‘ଦିନେ ତାମିଲନାଡୁରୁ ବି ହେବେ ପ୍ରଧାନମନ୍ତ୍ରୀ’, ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନଙ୍କ ବୟାନକୁ ନେଇ ଚର୍ଚ୍ଚା

ଭବିଷ୍ୟତରେ ତାମିଲନାଡୁରୁ ଜଣେ ବ୍ୟକ୍ତି ଭାରତର ପ୍ରଧାନମନ୍ତ୍ରୀ ହେବେ ବୋଲି ଆଶା ପ୍ରକାଶ କରିଛନ୍ତି ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ। ମଦୁରାଇରେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ସେ ଭାରତୀୟ ଗଣତନ୍ତ୍ରର ଶକ୍ତି ଓ ଦେଶର ଭବିଷ୍ୟତ ମହାଶକ୍ତି ହେବା ନେଇ ମତ ରଖିଛନ୍ତି।

ଉପରାଷ୍ଟ୍ରପତି ସିପି ରଧାକୃଷ୍ଣନଙ୍କ ବୟାନକୁ ନେଇ ରାଜନୈତିକ ମହଲରେ ଚହଳ ସୃଷ୍ଟି ହୋଇଛି । ସେ କହିଛନ୍ତି, ଭାରତର ପ୍ରଧାନମନ୍ତ୍ରୀ ହେବାର ସ୍ୱପ୍ନ ଦେଖିପାରିବେ ଦେଶର ଯେକୌଣସି ରାଜ୍ୟର ନେତା । ଭବିଷ୍ୟତରେ ତାମିଲନାଡୁରୁ ମଧ୍ୟ ଜଣେ ପ୍ରଧାନମନ୍ତ୍ରୀ ହେବେ । ଶୁକ୍ରବାର ମଦୁରାଇରେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି, ଭାରତୀୟ ଗଣତନ୍ତ୍ରରେ ଦେଶର ଯେକୌଣସି ରାଜ୍ୟର ବ୍ୟକ୍ତି ପ୍ରଧାନମନ୍ତ୍ରୀ ହେବାର ସୁଯୋଗ ରହିଛି ।

ସେ କହିଛନ୍ତି, ଗୁଜରାଟ ଓ କର୍ଣ୍ଣାଟକ ଭଳି ରାଜ୍ୟର ନେତାମାନେ ପୂର୍ବରୁ ଦେଶର ପ୍ରଧାନମନ୍ତ୍ରୀ ହୋଇଛନ୍ତି । ସେହିପରି ଦିନେ ତାମିଲନାଡୁରୁ ମଧ୍ୟ ଜଣେ ବ୍ୟକ୍ତି ଦେଶର ପ୍ରଧାନମନ୍ତ୍ରୀ ହେବେ । ଏହାକୁ ବିଶ୍ୱର କୌଣସି ଶକ୍ତି ଅଟକାଇ ପାରିବ ନାହିଁ । ଭାରତ ଆଗାମୀ ଦିନରେ ବିଶ୍ୱର ଅଗ୍ରଣୀ ମହାଶକ୍ତି ଭାବେ ଉଭା ହେବ ବୋଲି ମଧ୍ୟ ସେ ଦୃଢ଼ୋକ୍ତି କରିଛନ୍ତି ।

ତାଙ୍କର ଏହି ବୟାନକୁ ନେଇ ଅନେକ କଳ୍ପନା ଜଳ୍ପନା ଆରମ୍ଭ ହୋଇଯାଇଛି । ଉପରାଷ୍ଟ୍ରପତି ଏହି ବୟାନ କଥା ପ୍ରସଙ୍ଗରେ ଏମିତି ଦେଇଛନ୍ତି ନା ଆଗକୁ ସେମିତି କିଛି ସମୀକରଣ ହେଉଛି ସେନେଇ ଚର୍ଚ୍ଚା ହୋଇଛି । ତେବେ ଦେଶ ସ୍ୱାଧୀନ ହେବା ପରଠୁ ଆଜି ପର୍ଯ୍ୟନ୍ତ ତାମିଲନାଡ଼ୁରୁ କେହି ବି ଦେଶର ପ୍ରଧାନମନ୍ତ୍ରୀ ଚୌକିରେ ବସିନାହାନ୍ତି । ତେଲେଙ୍ଗାନା ଓ କର୍ଣ୍ଣାଟକ ଭଳି ଦକ୍ଷିଣ ରାଜ୍ୟରୁ ପ୍ରଧାନମନ୍ତ୍ରୀ ହୋଇଥିବା ବେଳେ ତାମିଲନାଡ଼ୁରୁ ଆଗକୁ କେହି ପ୍ରଧାନମନ୍ତ୍ରୀ ହେବାର ଚର୍ଚ୍ଚା ବଢ଼ିଛି । 

ତେବେ ଉପରାଷ୍ଟ୍ରପତି ଶୁକ୍ରବାର ମୁଥୁରାମଲିଙ୍ଗ ଥେଭରଙ୍କ ଗୁରୁପୂଜା ଏବଂ ଦିଣ୍ଡିଗୁଲ ଜିଲ୍ଲାର ଗାନ୍ଧୀଗ୍ରାମ ଗ୍ରାମୀଣ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗଦେବାକୁ ମଦୁରାଇ ଯାଇଥିଲେ । ପାସୁମ୍ପୋନ୍‌ରେ ଥେଭରଙ୍କ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବା ସହ ତାଙ୍କ ପରିବାର ସଦସ୍ୟଙ୍କୁ ଭେଟିଥିଲେ । ପରେ ଗାନ୍ଧୀଗ୍ରାମ ବିଶ୍ୱବିଦ୍ୟାଳୟର କାର୍ଯ୍ୟକ୍ରମରେ ଯୋଗଦେଇ ମଦୁରାଇ ଫେରିଥିଲେ । ଏହାପରେ ସେ ପ୍ରସିଦ୍ଧ ମୀନାକ୍ଷୀ ଅମ୍ମନ ମନ୍ଦିର ଦର୍ଶନ କରିଥିଲେ । ମଦୁରାଇ, ତାମିଲନାଡୁ ଓ ଦେଶବାସୀଙ୍କ ମଙ୍ଗଳ ପାଇଁ ଦେବୀଙ୍କ ନିକଟରେ ପ୍ରାର୍ଥନା କରିଥିବା ସେ କହିଥିଲେ । ମନ୍ଦିରରେ ତାଙ୍କୁ ପାରମ୍ପରିକ ପରିବଟ୍ଟମ୍‌ ପ୍ରଦାନ କରି ସମ୍ମାନିତ କରାଯାଇଥିଲା ।

Leave a Reply

Your email address will not be published. Required fields are marked *