ଡେନିଜ୍‌ଙ୍କ ଡବଲ୍‌, ଜର୍ମାନୀ ନକ୍‌ଆଉଟ୍‌ରେ

ପ୍ରଥମାର୍ଦ୍ଧରେ ଉଭୟ ଦଳ ଆଉ ଗୋଲ୍‌ ଦେବାରେ ବିଫଳ ହୋଇଥିଲେ। ଦ୍ବିତୀୟାର୍ଦ୍ଧରେ ଜର୍ମାନୀ ଅପେକ୍ଷାକୃତ ଉନ୍ନତ ଖେଳିଥିଲା। ଫଳରେ ଦଳକୁ ୬୮ତମ ମିନିଟ୍‌ରେ ଏହାର ସୁଫଳ ମିଳିଥିଲା।

ଚଳିତ ଫିଫା ବିଶ୍ବକପ୍‌ରେ‌ ଅନ୍ୟତମ ଶ୍ରେଷ୍ଠ ଦଳ ଜର୍ମାନୀକୁ ପାଣି ପିଆଇଛି ପଶ୍ଚିମ ଆଫ୍ରିକୀୟ ଦେଶ ଆଇଭରିକୋଷ୍ଟ୍‌। ତେବେ ଇନ୍‌ଜ୍ୟୁରି ଟାଇମ୍‌ ଗୋଲ୍‌ ବଳରେ ୪ ଥର ବିଜେତା ଜର୍ମାନୀ ୨-୧ ଗୋଲ୍‌ରେ ଜିତିଯାଇଛି। ଏଥି ସହିତ ଜର୍ମାନୀ ଗ୍ରୁପ୍‌ ‘ଇ’ରେ କ୍ରମାଗତ ବିଜୟ ସହ ନକ୍‌ଆଉଟ୍‌ ଯୋଗ୍ୟତା ଅର୍ଜନ କରି ନେଇଛି। ବଦଳ ଖେଳାଳି ଡେନିଜ୍‌ ଇଣ୍ଡାଭ୍‌ଙ୍କ ଡବଲ୍‌ ଗୋଲ୍‌ ଜର୍ମାନୀକୁ ପରାଜୟ ମୁହଁରୁ ବାହାର କରି ବିଜୟ ଦେଇଛି।

ପ୍ରଥମରୁ ବିପଜ୍ଜନକ ମନେ ‌ହେଉଥିବା ଆଇଭରିକୋଷ୍ଟ୍‌ ୩୦ତମ ମିନିଟ୍‌ରେ ଅଗ୍ରଣୀ ନେଇଯାଇଥିଲା। ଅଧିନାୟକ ଫ୍ରାଙ୍କ୍‌ କେସିଙ୍କ ଶକ୍ତିଶାଳୀ କିକ୍‌କୁ ଜର୍ମାନୀ ଗୋଲି ଓ ଡିଫେଣ୍ଡର୍‌ ରୋକି ଦେଇଥିଲେ ମଧ୍ୟ ରିବାଉଣ୍ଡ୍‌ରୁ ଆସିଥିବା ବଲ୍‌କୁ ସେ ଦ୍ବିତୀୟ ପ୍ରୟାସରେ ପୋଷ୍ଟ୍‌ ଭିତରକୁ ପଠାଇଦେଇଥିଲେ। ଏହା ପରେ ଜର୍ମାନୀର ତାଳମେଳ ବିହୀନ ତଥା ମାନ୍ଦା ଖେଳରୁ ବି ଫାଇଦା ଉଠାଇ ଆଇଭରିକୋଷ୍ଟ୍‌ ଏକାଧିକ ସୁଯୋଗ ସୃଷ୍ଟି କରିଥିଲା।

ପ୍ରଥମାର୍ଦ୍ଧରେ ଉଭୟ ଦଳ ଆଉ ଗୋଲ୍‌ ଦେବାରେ ବିଫଳ ହୋଇଥିଲେ। ଦ୍ବିତୀୟାର୍ଦ୍ଧରେ ଜର୍ମାନୀ ଅପେକ୍ଷାକୃତ ଉନ୍ନତ ଖେଳିଥିଲା। ଫଳରେ ଦଳକୁ ୬୮ତମ ମିନିଟ୍‌ରେ ଏହାର ସୁଫଳ ମିଳିଥିଲା। ତିନିଟି ଅଦଳବଦଳ ଯୋଜନାରେ ଆସିଥିବା ଡେନିଜ୍‌ ଉଣ୍ଡାଭ୍‌ଙ୍କ ଗୋଲ୍‌ ଜର୍ମାନୀର ସମ୍ମାନ ରଖିଥିଲା। ଇନ୍‌ଜ୍ୟୁରି ଟାଇମ୍‌ରେ ଉଣ୍ଡାଭ୍‌ (୯୦+୪ ମିନିଟ୍‌) ଦ୍ବିତୀୟ ଗୋଲ୍‌ ଦେଇ ଅପ୍ରତ୍ୟାଶିତ ଭାବେ ବିଜୟକୁ ନିଶ୍ଚିତ କରିଥିଲେ।

Leave a Reply

Your email address will not be published. Required fields are marked *