ଅଶୋଧିତ ତେଲ ଆମଦାନି କ୍ଷେତ୍ରରେ ଭାରତ ର ନିର୍ଭରଶୀଳତା ରୁଷ୍ ଉପରେ ଜୁଲାଇ ମାସରେ ବଢ଼ିଯାଇଛି । ଭାରତ ଏହାର ମୋଟ ଅଶୋଧିତ ତେଲ ଆମଦାନିର ୫୦.୮୩ ପ୍ରତିଶତ ବା ଦୈନିକ ୨.୪୭ ନିୟୁତ ବ୍ୟାରେଲ ତେଲ ରୁଷ୍ରୁ ଆଣିଛି
ଅଶୋଧିତ ତେଲ ଆମଦାନି କ୍ଷେତ୍ରରେ ଭାରତ ର ନିର୍ଭରଶୀଳତା ରୁଷ୍ ଉପରେ ଜୁଲାଇ ମାସରେ ବଢ଼ିଯାଇଛି। ଭାରତ ଏହାର ମୋଟ ଅଶୋଧିତ ତେଲ ଆମଦାନିର ୫୦.୮୩ ପ୍ରତିଶତ ବା ଦୈନିକ ୨.୪୭ ନିୟୁତ ବ୍ୟାରେଲ ତେଲ ରୁଷ୍ରୁ ଆଣିଛି। ଗତବର୍ଷ ଜୁଲାଇ ତୁଳନାରେ ଏବର୍ଷ ଜୁଲାଇରେ ରୁଷ୍ରୁ ଭାରତ ଅଧିକ ୬୨.୪ ପ୍ରତିଶତ ଅଶୋଧିତ ତେଲ ଆଣିଛି। କିନ୍ତୁ ଜୁନରେ ଭାରତ ଆଣିଥିବା ଦୈନିକ ୨.୬ ନିୟୁତ ବ୍ୟାରେଲ ଅଶୋଧିତ ତେଲ ତୁଳନାରେ ଏହା ୪.୮ ପ୍ରତିଶତ କମ୍।
ଆମେରିକା ଶୁଳ୍କରୁ ବର୍ତ୍ତିବା ପାଇଁ ଜାନୁଆରି ମାସରେ ଭାରତ ରୁଷ୍ରୁ ଅଶୋଧିତ ତେଲ ଆମଦାନି କମାଇଥିଲା। କିନ୍ତୁ ଫେବ୍ରୁଆରି ୨୮ରେ ମଧ୍ୟପ୍ରାଚ୍ୟ ଯୁଦ୍ଧ ଆରମ୍ଭ ହେବାଦ୍ବାରା ସ୍ଥିତି ବଦଳିଗଲା। ଭାରତର ତୈଳ ବିଶୋଧନକାରୀ କମ୍ପାନିଗୁଡ଼ିକ ରୁଷ୍ରୁ ପୁନର୍ବାର ଅଧିକ ତେଲ କିଣିବାକୁ ବାଧ୍ୟହେଲେ। ତେବେ ରୁଷ୍ରୁ ଅଧିକ ତେଲ ଓ ଗ୍ୟାସ କିଣୁଥିବା ଦେଶଗୁଡ଼ିକ ଉପରେ ୧୦୦ ପ୍ରତିଶତ ପର୍ଯ୍ୟନ୍ତ ଶୁଳ୍କ ଲଗାଇବା କ୍ଷମତା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଦେବା ସଂପର୍କିତ ବିଲ୍ ସିନେଟ୍ରେ ଚଳିତମାସରେ ଗୃହୀତ ହେବା ପରେ ଏବେ ଚିନ୍ତା ବଢ଼ିଯାଇଛି।
ବାଣିଜ୍ୟ ତଥ୍ୟରୁ ଏହା ଜଣାଯାଇଛି ଯେ ଚଳିତ ଆର୍ଥିକବର୍ଷର ପ୍ରଥମ ୪ ମାସରେ ରୁଷ୍ରୁ ଭାରତର ଅଶୋଧିତ ତେଲ ଆମଦାନି ୪୩.୨୫ ପ୍ରତିଶତରେ ରହିଛି। ଅର୍ଥାତ ଦୈନିକ ହାରାହାରି ୨ ନିୟୁତ ବ୍ୟାରେଲରୁ ଅଧିକ। ପୂର୍ବବର୍ଷ ଏହା ପ୍ରାୟ ୩୭ ପ୍ରତିଶତ ସ୍ତରରେ ରହିଥିଲା। ଏପ୍ରିଲ-ଜୁଲାଇ ଅବଧିରେ ରୁଷ୍ ପରେ ସଂଯୁକ୍ତ ଆରବ ଏମିରେଟ୍ସ(ୟୁଏଇ)ରୁ ଭାରତ ଦ୍ବିତୀୟ ସର୍ବାଧିକ ଅଶୋଧିତ ତେଲ କ୍ରୟ କରିଛି। ପୂର୍ବରୁ ଦ୍ବିତୀୟ ସର୍ବାଧିକ ଅଶୋଧିତ ତେଲ ଭାରତ ଇରାକଠାରୁ କ୍ରୟ କରୁଥିଲା। ଚଳିତବର୍ଷ ଏପ୍ରିଲରେ ତୈଳ ରପ୍ତାନିକାରୀ ଗୋଷ୍ଠୀ ସଙ୍ଗଠନ (ଓପେକ୍) ୟୁଏଇ ଓହରି ଯାଇଛି। ଏହା ପରେ ଏହି ଦେଶ ସ୍ପଟ୍ ବଜାରରେ ଅଧିକ ତେଲ ବିକ୍ରି କରୁଛି। ଭାରତ ସେଠାରୁ ଅଧିକ ମାତ୍ରାରେ ତେଲ କିଣୁଛି।
ଅନ୍ୟପକ୍ଷରେ ଚଳିତ ଆର୍ଥିକବର୍ଷର ପ୍ରଥମ ୪ ମାସରେ ମଧ୍ୟପ୍ରାଚ୍ୟରୁ ଭାରତର ଅଶୋଧିତ ତେଲ ଆମଦାନି ଭାଗ ପ୍ରାୟ ୩୦ ପ୍ରତିଶତକୁ ହ୍ରାସ ପାଇଛି, ଯାହାକି ଗତବର୍ଷ ୪୩ ପ୍ରତିଶତ ସ୍ତରରେ ରହିଥିଲା। ଲାଟିନ୍ ଆମେରିକୀୟ ରାଷ୍ଟ୍ରଗୁଡ଼ିକରୁ ଭାରତର ଅଶୋଧିତ ତେଲ ଆମଦାନି ଅଂଶ ୩.୫ ପ୍ରତିଶତରୁ ବୃଦ୍ଧି ପାଇ ୧୨.୭ ପ୍ରତିଶତରେ ପହଞ୍ଚିଛି। ମୁଖ୍ୟତଃ ବ୍ରାଜିଲ ଓ ଭେନେଜୁଏଲାରୁ ଆମଦାନି ବଢ଼ିଛି। ଉଲ୍ଲେଖଯୋଗ୍ୟ, ଭାରତ ଏହାର ମୋଟ ଅଶୋଧିତ ତେଲ ଆବଶ୍ୟକତାର ପାଖାପାଖି ୯୦ ପ୍ରତିଶତ ଆମଦାନି ଜରିଆରେ ପୂରଣ କରିଥାଏ। ତେଣୁ ଅନ୍ତର୍ଜାତୀୟ ବଜାରରେ ଦରବୃଦ୍ଧି କିମ୍ବା ଯୋଗାଣ ଶୃଙ୍ଖଳ ବ୍ୟାହତ ହେଲେ ଭାରତର ଅସୁବିଧା ବଢ଼ିଯାଏ।

