କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ଆଜି ଦିଲ୍ଲୀରୁ ଦୌସା ଦେଇ କୋଟା ପର୍ଯ୍ୟନ୍ତ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଏକ ସ୍ୱତନ୍ତ୍ର ସଡ଼କ ଯାତ୍ରା କରି ଏହି ଗୁରୁତ୍ୱପୂର୍ଣ୍ଣ କରିଡରର ସୁରକ୍ଷା ବ୍ୟବସ୍ଥା ଏବଂ ରକ୍ଷଣାବେକ୍ଷଣର ପ୍ରତ୍ୟକ୍ଷ ଯାଞ୍ଚ କରୁଥିବା ବେଳେ
କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ଆଜି ଦିଲ୍ଲୀରୁ ଦୌସା ଦେଇ କୋଟା ପର୍ଯ୍ୟନ୍ତ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଏକ ସ୍ୱତନ୍ତ୍ର ସଡ଼କ ଯାତ୍ରା କରି ଏହି ଗୁରୁତ୍ୱପୂର୍ଣ୍ଣ କରିଡରର ସୁରକ୍ଷା ବ୍ୟବସ୍ଥା ଏବଂ ରକ୍ଷଣାବେକ୍ଷଣର ପ୍ରତ୍ୟକ୍ଷ ଯାଞ୍ଚ କରୁଥିବା ବେଳେ, ଗତ ସପ୍ତାହରେ ଏହି ଏକ୍ସପ୍ରେସୱେରେ ଘଟିଥିବା ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ୮ ଜଣଙ୍କ ମୃତ୍ୟୁ ଏବଂ ୨୮ ଜଣ ଗୁରୁତର ଭାବେ ଆହତ ହେବା ପରେ ଏହି ହାଇ-ପ୍ରୋଫାଇଲ୍ ଗସ୍ତ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି।
ଜାତୀୟ ରାଜପଥ ପ୍ରାଧିକରଣ (ଏନଏଚଏଆଇ) ର ଅଧିକାରୀଙ୍କ ସୂଚନା ଅନୁଯାୟୀ, କେନ୍ଦ୍ରମନ୍ତ୍ରୀ ଆଜି ଅପରାହ୍ନ ପ୍ରାୟ ୨ଟାରେ ଦୌସା ଜିଲ୍ଲା ଦେଇ ଗତି କରିବା ସହ ଗତ ଜୁଲାଇ ୧ ତାରିଖରେ ଘଟିଥିବା ଦୁର୍ଘଟଣା ସ୍ଥଳ ପରିଦର୍ଶନ କରିପାରନ୍ତି ଏବଂ ପରବର୍ତ୍ତୀ ସମୟରେ କୋଟା ନିକଟସ୍ଥ ମୁକୁନ୍ଦରା ହିଲ୍ସର ଦାରା ଟନେଲ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରିବା ସହ ମଧ୍ୟପ୍ରଦେଶ ଓ ଗୁଜରାଟର କେତେକ ସେକ୍ସନର ମଧ୍ୟ ଯାଞ୍ଚ କରିବେ। କେନ୍ଦ୍ରମନ୍ତ୍ରୀଙ୍କ ଏହି ଗସ୍ତ ନିର୍ଦ୍ଦେଶ ପରେ ଏକ୍ସପ୍ରେସୱେରେ ପ୍ରଶାସନ ଓ ଏନଏଚଏଆଇ ପକ୍ଷରୁ ପ୍ରସ୍ତୁତି ଜୋରଦାର କରାଯାଇଛି।
ସୂଚନାଯୋଗ୍ୟ ଯେ, ଗତ ଜୁଲାଇ ୧ ତାରିଖ ରାତି ପ୍ରାୟ ୨ଟା ୩୦ ମିନିଟରେ ହରିଦ୍ୱାରରୁ ଇନ୍ଦୋର ଯାଉଥିବା ଏକ ଦ୍ରୁତଗାମୀ ବସ୍ ଦୌସାର ଜିରୋ ପଏଣ୍ଟ ନିକଟରେ ଏକ ଚଳନ୍ତା ଟ୍ରକ୍ ପଛରେ ପିଟି ହୋଇ ରାସ୍ତା କଡ଼କୁ ଓଲଟି ପଡ଼ିବା ସହ ସେଥିରେ ନିଆଁ ଲାଗିଯାଇଥିଲା, ଯାହାଫଳରେ ୮ ଜଣ ପ୍ରାଣ ହରାଇଥିଲେ। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଜିରୋ ପଏଣ୍ଟ ନିକଟରେ ଜୟପୁର-ଆଜମେର ଯିବା ପାଇଁ କୌଣସି ସ୍ପଷ୍ଟ ସାଇନବୋର୍ଡ କିମ୍ବା ଦିଗସୂଚକ ତୀର ଚିହ୍ନ ନଥିବାରୁ ଗାଡ଼ି ଚାଳକମାନେ ପ୍ରାୟତଃ ଦ୍ୱନ୍ଦ୍ୱରେ ପଡ଼ନ୍ତି ଏବଂ ରାସ୍ତା ଭୁଲ୍ କରି ହଠାତ୍ ଗାଡ଼ିର ଗତି ଧୀମା କରିଦିଅନ୍ତି କିମ୍ବା ରିଭର୍ସ କରନ୍ତି, ଯାହା ଏହି ବଡ଼ ଦୁର୍ଘଟଣାର ମୂଖ୍ୟ କାରଣ ସାଜିଛି। ଏହି ଦୌସା ସେକ୍ସନରେ କେବଳ ୨୦୨୫ ମସିହାରେ ୩୩ଟି ଦୁର୍ଘଟଣାରେ ୩୫ ଜଣ ଏବଂ ୨୦୨୬ ଜୁନ୍ ଶେଷ ସୁଦ୍ଧା ୨୪ଟି ଦୁର୍ଘଟଣାରେ ୨୬ ଜଣ ପ୍ରାଣ ହରାଇ ସାରିଲେଣି।
ଏହି ମାରାତ୍ମକ ସୁରକ୍ଷା ତ୍ରୁଟିକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ସୌମ୍ୟା ଝାଙ୍କ ନିର୍ଦ୍ଦେଶରେ ଏକ ୮ ଜଣିଆ ତଦନ୍ତ କମିଟି ଗଠନ କରାଯାଇଛି, ଯାହା ଜୁଲାଇ ୮ ଓ ୯ ତାରିଖରେ ଏହି ରୁଟର ବିଶେଷ ଅନୁଧ୍ୟାନ କରିବ। ପ୍ରାଥମିକ ଯାଞ୍ଚରୁ ଏକ୍ସପ୍ରେସୱେରେ ଥିବା ଅନେକ ଏସଓଏସ ଫୋନ୍ ଅଚଳ ଥିବା ଏବଂ ଗତି ସୀମା ଉଲ୍ଲଂଘନ ଉପରେ ନଜର ରଖିବା ବ୍ୟବସ୍ଥାରେ ମଧ୍ୟ ତ୍ରୁଟି ଥିବା ଜଣାପଡ଼ିଛି। ସେପଟେ ଆଇଜି ରାହୁଲ ପ୍ରକାଶଙ୍କ ତତ୍ତ୍ୱାବଧାନରେ ଅଲୱରରୁ ଦୌସା ପର୍ଯ୍ୟନ୍ତ ରାସ୍ତା କଡ଼ରେ ଥିବା ସମସ୍ତ ଅସ୍ଥାୟୀ ଜବରଦଖଲକୁ ଉଚ୍ଛେଦ କରାଯାଇଛି। ଏହି ଏକ୍ସପ୍ରେସୱେଟି ଏନଏଚଏଆଇର ଏକ ମୂଖ୍ୟ ପ୍ରକଳ୍ପ ହୋଇଥିବାରୁ ସରକାର ଏହାକୁ ବେଶ୍ ଗମ୍ଭୀରତାର ସହ ନେଇଛନ୍ତି, ଯାହା ନିଜେ କେନ୍ଦ୍ରମନ୍ତ୍ରୀଙ୍କ ଗ୍ରାଉଣ୍ଡ ଜିରୋ ଯାଞ୍ଚରୁ ସ୍ପଷ୍ଟ ହେଉଛି।

