ତିରଙ୍ଗା ଯାତ୍ରାରୁ ଫେରୁଥିବା ବେଳେ ଘଟିଲା ବଡ଼ ଦୁର୍ଘଟଣା । ଜମ୍ମୁର ସୁପର ସ୍ପେଶାଲିଟି ହସ୍ପିଟାଲ ନିକଟ ଏକ ଫ୍ଲାଏଓଭର ଉପରେ ମିନିବସ୍ ଓଲଟି ପଡ଼ିବାରୁ ୨୮ ଜଣ ଯୁବତୀ ଆହତ ହୋଇଛନ୍ତି ।
ତିରଙ୍ଗା ଯାତ୍ରାରୁ ଫେରୁଥିବା ବେଳେ ଘଟିଲା ବଡ଼ ଦୁର୍ଘଟଣା । ଜମ୍ମୁର ସୁପର ସ୍ପେଶାଲିଟି ହସ୍ପିଟାଲ ନିକଟ ଏକ ଫ୍ଲାଏଓଭର ଉପରେ ମିନିବସ୍ ଓଲଟି ପଡ଼ିବାରୁ ୨୮ ଜଣ ଯୁବତୀ ଆହତ ହୋଇଛନ୍ତି । ରବିବାର ରାତିରେ ଏହି ଦୁର୍ଘଟଣା ଘଟିଛି । ସୂଚନା ଅନୁସାରେ, ୧୮ରୁ ୨୫ ବର୍ଷ ବୟସର ଯୁବତୀମାନେ ବାହୁ ଫୋର୍ଟରେ ଆୟୋଜିତ ତିରଙ୍ଗା ଯାତ୍ରାରେ ସାମିଲ ହୋଇଥିଲେ । କାର୍ଯ୍ୟକ୍ରମ ସରିବା ପରେ ସେମାନେ ମିନିବସ୍ ଯୋଗେ ମୁବାରକ ମଣ୍ଡି ଅଭିମୁଖେ ଫେରୁଥିଲେ । ଏହି ସମୟରେ ଫ୍ଲାଏଓଭର ଉପରେ ହଠାତ୍ ମିନିବସ୍ଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା ।
ଦୁର୍ଘଟଣା ପରେ ଆହତମାନଙ୍କୁ ତୁରନ୍ତ ସରକାରୀ ମେଡିକାଲ କଲେଜ ହସ୍ପିଟାଲକୁ ନିଆଯାଇଥିଲା । ଆହତଙ୍କ ମଧ୍ୟରୁ ଅଧିକାଂଶଙ୍କ ଅବସ୍ଥା ସ୍ଥିର ଥିବା ବେଳେ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି । ଅଧିକାଂଶ ଯୁବତୀଙ୍କୁ ଖୁବଶୀଘ୍ର ଡିସଚାର୍ଜ କରାଯିବାର ସମ୍ଭାବନା ରହିଛି ।
ଆହତମାନେ ବିଜେପି ସହ ଜଡ଼ିତ କିଛି ଏନ୍ଜିଓର ‘ନାରୀ ବୀରାଙ୍ଗନା’ ପ୍ରକଳ୍ପର ସଦସ୍ୟା ବୋଲି ଜଣାପଡ଼ିଛି । ଖବର ପାଇ ବିଜେପି ନେତା ଓ ବିଧାୟକ ଯୁଦ୍ଧବୀର ସେଠୀ ହସ୍ପିଟାଲରେ ପହଞ୍ଚି ଆହତମାନଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ । ଏପଟେ ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଦୁଃଖ ପ୍ରକାଶ କରିବା ସହ ଆହତମାନଙ୍କୁ ସମସ୍ତ ଆବଶ୍ୟକୀୟ ଚିକିତ୍ସା ଓ ସହାୟତା ଯୋଗାଇଦେବାକୁ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

