ୍ଜଲ ସ୍ୱାମୀଙ୍କ ଫେରିବା ବାଟକୁ ଚାହିଁ ରହିଥିଲେ । ଘର ସଜାଇବାଠାରୁ ସ୍ୱାମୀଙ୍କ ପସନ୍ଦର ଖାଦ୍ୟ ରାନ୍ଧିବା,ସବୁ ପ୍ରସ୍ତୁତି କରିଥିଲେ । ପାଞ୍ଚ ମାସ ପରେ ସ୍ୱାମୀ ଘରକୁ ଫେରିବେ ବୋଲି ଭାବି ତାଙ୍କ ମନରେ ଖୁସି ଥିଲା ।
କିନ୍ତୁ ତାଙ୍କ ଅପେକ୍ଷା ନିରାଶାରେ ପରିଣତ ହେଲା । ଜିଗ୍ନେଶଙ୍କୁ ଜେଲ୍ରୁ ମୁକ୍ତ କରାଗଲା ନାହିଁ। ସରକାର ଜବତ କରିଥିବା ଗୋରୁଙ୍କୁ ଚରାଇବା ଘଟଣାରେ ତାଙ୍କୁ ଆହୁରି ଅଟକ ରଖାଗଲା ।
ଘର-ଜମି ଜବତର ଧମକ
ଏହାରି ଭିତରେ ଆସିଲା ଆଉ ଏକ ବଡ଼ ବିପଦ । ବ୍ରିଟିଶ ସରକାର ଗାଁର ଜମି, ଫସଲ ଏପରିକି ଘରବାଡ଼ି ମଧ୍ୟ ଜବତ କରିବାକୁ ଯୋଜନା କରିଥିଲା । ଏଭଳି ସ୍ଥିତିରେ ନୋଟିସ୍ ଆସିବା ପୂର୍ବରୁ ଗାଁ ଛାଡ଼ିବାର ବାଧ୍ୟତା ସୃଷ୍ଟି ହୋଇଥିଲା ।
ସାଧାରଣ ଲୋକଙ୍କ ଅସାଧାରଣ ସାହସ
ତେବେ ଏହି କାହାଣୀ କେବଳ ଜିଗ୍ନେଶ କିମ୍ବା କିନ୍ଜଲଙ୍କ କାହାଣୀ ନୁହେଁ । ଏହା ସେହି ହଜାର ହଜାର ସାଧାରଣ ଭାରତୀୟଙ୍କ କାହାଣୀ, ଯେଉଁମାନେ ଦେଶ ପାଇଁ ନିଜ ଘର, ଜମି, ସମ୍ପତ୍ତି ଓ ପରିବାରକୁ ବିପଦରେ ପକାଇଥିଲେ । ଗାନ୍ଧୀଙ୍କ ସତ୍ୟାଗ୍ରହର ପ୍ରକୃତ ଶକ୍ତି ଥିଲା ଏହି ସାଧାରଣ ଲୋକଙ୍କ ଅସାଧାରଣ ସାହସ ।

